ଆଖି କ୍ୟାମେରା
ଆଖି କ୍ୟାମେରା


ମାନି ବାହାହୋଇ ବିଦା ହେଲାବେଳୁ ଆଜି ଯାଏଁ ତା ଆଖିରୁ ଲୁହ ଶୁଖିନି ବରଂ ପୋଡୁଛି ଆଖି ଦୁଇଟି.ହେଲେ କିଏ ଅଛି ଏଠି ଆଫା କରିଦେବ ତା ଆଖିପତା ଉପରେ?ବୋଉ ପରି ତା କାନିକୁ ଥରକୁ ଥର ପାଟିରେ ଫୁଙ୍କି ସେହି ଉଷ୍ମତାକୁ ଆଖିରେ ମାରିଦେଇ ଆ.. ଫ୍ଫା କହିଦେଲେ ଆଖି ଦୁଇଟିରେ ପଡ଼ିଥିବା ଗୁଣ୍ଡ ଚାଲିଯାଏ ତାର ମନକୁ ମନ ଯେମିତି . ସତରେ କଣ ଗୁଣ୍ଡ ପଡିଥାଏ ତା ଆଖିରେ? ନା ବରଂ ଅଭିନୟ କରିବାକୁ ପଡେ ତାକୁ ଥରକୁ ଥର ବୋଉକୁ କୁଣ୍ଢେଇ ଟିକେ ଉଷ୍ମତା ପାଇବାକୁ ତାର. ଖାଲି କଣ ବୋଉର!ବୋଉ ପିଆଜ କାଟିଲେ ତାର ନାଟକ ଆରମ୍ଭ ହୋଇଯାଏ ଆଖି ପୋଡ଼ିଲା ପୋଡ଼ିଲା କହେ ଏମିତି ଯେ ବାପା ଦଉଡି ଆସନ୍ତି ଓ ବୋଉକୁ ତାଗିଦା କରୁଥାନ୍ତି ପିଲାଟା ନଥିଲା ବେଳେ ପିଆଜ କାଟିବା ଓ ବାଟିବା କାମଟା ସାରିଦେବାକୁ ହେଉନି ତୁମ ଦ୍ୱାରା!ଆସିଲୁ ଆସିଲୁ ମାଆ କହି ବାପା ତାଙ୍କ ଗାମୁଛାରେ ଥରକୁ ଥର ତାଙ୍କ ପାଟିର ଉଷ୍ମତାକୁ ଆ....ଫ୍ଫା ବୋଲି କହି ଆଖିରେ ମାରି ଦେଲେ ସତେ ଯେମିତି ଜୀବନର ସବୁକିଛି ପାଇଯାଏ ମାନି. ବାହାହେଲା ପରଠୁ ସେ ଖୋଜୁଛି ସେଇ ଆଫ୍ଫା, ହେଲେ ପାଉନି କୋଉଠି, କେବଳ କ୍ୟାମେରାରେ ବନ୍ଦୀ ହୋଇ ରହିଛି ମନ ଓ ହୃଦୟ ଭିତରେ .ଏଠି ଠାକୁ ଠା ବରାଦୀ ଟିଫିନ ଓ ରୋଷେଇବାସ ବେଳେ ପିଆଜ କାଟି ବାଟି,ଉଠିଲାଠୁ ପୁଣି ଶୋଇବାକୁ ଗଲା ଯାଏଁ ନାଟକ କି ଅଭିନୟରେ ନୁହେଁ ବରଂ ସତକୁ ସତ ଆଖି ପୋଡିଲେ ଲୁହ ବୋହି ପୋଡା ବନ୍ଦ ହେବା ସହ ବାପା ମାଆ ମନେପଡ଼ି ଗଡୁଥାଏ ଦୁଇ ଆଖିରୁ ଧାରା ଶ୍ରାବଣ ପରି ଲୁହ.
ଆଜି ତାକୁ ଡାକ୍ତରଖାନାକୁ ନିଆଯାଉଛି ତା ଅଜଣାତରେ ତା ଭୃଣର ଲିଙ୍ଗ ନିରୂପଣ ହେବ ଓ କନ୍ୟା ହୋଇଥିଲେ ତାକୁ ନଷ୍ଟ କରିଦିଆଯିବାର ବ୍ୟବସ୍ଥା କରାଯିବ. ହସ ଲାଗୁଥିଲା ମାନି କି. ତାକୁ ଲୁଚେଇବା କଣ ଦରକାର ଯେ!ସେ ନିଜେ ତ ଚାହେଁ ଝିଅ ନହେଉ କି ପାଠ ଶାଠ ପଢି ଶାଶୁଘକୁ ଯିବା ପରେ ଚାରିକାନ୍ଥରେ ଆବଦ୍ଧ ରହି ପିତା ମାତାଙ୍କ ସ୍ନେହ ଶ୍ରଦ୍ଧାକୁ ଭାଳି ଓ ମନେ ପକାଇ ଆଖି ଓଦା ନକରୁ.ଏଇତ ଡକ୍ଟରଙ୍କ ସଙ୍ଗେ ଚୁପ ଚୁପ କଣ କଥା ହେଉଛନ୍ତି ଶଶୁର ଆଉ ଶାଶୁ ତା ପିଠି ଆଉଁସି କହୁଛନ୍ତି ପିଲା କିପରି ଭଲରେ ଜନ୍ମ ହେବ ସେଇ ଚିନ
୍ତା ଆମକୁ. ଏବେଠୁ ଚେକ ଅପ ନକଲେ ଆଗକୁ ଅସୁବିଧା. ମାନି କିନ୍ତୁ ଝରକା ପଟେ ଦେଖୁଥିଲା ଅଧାମୃତ ଶିଶୁକନ୍ୟାମାନେ ଦୁନିଆଁର ଆଲୋକ ଦେଖିବା ପୂର୍ବରୁ କେମିତି ନର୍ସମାନଙ୍କ ହାତରେ ଥିବା ଟ୍ରେମାନଙ୍କରେ ସେଇ ଶୁଖିଲା କୂଅ ଭିତରକୁ ଆଗେଇ ଯାଉଛନ୍ତି. କ୍ୟାମେରା ଭିତରେ ଦୋଷୀ ହୋଇ ରହୁଥିବା ଏ ଡକ୍ଟରମାନଙ୍କୁ ଦେଖିଲେ ଏବେ ଭୟ ପାଏ ମାନି. ଏଇତ ଡକ୍ଟର ଆସିଗଲେଣି,ଯନ୍ତ୍ରପାତି ସବୁ ପ୍ରସ୍ତୁତ ଥିଲା. ମେସିନ ଯେମିତି ପେଟ ଉପରେ ଚାଲିଲା ଚିତ୍କାର କଲା ମାନି. ମୋର ଝିଅ ଦରକାର ଡକ୍ଟର. ଝିଅ ଘରର ଲଷ୍ମୀ. ଝିଅଟିଏ ଥିଲେ ରଜ କୁମାରପୂର୍ଣ୍ଣମୀ ଆଦି ପର୍ବରେ ଘରେ ଖୁସିର ମାହୋଲ ସୃଷ୍ଟି ହୁଏ. ତା ଛଡା ମୁଁ ମନଭରି ତା ଆଖିକୁ ଏମିତି ଆ...ଫ୍ଫା କରିଦେଇଥିବି ଯେ ଆଉ ଶାଶୁଘରେ ସେ କାନ୍ଦିବନି କି କାନ୍ଦିଲେ ମଧ୍ୟ ଆଖି ଖରାପ ହେବନାହିଁ. ମାନିର ମନ କେତେବେଳେ ଝିଅଟିଏ ପାଇଁ ଖୋଜିହେଲା ସେ ନିଜେ ଜାଣି ନଥିବା ବେଳେ ଡକ୍ଟର କହୁଥିଲେ ହେଲେ ଆପଣଙ୍କ ପେଟରେ ତ ପୁଅ ଅଛି. ଖୁସି ଖବରରେ ଖୁସିରେ ଶାଶୁ ଶଶୁରଙ୍କ ପାଦ ପାଞ୍ଚହାତରେ ପଡୁଥିଲା ବେଳେ ମାନି ଯେବେ ନିଶାର୍ଦ୍ଧରେ ଉଠିପଡ଼ି କାନ୍ଦୁଥିଲା ତ ସ୍ୱାମୀ କହୁଥିଲେ କାନ୍ଦିବା ଦରକାର ନାହିଁ. ତୁମ ପେଟରେ ମୋ ରାଜକୁମାରୀ ବଢୁଛି. ଡକ୍ଟର ମୋ ସାଙ୍ଗ ହୋଇଥିବାରୁ ବାପା ମାଆଙ୍କ ମନ ଖୁସି ପାଇଁ ମିଛ ନାଟକ କରିବାକୁ ପଡିଲା. ମାନିର ମନେ ହେଉଥିଲା ତା ବାପା ନିଜ କାନ୍ଧରୁ ଗାମୁଛା ଆଣି ପାଟିରେ ଫୁଙ୍କି ବାମ୍ଫ ଚାଲିଯିବା ଆଗରୁ ମାନି ଆଖିରେ ଆ...ଫ୍ଫା କରୁଥିଲେ. ସେ ଯେବେ ଡରି ଡରି ପଚାରୁଥିଲା ଆମର ଝିଅ ହେଲା ପରେ କଣ ହେବ? ହେବ ଆଉ କଣ?ଡକ୍ଟରତ ଆଉ ଇଶ୍ୱର ନୁହଁନ୍ତି କି ମେସିନ ସବୁବେଳେ ସତ କୁହେନି!ତା ଛଡା ଝିଅର ସେ କୁଆଁ କୁଆଁ ଡାକ ଶୁଣିଲା ପରେ ଆମ ଘରେ ଝିଅ ନଥିବା ଅଭାବ ପୁରଣ ହୋଇଯିବ ନା ନାହିଁ?ମୋ ବାପା ଓ ମାଆଙ୍କର!ମାନି ଆଜି ପ୍ରଥମ କରି ବୁଝିଥିଲା ଏ ଘରେ ତା ଆଖିକୁ ଆ..ଫ୍ଫା ନକହି ହୃଦୟକୁ ଆ...ଫ୍ଫା କରିଦେବା ଲୋକ ଜଣକ ତା ସ୍ୱାମୀ.ଆଗତ ଝିଅ ହେବା ସ୍ବପ୍ନ ଦେଖୁଥିଲା ମାନି.ଝିଅ ଆସିବା ଦିନ ଖୁସିରେ ଧରାରେ ମେଘ ବରଷୁ ଥିଲା ଟୁପୁ ଟୁପୁ ଓ ଝୁପୁ ଝୁପୁ.