ଆଲୋକ ଆଡକୁ ପାଦେ...
ଆଲୋକ ଆଡକୁ ପାଦେ...
ଗାଁ'ର ପ୍ରତି ଘରବାରଣ୍ଡାରେ ଦୀପ ଗୁଡିକ ଜଳିଉଠିଲାଣି। ଆଲୋକର ଏଇ କ୍ଷୁଦ୍ର ଉତ୍ସ ଘରର ସୁନ୍ଦରତାକୁ ଦ୍ଵିଗୁଣିତ କରୁଥାଆନ୍ତି। ସମ୍ଭବ ଜେଜେଙ୍କ ସହିତ ଅଗଣାରେ ବସି ପଡ଼ିଲା । ଆକାଶରେ ଦୀପାବଳୀ ଅମାବାସ୍ୟାର ଘୋର ଅନ୍ଧକାର। ପୃଥିବୀରେ ଜଳୁଛି ଅଜସ୍ର ଦୀପ।ଏଇ ଦୀପ ଗୁଡିକ ଜଳି ଜଳି ଯେମିତି ଅନ୍ଧକାରକୁ ଦୂର କରିବାକୁ ପଣ ନେଇଛନ୍ତି।
ଜେଜେ ମୁରୁଜରେ ଚିତା କାଟି ପୟାଶ୍ରାଦ୍ଧ କରିବା ଆରମ୍ଭ କରୁଛନ୍ତି।ଆଉ ସମ୍ଭବ ବସି ବସି ଦେଖୁଛି ଶ୍ରାଦ୍ଧର ବିଧିବିଧାନ । ଜେଜେ ଅନର୍ଗଳ ବୁଝାଉଛନ୍ତି ..... ଅନ୍ଧାରରୁ ଆଲୋକ ଆଡକୁ ଯିବାର ମାର୍ଗ କେତେ ପ୍ରାସଙ୍ଗିକ।
"ଅଜ୍ଞାନ ଅନ୍ଧକାରକୁ ଦୂର କରିବାକୁ ହେଲେ ଆମର ଆତ୍ମଜ୍ୟୋତିକୁ ପ୍ରଜ୍ଜ୍ଵଳିତ କରିବା ନିତ୍ୟାନ୍ତ ଆବଶ୍ୟକ।ଅଜ୍ଞାନ ରୂପୀ ଅନ୍ଧକାର ହେଲା ମନୁଷ୍ୟ ଭିତରେ ଛପି ରହିଥିବା କାମ କ୍ରୋଧ ଲୋଭ ମୋହ ଇର୍ଷା ଆଳସ୍ୟ ଇତ୍ୟାଦି ବିକାର।ଏ ଗୁଡିକ ଦୂର କରିବାକୁ ହେଲେ ପରମ ଜ୍ୟୋତିରେ ଆତ୍ମ ଜ୍ୟୋତିକୁ ଉଦ୍ଭାସିତ କରିବାକୁ ହେବ।ଅନ୍ଧାରରୁ ଆଲୋକ ଆଡକୁ, ପାପରୁ ପବିତ୍ରତା ଆଡକୁ ଆଗେଇବାକୁ ହେବ । ଜେଜେଙ୍କର ପ୍ରତ୍ୟେକ କଥା ଯେମିତି ସମ୍ଭବ ହୃଦୟକୁ ସ୍ପର୍ଶ କରୁଛି।
ସକାଳୁ ତର୍ପଣ ଓ ବସୁଦେବ ସାରି ଜେଜେ ଜଳଖିଆ ଖାଇଲେ।ଗାଁର ଜଣେ ଲୋକ ପୟାଶ୍ରାଦ୍ଧ ନିମନ୍ତେ କିଛି କଇଁ ଫୁଲ ବାଳୁଙ୍ଗା କୁଶ, ପଣସପତ୍ର ପୋଲାଙ୍ଗ ତେଲ ଓ କାଉଁରିଆ ଇତ୍ୟାଦି ଘରେ ଦେଇଗଲା।
ଜେଜେ ଚାଉଳ ଚୁନାରେ ଦୀପ ପ୍ରସ୍ତୁତ କରି ସେଥିରେ ଖଡିକା କାଠିରେ ତୁଲା ଗୁଡେଇ ଘିଅ ଦୀପରେ ପିତୃଲୋକଙ୍କୁ ଶ୍ରାଦ୍ଧ ଦେଲେ।
ସମ୍ଭବ ପଚାରିଲା"' ଆଚ୍ଛା ଜେଜେ ଶ୍ରାଦ୍ଧରେ କଣ ପ୍ରକୃତରେ ପିତୃ ଲୋକ ସନ୍ତୁଷ୍ଟ ହୁଅନ୍ତି "?
" ନା ନା ଏଇଟା ଅନ୍ଧ ବିଶ୍ୱାସ ନୁହେଁ। ଶାସ୍ତ୍ରରେ ଆଶ୍ୱିନ ମାସର ପ୍ରତିପଦାଠାରୁ ପିତୃ ପକ୍ଷ ଆରମ୍ଭ ।କୁହାଯାଏ ପିତୃଲୋକରୁ ଆସିଥିବା ପିତୃଗଣ ଏଇ ପନ୍ଦର ଦିନ ପିଣ୍ଡ ଗ୍ରହଣ କରି କାର୍ତ୍ତିକ ଅମାବାସ୍ୟା ଦିନ ଅନ୍ଧାର ପଥରେ ଫେରି ଥାଆନ୍ତି ସେଇ ସମୟରେ ପୃଥିବୀବାସୀ ତାଙ୍କୁ ଆଲୋକ ଦେଖାଇ ଫେରିଯିବା ପାଇଁ ଦୀପ ଓ କାଉଁରିଆ ପ୍ରଜ୍ଜ୍ୱଳନ କରନ୍ତି।
ଆଉ ଦୀପ ଜାଳି ବୋଲନ୍ତି ....
"ବଡ଼ ବଡୁଆ ହୋ ଅନ୍ଧାରେ ଆସି ଆଲୁଏ ଯାଅ,ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ ଗଡଉଥାଅ।ଆମକୁ ଅମୃତ ଦୃଷ୍ଟିରେ ଚାହିଁଥାଅ।"
ଶ୍ରାଦ୍ଧ ଦିନ ଆମେ ପୂର୍ବ ପୁରୁଷଙ୍କୁ ସ୍ମରଣ କରି ତାଙ୍କ ସ୍ମୃତିକୁ ରୋମନ୍ଥନ କରି ସେମାନେ କରିଥିବା ଆମ ପାଇଁ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥାଉ।ସେତେବେଳେ ଆମେ ଆମ ପିତୃ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଏହା ତାଙ୍କ ପ୍ରତି ଆମର ଶ୍ରଦ୍ଧାର ନିବେଦନ କରିଥାଏ।
ଶକ୍ତିମୟୀ ମା କାଳୀ ଆରାଧନା ଏହି ଅମାବାସ୍ୟାରେ କରାଯାଏ। ଯିଏ ସସମସ୍ତ
ଆଜି ପୁଣି ଆମ ଓଡ଼ିଆ ସାଧବ ପୁଅ ଦୂର ଦେଶରୁ ବାଣିଜ୍ୟ କରି ବୋଇତ ନେଇ ଫେରେ, ତେଣୁ ସେଇ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଏବେ ମଧ୍ୟ ଅନେକ ଘରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ।ମୁରୁଜରେ ବୋଇତ ଆଙ୍କି କଂସା ବାସନ ଘରର ଦାମୀ ଜିନିଷମାନ ଥୋଇ ଦୁବ ବରକୋଳି ପତ୍ରରେ ମା ଲକ୍ଷ୍ମୀଙ୍କ ଆବାହନ ପୂର୍ବକ ବନ୍ଦାପନା କରାଯାଏ।
ସମ୍ଭବ ଜେଜେଙ୍କର ଏ କଥା ଗୁଡିକ ଶୁଣି ଭାବିଲା କେତେ ମହାନ ଆମ ସଂସ୍କୃତି ଓ ପରମ୍ପରା।କିନ୍ତୁ ମମ୍ ତ କହନ୍ତି ଏଠାରେ ଲୋକଗୁଡାକ ଅନ୍ଧ ବିଶ୍ୱାସୀ।
ପୁଣି ଜୟନ୍ତ କହୁଥିଲା ଉତ୍ତର ଭାରତରେ ଏଇ ଦିନ ମହଲକ୍ଷ୍ମୀଙ୍କ ପୂଜା କରାଯାଏ। ସମୁଦ୍ର ମନ୍ଥନ ସମୟରେ ଆଜି ମହାଲକ୍ଷ୍ମୀ ସମୁଦ୍ର ଗର୍ଭରୁ ଆବିର୍ଭୁତା ହୋଇଥିଲେ। ଦ୍ୱାର ମୁହଁରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମୁରୁଜ ଆଙ୍କି ମା ମହାଲକ୍ଷ୍ମୀଙ୍କୁ ଘରେ ଧନଧାନ୍ୟ ପରିପୂର୍ଣ୍ଣ କରିବାକୁ ଗୁହାରୀ କରାଯାଏ।
କଣ ନାହିଁ ମୋ ଦେଶରେ ଏତେ ମହିମା ମଣ୍ଡିତ ଭାରତ ଭୁଇଁକୁ ଛାଡି ମୁଁ କାହିଁକି ଅନ୍ୟ ଦେଶରେ ପଡି ରହିବି।
ମୁଁ ଠିକ କରିଛି ଜେଜେ , ତୁମକୁ ଛାଡି ଆଉ ବିଦେଶକୁ ଫେରିବିନି।ଜେଜେ ଗାଁ ଦାଣ୍ଡରେ ବାଣ ଫୁଟେଇବାକୁ ଚାଲିଗଲେ। ସମ୍ଭବ ବାରଣ୍ଡାରେ ବସି ଭାବୁଛି ..ଆଃ ....କି ଶାନ୍ତି କିଛି ସମୟ ଆଖି ବୁଜି ବସି ରହିଲା। ତୁମେ ମାନେ କେହି ବୁଝି ପାରିବନି ମମ୍ ସ୍ନେହ ଶ୍ରଦ୍ଧା ଓ ମମତାର ଅର୍ଥ କଣ ଆଉ କାହାକୁ କୁହାଯାଏ।
ଆଉ ମନେ ମନେ ତାର ପୂର୍ବ ଦିନର ଦୃଶ୍ୟକୁ ଭାବି ବସିଲା।କେମିତି ସେ ଜେଜେଙ୍କୁ ବୃଦ୍ଧାଶ୍ରମରୁ ଆଣି ଜୟନ୍ତ ସହିତ ଗାଁକୁ ଫେରିଥିଲା।
ସେଦିନ ଅପରାହ୍ନରେ ଜୟନ୍ତର ଫୋନ ଆସିଲା " ହଁ ସାଙ୍ଗ କହ ତୁ ପ୍ରସ୍ତୁତ ତ.... ଯିବା ଏଥର
ସମ୍ଭବ ମଧ୍ୟ ଉତ୍ତର ଦେଲା ହଁ ମ ମୁଁ ତ ରେଡି ହୋଇ ବସିଛି।ତୁ ଏବେ ଚାଲି ଆସ।ଆମେ ଶିଘ୍ର ଯିବା ସଂଧ୍ୟା ପୂର୍ବରୁ ପହଞ୍ଚିବା ଯେମିତି....
ଠିକ ଅଛି ମୁଁ ଏବେ ଆସିଲି। ଜୟନ୍ତ ଫୋନ ରଖିଲା।
ଟିକେ ପରେ ବାହାରେ ଗାଡି ରହିବାର ଶବ୍ଦ ଶୁଭିଲା।ସମ୍ଭବ ତାର ସାମାନ୍ ନେଇ ହୋଟେଲରୁ ଚେକ ଆଉଟ କରି ବାହାରିଗଲା।
ଗାଡି ଚାଳିଛି ଅବିରାମ ଗତିରେ। ଦୁଇଜଣ ଚୁପ ହୋଇ ବସିବାର କିଛି ସମୟ ପରେ ସମ୍ଭବ ଆରମ୍ଭ କଲା " ଆଚ୍ଛା ଜୟନ୍ତ ଆମକୁ କେତେ ସମୟ ଲାଗିବ
ସେଠାରେ ପହଞ୍ଚିବାକୁ??କିଛି ଆଇଡ଼ିଆ ଅଛି।
ହଁ ସେଇ ଦୁଇ ଅଢେଇ ଘଣ୍ଟାର ବାଟ,ବିଶେଷ କିଛି ଅସୁବିଧା ନ ହେଲେ ଆମେ ସଂଧ୍ୟା ପୂର୍ବରୁ ପହଞ୍ଚିଯିବା।
ଗାଡି ଯାଇ ପହଞ୍ଚି ଗଲା ଲକ୍ଷ୍ୟ ସ୍ଥଳରେ। ଦୁଇ ସାଙ୍ଗ ଭିତରକୁ ଗଲେ। ପରିଚୟ ଦେଇ କାର୍ଯ୍ୟକର୍ତ୍ତାଙ୍କ ସହିତ କଥାବାର୍ତ୍ତା କରି ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନ ପରେ ଭିତରକୁ ଯାଇ ଗୋଟିଏ ରୁମ ପାଖରେ ଅଟକି ଗଲେ।
ଜୟନ୍ତ ଡାକିଲା ," ଜେଜେ ଜେଜେ ଦେଖ ମୁଁ କାହାକୁ ନେଇ ଆସିଛି।"
ଜେଜେ ପଚାରିଲେ କିଏ???ତୋ ସହିତ ଆଉ କିଏ ଆସିଛନ୍ତି??
ଦେଖିଲେ ଜାଣି ପାରିବନି, ମୁଁ ତାକୁ ଡାକୁଛି ଜୟନ୍ତର ଡାକରେ ସମ୍ଭବ ଭିତରକୁ ପ୍ରବେଶ କଲା ଏବଂ ଜେଜେଙ୍କର ପାଦ ଛୁଇଁ ପ୍ରଣାମ କରି ତାଙ୍କୁ କୁଣ୍ଢେଇ ପକାଇଲା। ଆଖିରୁ ଆନନ୍ଦର ଲୁହ ବୋହି ଯାଉଥାଏ।
ଜେଜେ ପ୍ରଥମେ ବୁଝି ପାରିଲେ ନାହିଁ କିଏ ଏ ଯୁବକ .... ମୁଁ ତ ଏକୁ କେବେ ଦେଖିନି।ଯେମିତି ସମ୍ଭବ ମୁହଁ ଟେକି ଜେଜେଙ୍କୁ ଚାହିଁଛି ,ଜେଜେ ଜାଣି ଦେଲେ ଆରେ ତୁ କହି ପୁଣି କୁଣ୍ଢେଇ ପକେଇଲେ ସମ୍ଭବକୁ।ଦୁଇ ଜଣଙ୍କ ଆଖିରୁ ଲୁହର ଧାର ଏକାକାର ହୋଇ ଗଲା ଯେମିତି।
କିଛି ସମୟ ପରେ ଜୟନ୍ତ କହିଲା ହେଲା ହେଲା ଏବେ ଦୁଇଜଣ ଖୁସିରେ ହସିବା କଥା ଏତେ କାନ୍ଦିବାରେ କଣ ଅଛି।
ସମ୍ଭବ କହିଲା" ଚାଲ ଜେଜେ ଆମେ ଘରକୁ ଯିବା।
" କେଉଁ ଘର ରେ ବାପା, ଏବେ ଏଇଟା ମୋ ଘର ମୁଁ ଏଇଠି ରହି ମୃତ୍ୟୁକୁ ଅପେକ୍ଷା କରିଛି। କେବେ ସେ ଆସିବ ତାର ଶୀତଳ ସ୍ପର୍ଶରେ ମୁଁ ଅଭିଭୂତ ହେବି। ଏକା ଏକା ବଞ୍ଚିବାକୁ ଆଉ ଇଚ୍ଛା ନାହିଁ।ନିଶଃଙ୍ଗ ଜୀବନରେ ଏଇ ଜୟନ୍ତ ହିଁ ଏକମାତ୍ର ମୋ ଆଶା, ଭରସା।
"ନା ନା ଜେଜେ ସମ୍ଭବ ଆସିଛି ତୁମକୁ ଘରକୁ ନେଇ ଯିବା ପାଇଁ।"
-"ହେଲେ ମୋ ଘର କାହିଁ...!! ସେମାନେ ତ ଘର ବିକି ଦେଇଛନ୍ତି। ସମ୍ଭବ କହିଲା ନା ଜେଜେ ଘର ବିକ୍ରି ହେଇନି ଏବେବି ତୁମ ଘର ତୁମ ଅପେକ୍ଷାରେ ଅଛି ଶୀଘ୍ର ଆସ ଆମେ ଆଜି ହିଁ ଘରକୁ ଫେରିଯିବା।
ଚଉଦ ବର୍ଷ ବନବାସ ପରେ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ, ସେଇ ଉପଲକ୍ଷେ ଅଯୋଧ୍ୟାକୁ ଆଲୋକ ମାଳରେ ସଜାଇ ରାଜ୍ୟବାସୀ ଉତ୍ସବ ପାଳନ କରିଥିଲେ।ସେମିତି ପଦ୍ମନାଭ ମିଶ୍ର ଶୁଭ ଦୀପବଳୀରେ ଗୃହକୁ ଫେରି ଆସୁଛନ୍ତି।
ବୃଦ୍ଧାଶ୍ରମରୁ ବାହାରି ସେମାନେ ଗାଁ ଅଭିମୁଖେ ଚାଲିଲେ। ଗାଁ ର ସେଇ ସଜଳ ସ୍ମୃତିକୁ ମନେ ମନେ ଭାବି ଜେଜେ ପଦ୍ମନାଭ ମିଶ୍ର ଉଲ୍ଲସିତ ହୋଇ ଉଠୁଥାଆନ୍ତି। ଦୀର୍ଘ ଚଉଦ ବର୍ଷ ପରେ ଗାଁକୁ ଫେରିବେ ବୋଲି ତାଙ୍କ ମନରେ ନ ଥିଲା।ଯାହା ଆଜି ତାଙ୍କ ନାତି,ତାଙ୍କ ଘରର କୂଳପ୍ରଦୀପ, ସେ ତାଙ୍କୁ ଏତେବଡ଼ ଖୁସି ଦେଉଛି।ବିଗତ ଦିନର ସେଇ ବିବଶତା ଆଉ ତାଙ୍କର ରହିବନି ସେ ଏଥର ସ୍ୱଚ୍ଛନ୍ଦ ଭାବରେ ଏଇ ଜନ୍ମ ମାଟିରେ ବଞ୍ଚିବେ ଆଉ ଏଇଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ।
ଯେଉଁଦିନ ପୁଅ ରୋକଠୋକ ଶୁଣାଇଦେଲା ବାପା ମୁଁ କାନାଡ଼ାରେ ସ୍ଥାୟୀ ଭାବରେ ରହିବାକୁ ସ୍ଥିର କରିଛି ଆପଣ ମୋ ସହିତ ଆସିବେ ଯଦି ଭଲ କଥା।ମୁଁ ଏ ଗାଁ ଘରକୁ ଯେତେ ଶୀଘ୍ର ହେବ ବିକି ଦେବାକୁ ଭାବିଛି।ମୁଁ ଏଠାକୁ ଆସିବା ସମ୍ଭବ ନୁହେଁ।ତା ଛଡା ମୋ ସ୍ତ୍ରୀ ଓ ପିଲା ମାନେ ଏ ନ୍ୟାଷ୍ଟି ପ୍ଲେସରେ ରହିବାକୁ ଚାହୁଁ ନାହାଁନ୍ତି।ପୁଅର ଏଇ କଥାରେ ପଦ୍ମନାଭ ମିଶ୍ରଙ୍କ ହୃଦୟ ଭାଙ୍ଗି ପଡ଼ିଲା।ହିତାହିତ ଜ୍ଞାନ ହରାଇ ରାଗରେ ଘର ଛାଡ଼ି ଚାଲିଗଲେ। ପୁଅ ତାଙ୍କ ଖବର ରଖିଲାନି କି ବାପା ପୁଅକୁ ଖୋଜିଲେନି।ଶାରୀରିକ ଅସୁସ୍ଥତା ହେତୁ କିଛି ଲୋକ ତାଙ୍କୁ ନେଇ ବୃଦ୍ଧାଶ୍ରମରେ ରଖିଦେଲେ।
ଏବେ ତାଙ୍କ ମନରେ ତୁହାଇ ତୁହାଇ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ସମ୍ଭବ କେମିତି ଜାଣିଲା ସେ ବୃଦ୍ଧାଶ୍ରମରେ ଅଛନ୍ତି ତାଙ୍କ ଘର ବିକ୍ରି ହୋଇନି ।
ସମ୍ଭବକୁ ଚାହିଁଲେ ପଦ୍ମନାଭ, ବୁଝିଲା ଭଳି ହସିଦେଲା ସମ୍ଭବ ଜେଜେ ତୁମେ ଭାବୁଛ ନା ମୁଁ ତୁମକୁ କେମିତି ଜାଣିଲି !!!ତୁମକୁ ସବୁ କହିବି ଆମେ ଗାଁରେ ପହଞ୍ଚିବା ପୂର୍ବରୁ।
ମୁଁ ନଅ ବର୍ଷର ହୋଇଥିଲି ମୋର ଗାଁରେ ବ୍ରତ ଘର ହୋଇଥିଲା।ସେତିକିବେଳେ ଯାହା ତୁମକୁ ଦେଖିଥିଲି।କିନ୍ତୁ ସେଇ ସ୍ୱଳ୍ପ ଦିନର ସାକ୍ଷାତରେ ମୁଁ ତୁମ ସ୍ନେହରେ ବାନ୍ଧି ହୋଇ ଯାଇଥିଲି।ତୁମ ଭିତରେ ଥିବା ସେଇ ସରଳ ବାପା ମନଟା ମୋ ଭିତରେ ଗୋଟେ ଛାପ ସୃଷ୍ଟି କରିଥିଲା ଜେଜେ । ସେଇ ଦିନ ଠାରୁ ମୁଁ ଭୁଲି ନ ଥିଲି ତୁମକୁ କିନ୍ତୁ ଅସହାୟ ଥିଲି ଏବେ ଆଉ ମୋତେ କେହି ରୋକି ପାରିବେ ନାହିଁ ଜେଜେ "...
ହଁ ମୋର ବାରମ୍ବାର ଅନୁରୋଧ ପରେ ତୋ ଡାଡ୍ ଓ ମମ୍ ତୋତେ ବ୍ରତ କରିବାକୁ ରାଜି ହେଲେ।ତାଙ୍କ ମତରେ ଏଗୁଡିକ ଫାଲତୁକଥା ।ଏହାର ଏ ଯୁଗରେ କୌଣସି ଆବଶ୍ୟକତା ନାହିଁ।
ସେ ଯା ହେଉ ତୋର ବ୍ରତଘର କରି ମୁଁ ଯେଉଁ ଆନନ୍ଦ ଅନୁଭବ କରିଥିଲି ତାହା ଅବର୍ଣ୍ଣନୀୟ।ସେଇ ସାତଟା ଦିନ ଯାହା ତୋ ବାପା ମାଆ ମୋ ପାଖରେ ରହିଥିଲେ ବହୁ କଷ୍ଟରେ। ତାଙ୍କର ହୋଟେଲ ରୁମ ଦରକାର ଘର ନୁହେଁ।
" -ନା ଜେଜେ ସେମାନଙ୍କର ଅତ୍ୟାଧୁନିକ ଜୀବନ ଶୈଳୀ ଦରକାର। କ୍ଲବ ,ଲେଟନାଇଟ ପାର୍ଟି, ଆଲକୋହଲ ଦରକାର, ଘର ପିଲାଛୁଆ ଏ ସବୁ ଆଉଟ ଡେଟେଡ଼। ସେଥିପାଇଁ ତ ମୁଁ ସେମାନଙ୍କୁ ସବୁଦିନ ପାଇଁ ଛାଡି ଚାଲି ଆସିଛି......
କଣ.... ତୁ ସେମାନଙ୍କୁ ଛାଡି ଆସିଛୁ।ଜେଜେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ।??
ହଁ ମୁଁ ଆଉ ସେମାନଙ୍କ ପାଖକୁ ଫେରିବିନି। ମୋ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ।ସେମାନଙ୍କର ପରିବାର ପାଇଁ ପ୍ରତିବଦ୍ଧତା ନାହିଁ।ସେ ଖାଲି ଯନ୍ତ୍ର ମାନବ ଭାବରେ ବଞ୍ଚିବାକୁ ଚାହାଁନ୍ତି।ମୁଁ ତାଙ୍କ ସହିତ ଆଉ ବୁଝାମଣା କରିପାରିବିନି ।
ଜେଜେ ତାକୁ କୋଳକୁ ଭିଡି ନେଲେ, ଆରେ ବାଇଆଟା ତୁ ଯେତେ ହେଲେ ସେମାନେ ତୋର ବାପା ମାଆ।ତାଙ୍କ ଠାରୁ ଦୂରେଇ ଗଲେ ସେ ଯେଉଁ ଅସହ୍ୟ ଯନ୍ତ୍ରଣା ଭୋଗିବେ ସେଥିରେ ତୁ କଣ ଶାନ୍ତିରେ ରହି ପାରିବୁ।
ଆଉ ସେମାନେ ଯେଉଁ ତୁମ ଠାରୁ ଦୂରେଇ ଗଲେ ...... ସେମାନେ ତ ତୁମ କଥା ଚିନ୍ତା କରୁନାହାଁନ୍ତି ତୁମେ କାହିଁକି ସେମାନଙ୍କ ବିଷୟରେ ଭାବୁଛ।
ସେ କଥା ଛାଡ ଜେଜେ ଆମେ ଏବେ ଗାଁ ପାଖରେ ପହଞ୍ଚିବା ବୋଧହୁଏ।
ଜେଜେ କହିଲେ ହଁ ଆଉ କିଛି ସମୟ ପରେ ପହଞ୍ଚିଯିବା।
ଆଚ୍ଛା ତୁ ଜୟନ୍ତ ସହିତ କେମିତି ପରିଚିତ ହେଲୁ କହିଲୁ ?
ଜୟନ୍ତ କହିଲା ଜେଜେ ମୁଁ କହୁଛି, ସମ୍ଭବ ଆଉ ମୁଁ ଏଇ ଅଳ୍ପ ଦିନ ହେଲା ସୋସିଆଲ ମିଡ଼ିଆରୁ ପରିଚିତ ହେଲୁ।ତମେ ତ ଜାଣିଛ ମୁଁ ସମାଜ ସେବା କରିବା ପାଇଁ ଗୋଟିଏ ଏନ୍.ଜି.ଓ ସହିତ ସଂଶ୍ଲିଷ୍ଟ ଅଛି।ସେଇ ସଂସ୍ଥା ପ୍ରାୟ ସବୁ ବୃଦ୍ଧାଶ୍ରମ ଓ ଅନଥାଶ୍ରମ ନାରୀସୁରକ୍ଷା ପାଇଁ ସବୁବେଳେ କାର୍ଯ୍ୟରତ।ସେଇ ସବୁ ଗୃପ ମାନଙ୍କର ଗୋଟିଏ face book ଆକାଉଣ୍ଟ ଖୋଲା ଯାଇଛି ସେଥିରେ ଅନେକ ବଦାନ୍ୟ ବ୍ୟକ୍ତି ନିଜର ସହଯୋଗ ଦିଅନ୍ତି।ଏଇ କିଛିଦିନ ତଳେ ସମ୍ଭବ ସେଇ ଗ୍ରୁପ ମାଧ୍ୟମରେ ମୋତେ ଚିହ୍ନିଲା।ଆଉ ଏମିତି କଥା ହେଉ ହେଉ ସେ ତୁମ ଗାଁ ବିଷୟରେ ପଚାରିଲା।
ମୁଁ ଯେହେତୁ ତୁମ ଗାଁ ସେଇଟା ବୋଲି ଜାଣିଥିଲି, ତାକୁ ତୁମ କଥା କହିଲି। ତୁମ ଫଟ ଦେଖି ସେ ଚିହ୍ନିଗଲା।ଏବଂ ସଙ୍ଗେ ସଙ୍ଗେ ଭାରତ ଆସିବା ପାଇଁ ପ୍ରସ୍ତୁତ ହୋଇଗଲା। ମୁଁ ଯାହା ଗାଁର କେତେଜଣ ସଦସ୍ୟଙ୍କ ଠାରୁ ତଥ୍ୟ ପାଇଲି।ଆପଣଙ୍କ ପୁଅ ଯେତେ ଚେଷ୍ଟା କଲେ ମଧ୍ୟ ଗାଁ ଲୋକ ଘର ବିକ୍ରି କରେଇ ଦେଲେ ନାହିଁ।ତେଣୁ ସେ ଘର ଏବେ ମଧ୍ୟ ଅପଣଙ୍କର ଅପେକ୍ଷାରେ ଅଛି।
ଏବେ ଆସି ସାରିବା ପରେ ଆଉ ସେଠାକୁ ଫେରିବନି ବୋଲି କହିଲାଣି।ଜାଣିଛ ଜେଜେ ତୁମ ପୁଅ ବୋହୂ ସିନା ନିଜକୁ ଭାରତୀୟ କହିବାକୁ ଲଜ୍ଜ୍ୟା ବୋଧ କରୁଛନ୍ତି କିନ୍ତୁ ସମ୍ଭବ ଜଣେ ଭାରତୀୟ ଭାବେ ଗର୍ବ ଅନୁଭବ କରୁଛି।
ଜେଜେ କହିଲେ, ତୋତେ ମୁଁ କେମିତି ଧନ୍ୟବାଦ ଦେବି ଶବ୍ଦ ପାଉନି ଜୟନ୍ତ।ତୋତେ ଭଗବାନ ସବୁବେଳେ ସହାୟ ହୁଅନ୍ତୁ।ତୁ ମୋ ଶେଷ ଜୀବନକୁ ସୁଖମୟ କରିଦେଲୁ।
ହଉ ହଉ ହେଲା ଆମେ ଏବେ ଗାଁ ମୁଣ୍ଡରେ ପହଞ୍ଚି ଗଲେ ଜୟନ୍ତ କହିଲା।
ପଦ୍ମନାଭ ମିଶ୍ର, ଜଣେ ସୁନାମଧନ୍ୟ ଶିକ୍ଷକ । ଗାଁରେ ତାଙ୍କର ଅନେକ ସୁଖ୍ୟାତି।ଅନେକ ଛାତ୍ର ଛାତ୍ରୀ ତାଙ୍କ ପାଖରେ ପାଠ ପଢି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ।
ପୁଅ ଉପରେ ଅଭିମାନ କରି ସାର ସିନା ବୃଦ୍ଧାଶ୍ରମ ରେ ରହିବାକୁ ଚାଲିଗଲେ ଅନ୍ୟ ମାନେ ତାଙ୍କ ଘରକୁ ସୁରକ୍ଷିତ ରଖି ଅପେକ୍ଷା କରିଛନ୍ତି।
ସତରେ ସାର ଆସିଲେ....... ପୁଣି ସେ ଘର ହସି ଉଠିଲା, ଗାଆଁ ମାଟିର ମଣିଷ ,ତାର ଶୋଭାଶିରୀକୁ
କେବେ ଭୁଲିଛି ନା ଭୁଲିବ।
***************
ହେଲୋ ମମ, ସମ୍ଭବ କହୁଛି !!
"ହଁ କହ ସମ୍ଭବ, କଣ ମନ ବୁଝିଗଲା ତ, ଆଇ ମିନ ଇଣ୍ଡିଆ ଇଜ ନଟ ସୁଇଟେବଲ ଫର ଲିଭିଂ। ହା ହା ହା .... then sure you are returning shortly.
No Mom you are wrong. I want to stay here.
Ok my son.. Stay some more days.
No Mom ...."I think forever".
What....... You're mad.....ସମ୍ଭବ ଫୋନ କାଟିଦେଲା।
ନା ମମ୍ ମୁଁ ନୁହେଁ ତୁମମାନଙ୍କର ପାଗଳାମି ପାଇଁ ଆଜି ମୁଁ ଏକା ହୋଇଯାଇଛି। ଆଉ ମୁଁ କେବେ ବି ତୁମକୁ ଆଉ ଡାଡ୍ ଙ୍କୁ କ୍ଷମା କରି ପାରିବିନି।
ତୁମେ ତୁମ ହାଇ ସୋସାଇଟିକୁ ନେଇ ମଡର୍ଣ୍ଣ ଲାଇଫ ଷ୍ଟାଇଲରେ ରୁହ, ମୋର ସେ ସବୁ କେବେ ପସନ୍ଦ ନ ଥିଲା କି ଆଗକୁ ହେବନି।ମୁଁ ସାଧାରଣ ଭାବରେ ଅସାଧାରଣ ଜୀବନ ଜୀଇଁ ବାକୁ ଚାହେଁ... ଶାନ୍ତିରେ ରହିବାକୁ ଚାହେଁ .....
*********
ସମାପ୍ତ