ଆଲୋକର ପର୍ବ
ଆଲୋକର ପର୍ବ
.
ଗାଁରେ ମୁନା ରହୁଥାଏ. ଦୀପାବଳୀ ଦିନ ମୁନାର ମନ ଭଲନଥାଏ କାରଣ ଗାଁରେ ଥିବା ତାର ସବୁ ସାଙ୍ଗମାନଙ୍କ ଘରେ ଘରେ ଢେର ସାରା ବାଣ କିଣାହୋଇଥାଏ କିନ୍ତୁ ତାଙ୍କ ଘରେ ମାଆ ଦୀପରେ ତେଲ ଢାଳି ବଳିତା ସଜାଡୁ ଥାଆନ୍ତି. ଜେଜେ ଛାତ ଉପରେ ଚଉରା ସହ ପାଚେରୀ ଚାରିପଟେ ରଙ୍ଗ କରିଦେଇଥିଲେ ମଧ୍ୟ ବାଣ ଆଣିନାହାଁନ୍ତି ପୁଣି ଜେଜେମା ଘରେ ଥିବା ମୁରୁଜ ଚିତା ପକାଇବା ସଙ୍ଗେ ସଙ୍ଗେ ନୂଆ ଶାଢ଼ୀ, ଧୋତି ଓ ଚାଦର କିଣି ଜୋର ଶୀତ ଆସିବା ପୂର୍ବରୁ ଗରୀବ ଲୋକମାନଙ୍କୁ ଦାନ କରିବାକୁ ଯୋଜନା କରିଥାନ୍ତି ତ ବାପା ପୟାଶ୍ରାଦ୍ଧ ପାଇଁ ସବୁ ଜିନିଷ କିଣି ଆୟୋଜନ କରୁଥାନ୍ତି ଶ୍ରଦ୍ଧାରୁ ଶ୍ରାଦ୍ଧ ବୋଲି କହୁଥାନ୍ତି .ଏତିକି ବେଳେ ମୁନାର ସାଙ୍ଗ ମୁନାକୁ କହିଲା, "ଆରେ ମୁନା ତୁ ଆଜି ସନ୍ଧ୍ୟାରେ ଆମ ଘରକୁ ଆଗ ଆସିବୁ, ଆମେ ଦୁହେଁ ମିଶି ବାଣ ଫୁଟାଇ ବହୁତ ମଜା କରିବା. ଆଉ ତା' ପରେ ପୁଣି ତମ ଘରକୁ ଯିବା." ମୁନା ତା' ସାଙ୍ଗ ଘରକୁ ଯାଇ ଦେଖିଲା ରଙ୍ଗବେରଙ୍ଗ ଆଲୋକମାଳାରେ ସଜା ହୋଇଥାଏ ତାଙ୍କ ଦୁଇ ମହଲା କୋଠା. ବଜାରରୁ ବିଭିନ୍ନ ପ୍ରକାରର ଦାମି ମିଠାଇ ସହିତ ବର୍ଗର, ପିଜା, କପଡ଼ା ବାରୁଦରେ ତିଆରି ହୋଇଥିବା କେତେ ପ୍ରକାରର ବିଦେଶୀ ବାଣ, ଏମିତିକି ଫାଟିଲେ ବହୁତ ଜୋର ଜୋରରେ ଶବ୍ଦ କରୁଛି.ଭଳିଭଳିକା ରଙ୍ଗୀନ ଧୂଆଁ ବାହାରି ଅନେକ ଡିଜାଇନରେ ଖେଳି ଯାଉଛି, ଏମିତି ଆହୁରି କିଛି.ତାହା ସବୁ ଉପଭୋଗ କରିବା ପରେ ଦୁଇଜଣ ସାଙ୍ଗ ଫେରି ଆସିଲେ ମୁନାଙ୍କ ଘରକୁ.ଏବେ ମୁନାର ବାପା, ମା', ସମସ୍ତ ପରିବାର; ମୁନା ଏବଂ ତା' ସାଙ୍ଗ ମିଳିମିଶି ମହମବତୀ ଦୀପ ଲଗାଇ ଘଣ୍ଟ ଘଣ୍ଟା ବଜାଇ ଦିଅଁ ଦେବତାଙ୍କୁ ପୂଜା କରିବା ପରେ ଅଗଣାରେ ପିମ୍ପେଇ ଖାଡି ବା କାଉଁରିଆ କାଠି ଜଳାଇ ବଡ଼ବଡ଼ୁଆଙ୍କୁ ଡାକିଲେ.ଶେଷରେ ସମସ୍ତେ ଏକାଠି ବସି ଘରେ ତିଆରି ହୋଇଥିବା ସୁସ୍ୱାଦୁ ଭୋଜନ କରି ପରସ୍ପର ମଧ୍ୟରେ ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶଟିଏ ସୃଷ୍ଟି କଲେ.ସବୁ ସରିବା ପରେ ମୁନା
ପ୍ରଶ୍ନ କଲା ତା' ବାପାଙ୍କୁ, ଯାହା ଯାହା ଦେଖିକରି ଆସିଥିଲା ତା' ସାଙ୍ଗ ଘରୁ, ସବୁ କଥା କହିଲା.ଶୁଣି ସାରିବା ପରେ ମୁନାର ବାପା ମୁନାକୁ ଓ ତା' ସାଙ୍ଗକୁ ବୁଝାଇଲେ. ଦେଖ ପିଲାମାନେ ଦୀପାବଳି ଉତ୍ସବ ହେଉଛି ଆଲୋକର ପର୍ବ.ଆମେମାନେ ସମସ୍ତେ ଏହି ପର୍ବରେ ମହମବତୀ ଆଉ ଦୀପ ଜଳାଇ ଅନ୍ଧାର ଦୂର କରିଥାଉ. ସୁଖ ଓ ସମୃଦ୍ଧି ପାଇଁ ଆମକୁ ଦୁନିଆକୁ ଆଣିଥିବା ଆମ ପୂର୍ବୁପୁରୁଷମାନଙ୍କୁ ଏହି ପବିତ୍ର ଦିନରେ ସ୍ମରଣ କରିଥାଉ.ଏହା ବ୍ୟତିତ ଘରେ ତିଆରି ହୋଇଥିବା ଜିନିଷ ମା' ନିଜ ହାତରେ କରିଥିବା ପିଠା ପଣାରେ ଯେଉଁ ସ୍ଵାଦ ଥାଏ ତାହା ବଜାରରୁ ଆସିଥିବା କୌଣସି ଜିନିଷରେ ନଥାଏ. ଆଉ ବାକି ରହିଲା ବାଣ.ବାଣ ଫୁଟାଇବା ଦ୍ଵାରା ସେଥିରୁ ଯେଉଁ ବିଷାକ୍ତ ଧୂଆଁ ନିର୍ଗତ ହୁଏ ତାହା ଆମ ବାୟୁମଣ୍ଡଳକୁ ଦୂଷିତ କରିଥାଏ.ସେହି ବାୟୁକୁ ଆମେ ନିଶ୍ୱାସ ପ୍ରଶ୍ଵାସ ଆକାରରେ ଗ୍ରହଣ କରିଥାଉ ଯାହା ଆମ ଶ୍ୱାସ ନଳୀ ରନ୍ଦ୍ର ଉପରେ ପ୍ରଭାବ ପକାଇଥାଏ. ବେଳେବେଳେ ବାରୁଦ ଆମ ହାତରେ ଲାଗିଯାଇ ହାତ ଜଳିଯାଏ ଖଣ୍ଡିଆ ଖାବଡା ହୁଏ.ଆଖିରେ ପଡ଼ିଗଲେ ଆଖି ନଷ୍ଟ ହୋଇଯାଏ.ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜୁଳି ହେଉଛି ଆମ ରାଷ୍ଟ୍ରୀୟ ସମ୍ପଦ, ତାକୁ କେବେ ନଷ୍ଟ କରିବା ନାହିଁ.ଆବଶ୍ୟକ ଅନୁଯାୟୀ ତାହା ବ୍ୟବହାର କରିବା ନଚେତ ନୁହେଁ. ଆମେ ବିଜୁଳି ସଞ୍ଚୟ କରି ରଖିଲେ ଆମ ଆଗାମୀ ପିଢ଼ୀଙ୍କ କାର୍ଯ୍ୟରେ ଲାଗିବ. ତେଣୁ, ଆମେ ସବୁବେଳେ ଏପରି ଅନୁଚିତ କାର୍ଯ୍ୟରୁ ଦୂରେଇ ରହିବା.
ଏଥର ମୁନା ଓ ତା' ସାଙ୍ଗ ଦୁହେଁ ବୁଝିପାରିଲେ.ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ସମାଜରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରତିଶ୍ରୁତି ଦେଲେ.ଆସନ୍ତାଥର ଦୀପାବଳିରେ ବାରୁଦ ବାଣ ବ୍ୟବହାର ନକରି ଦୀପ ଆଉ ମହମବତୀରେ ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ସ୍ଥିର କଲେ.ବଡ଼ବଡ଼ୁଆ ହେ ଅନ୍ଧାରେ ଆସି ଆଲୋକେ ଯାଅ ବୋଲି କାଉଁରିଆ ଜାଳି ସଂସ୍କୃତି ଓ ପରମ୍ପରା ବଜାୟ ରଖିବେ.ପରିବେଶ ସ୍ୱଚ୍ଛ ରଖିବା ସହ ସୁସ୍ଥ ରହିବା ନିହାତି ଆବଶ୍ୟକ ବୋଲି ବୁଝି ବୁଝାଇବେ ବୋଲି ଶପଥ ନେଇଥିଲେ ।