ଆଇସୋଲେସନ୍ ବେଡ୍
ଆଇସୋଲେସନ୍ ବେଡ୍


କୃପାସିନ୍ଧୁ ବାବୁ ବହୁ ଅଭାବ ଅସୁବିଧା ସତ୍ତ୍ବେ ଯେନତେନ ପ୍ରକାରେ ମାଟ୍ରିକ ସିଟି ଯୋଗ୍ୟତା ହାସଲ କରି ସରକାରୀ ପ୍ରାଇମେରୀ ଶିକ୍ଷକରୁ ପ୍ରଧାନ ଶିକ୍ଷକ ହୋଇ ଅବସର ନେଇଥିଲେ। ତାଙ୍କୁ ଏବେ ବୟସ ପଚସ୍ତରୀରୁ ଛସ୍ତରୀ ବର୍ଷ ଭିତରେ। ଧଳା ଫରଫର ଚୁଟି।ଅଣ୍ଟା ସାମାନ୍ୟ ନଇଁ ଆସିଲାଣି।ଗଣ୍ଠିବାତ, ବହୁମୂତ୍ର, ଉଚ୍ଚ ରକ୍ତଚାପ, ମଝିରେ ମଝିରେ ଧଇଁ ପେଲା କାଶ।ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ମଧ୍ୟ ପୁରୁଣା କାଳିଆ ଲୋକବୋଲି ସବୁ ପିଠେଇ ନିଅନ୍ତି। ଆଉ ପେନସନ୍ ପଇସା ଯୋଗୁଁ ଔଷଧପଥି ଖାଇବାରେ ଅସୁବିଧା ନାହିଁ। ବର୍ତ୍ତମାନ ତାଙ୍କର ସବୁଠାରୁ ବଡ଼ ଆଶାବାଡି ଧର୍ମପତ୍ନୀ ଯଶୋଦା ଦେବୀ। କନିଆ ଦଶା ବର ତିରିଶା ନ୍ୟାୟରେ ଅର୍ଥାତ୍ ବରଠାରୁ କନ୍ୟା ସାନ ଥିଲେ ସେହି ଦାମ୍ପତ୍ୟ ଜୀବନ ସୁଖମୟ ହେବବୋଲି ବଡବଡୁଆ ମାନେ ସିଦ୍ଧାନ୍ତ କରିଛନ୍ତି। ଏହି ପରଂପରା ଏବେ କୃପାସିନ୍ଧୁ ବାବୁଙ୍କ ପାଇଁ ବିଶଲ୍ୟକରଣୀ ପରି କାମ ଦେଉଛି। ଯଶୋଦା ଦେବୀଙ୍କ ବୟସ ଏବେ ଷାଠିଏ ଭିତରେ। ଶାରିରୀକ ମାନସିକ ସ୍ତରରେ ଦକ୍ଷ ଥିବାରୁ କୃପାସିନ୍ଧୁଙ୍କର ସୁଖ ଜୀବନ ଜୀଇଁବାରେ କୌଣସି ଅସୁବିଧା ନାହିଁ। ଯଶୋଦା ଦେବୀ ମାଇନର୍ ପାସ୍ କରିଥିଲେ ମଧ୍ୟ ସବୁ ଲେଖାପଢା,ହିସାବ ନିକାଶ, ପୁରାଣ ଭାଗବତ, ଓଷା ବ୍ରତ ବହି ପଢିବାରେ ତାଙ୍କର ଏହି ସ୍ବଳ୍ପ ଯୋଗ୍ୟତା ପ୍ରତିବନ୍ଧକ ହୋଇ ନାହିଁ। କୃପାସିନ୍ଧୁ ବାବୁ ଜଣେ ଆଦର୍ଶ ନୀତିବାନ୍ ଶିକ୍ଷକ। ଚରିତ୍ର ପଞ୍ଜିକାରେ ଉପର ହାକିମଙ୍କର ଭୂରିଭୂରି ପ୍ରଶଂସା। ଚାକିରୀ ଜୀବନରେ ସେ ବହୁ ପିଲାଙ୍କୁ ଭଲ ମଣିଷ କରି ଗଢ଼ିଛନ୍ତି ।ଆଦର୍ଶ ଜୀବନ ଯାପନ ଅତିବାହିତ ସହିତ ପ୍ରାଇମେରୀ ଶିକ୍ଷକର ସ୍ବଳ୍ପ ଦରମାରେ କେବେ ଝୁଣ୍ଟି ପଡି ନାହାନ୍ତି। ରହିବା ପାଇଁ ଛୋଟ ଦୁଇ ବଖରା କୋଠା ଘର ସହିତ ରୋଷେଇ ଘର,ଠାକୁର ଘର ଆଉ ପଦାରେ ବସାଉଠା କରିବା ପାଇଁ ଆଜବେଷ୍ଟସରେ ତିଆରି ଚଉପାଢି।ଘରଭିତରେ ଲାଟ୍ରିନ୍ ବାଥ୍ ରୁମ ନଥିଲା। ପୁଅକୁ ବାହାକଲା ବେଳକୁ ଶିକ୍ଷିତା ବୋହୂର ଅସୁବିଧା ହେବ ଭାବି ଛାତ ଉପରେ ପାଣିଟାଙ୍କି ସହିତ ଆଟାଚ୍ ଲାଟ୍ରିନ୍ ବାଥ୍ ରୁମ ତିଆରି କଲେ।
ବହୁ ଦିଅଁଦୁବ କରି ଦୁଇ ପ୍ରାଣୀ ପୁଅଟିଏ ପାଇଥିଲେ। ଏଥିପାଇଁ ଯଶୋଦା ଦେବୀଙ୍କୁ ସମାଜରୁ ବହୁ ଅପବାଦ ସହିବାକୁ ପଡ଼ିଥିଲା। ପେଟରୁ ଦେହରୁ କାଟି ପୁଅକୁ ମଣିଷ କରାଇବାରେ ଦୁଇ ପ୍ରାଣୀ କେବେ ଅବହେଳା କରି ନାହାନ୍ତି। ବାପାଙ୍କ ହେପାଜତରେ ପୁଅ ମଧ୍ୟ ମେଧାବୀ ଛାତ୍ରଭାବରେ ସୁନାମ ଅର୍ଜନ କଲା। ରାଉରକେଲା ନିଟ୍ ରୁ କ୍ୟାମ୍ପସ୍ ପାଇ ଏକ ବହୁରାଷ୍ଟ୍ରିୟ କଂପାନୀରେ ବାର୍ଷିକ ବାରଲକ୍ଷ ପ୍ୟାକେଜରେ ବେଙ୍ଗାଲୁରୁ ସିଟିରେ ଜଏନ୍ କଲା।ବାପାମାଙ୍କର ଆନନ୍ଦ କହିଲେ ନସରେ। କୃପାସିନ୍ଧୁ ବାବୁ ଉପରକୁ ହାତଟେକି ଭଗବାନଙ୍କ ପାଖରେ ଶରଣ ପଶିଲେ। ମା ଯଶୋଦା ଦେବୀ ଠାକୁର ଘରେ ଅଧିଆପଡି ଜଣାଇଲେ "ମା ମଂଗଳା ମୋ ପୁଅକୁ ଘଂଟ ଘୋଡାଇ ରଖ। ଆଉ କିଛି ମାଗୁନାହିଁ, ଭଲ ଝିଅଟିଏ ମାଗୁଛି ପୁଅର ବାହାଘର କରିବି। ।"
କୃପାସିନ୍ଧୁ ବାବୁ, ଯଶୋଦା ଦେବୀଙ୍କ ଆତୁର ପ୍ରାର୍ଥନା ବୋଧହୁଏ ଠାକୁର ଶୁଣିଲେ। ଚାକିରୀ କରିବାର ଅଳ୍ପ ଦିନ ମଧ୍ୟରେ ସେହି କଂପାନିର ସୁଶ୍ରୀ ଅଣଓଡିଆ ତରୁଣୀଙ୍କ ସହିତ କୃପାସିନ୍ଧୁ ବାବୁଙ୍କ ପୁଅ ଅବିନାଶଙ୍କର ପରିଚୟ ହେଲା। ସେହି ପରିଚୟ କ୍ରମଶଃ ପ୍ରେମ ଓ ପ୍ରେମରୁ ଜୀବନ ସାଥୀ ବନିବାର ଦ୍ରୁମଟିଏ ହେଲା। ଅବିନାଶ ଜାଣନ୍ତି ଏହି ପ୍ରସ୍ତାବରେ ଆଦର୍ଶ ଶିକ୍ଷକ ରକ୍ଷଣଶୀଳ ମୋର ବାପା ସମ୍ମତି ଦେବେ ନାହିଁ। ତେଣୁ ମା ହିଁ ଭରସା। ଫୋନ୍ କରି ଅବିନାଶ ମା ଙ୍କୁ କହିଲେ, " ମା! ମୋ ବାହାଘର ପାଇଁ ତୁ ବହୁତ ବ୍ୟସ୍ତ ହେଉଥିଲୁନା? ଖଡୀରତ୍ନ ଙ୍କୁ ଡାକି ଜାତକ ଗଣେଇ ଗଣେଇ ମେଳକ ହେଉ ନ ଥିବାରୁ ତୁ ମନ ଉଣା କରୁଥିଲୁ? ତୋ ପାଇଁ ମୁଁ ବୋହୂଟିଏ ଠିକ୍ କରି ଦେଇଛି। ଝିଅଟି ଅଣଓଡିଆ ହେଲେ ବି ରୂପରେ ଗୁଣରେ କେଉଁଥିରେ ବାହୁନି ପାରିବୁନି। ହଁ ଝିଅଟି ମଧ୍ୟ ଆନୁଆଲ୍ ଆଠଲକ୍ଷ ପ୍ୟାକେଜରେ ଆମ କଂପାନିରେ ଜଏନ୍ କରିଛି। ଆମ ଦୁହିଁଙ୍କ ଇନକମ୍ ରେ ଦୁଇ ଚାରି ବର୍ଷ ମଧ୍ୟରେ ଆମେ ବେଙ୍ଗାଲୁରୁ ହେଉ କି ଭୁବନେଶ୍ବର ହେଉ ଭଲ ଜାଗାରେ ଗୋଟିଏ ପ୍ଲଟକିଣି ଆଲିସାନ୍ ବଙ୍ଗଳା ଟିଏ କରିବା। ଆଉ ଗାଁରେ ରହିବାନି। ତୁ ଖାଲି ହଁ କରି ବାପାଙ୍କୁ ରାଜି କରେଇ ଦେ।ପୁଅର କଥା ଶୁଣି ମା ଯଶୋଦା ଦେବୀ ସ୍ତବ୍ଧ ହୋଇ ଗଲେ। ପୁଣି ମନକୁ ବୁଝାଇଲେ " ଗୋଟିଏ ବୋଲି ପୁଅ। କେତେ ଦିଅଁ ଦେବତା ରେ ପାଇଛି। ତା ଖୁସି ରେ ଆମ ଖୁସି। " କୌଣସିମତେ କୃପାସିନ୍ଧୁ ବାବୁଙ୍କୁ ରାଜିକରାଇ ତିଥିବାର ଦେଖି ବାହାଘରର ଆୟୋଜନ ପାଇଁ ମାନସିକ ପ୍ରସ୍ତୁତି ହେଲା ବେଳକୁ ଅବିନାଶ ଜଣାଇ ଦେଲେ " ମା! ବାହାଘର ଗାଁରେ କରିବାନି।ଝିଅଘର କହୁଛନ୍ତି ଏଇ ବେଙ୍ଗାଲୁରୁ ସିଟିର ଏକ ଷ୍ଟାର୍ ହୋଟେଲରେ କରିବା ପାଇଁ। କାଳେ ହୋଟେଲ ପଛକୁ ମିଳିବନି ସେମାନେ ସେହି ଆଶଙ୍କାରେ ଆଡଭାନ୍ସ ବୁକିଂ କରିସାରିଲେଣି। ଏକ ସଙ୍ଗେ ରିଂ ସେରିମୋନୀ ସହିତ ମ୍ୟାରେଜ ପାର୍ଟି।ମୁଁ ଭାବୁଛି ସେମାନେ ଠିକ୍ କହୁଛନ୍ତି। ଆମର ଘର ଛୋଟ। ଗାଁ ରେ ସବୁ ଫାସିଲିଟିଜ୍ ନାହିଁ।
ମୋର ସାଙ୍ଗ ସାଥି ମାନଙ୍କୁ ନେଇ ସେଠି ଅପ୍ରସ୍ତୁତ ହେବା ଅପେକ୍ଷା ଏଠି ସୁବିଧାରେ ସୁବିଧାରେ କାମ ସାରିଦେବା ଭଲ।" ପୁଅ ଠାରୁ ଏଭଳି କଥା ଶୁଣି ଯଶୋଦା ଦେବୀ ଙ୍କ କଣ୍ଠରୋଧ ହୋଇଗଲା। ପାଟି ଖନି ବାଜି ଗଲା। ଖନେଇ ଖନେଇ ଅସହାୟ କଣ୍ଠରେ କହିଲେ, " କିରେ ଅବନୀ! ତୁ ଏ କଣ କହୁଛୁ? ମୋର କୁଟୁମ୍ବ ବାଟମ୍ବ, ସାଇ ପଡିଶା ସବୁ ଚାହିଁ ରହିଛନ୍ତି। ତୋର ବାହାଘର ଭୋଜି ଖାଇବେ।ତୁ ଏମିତି କାମ କଲେ ସମସ୍ତେ କଣ କହିବେ? ସହଜେତ ତୋର ବାପାଙ୍କ ଅବସ୍ଥା ଭଲ ନାହିଁ। ଏହି ଅବସ୍ଥାରେ ମୁଁ ତାଙ୍କୁ କେମିତି ଏତେ ବାଟକୁ ନେବି? ଠିକ୍ ଅଛି। ତୋ ଖୁସି ରେ ଆମ ଖୁସି। ବାପାଙ୍କୁ ଜଣାଏ।ସେ କଣ କହୁଛନ୍ତି। " ଅବିନାଶ ମା କଥାରୁ କିଛି ଭରସା ପାଇ ସାମାନ୍ୟ ଆସ୍ବସ୍ତ ହେଲେ।କିଛି ଟେନସନ୍ ଓହ୍ଲାଇ ଗଲା।
ତେଣେ କୃପାସିନ୍ଧୁ ବାବୁ ବାହାଘର ଉତ୍ସବକୁ କେମିତି ଆଡମ୍ବର ସହକାରେ କରିବେ,ଗାଁ ଲୋକଙ୍କ ଆଖି ଝଲସାଇ ଦେବେ ସେହି କଳ୍ପନାରେ ଉବୁଟୁବୁ।ଆଗ ଅପେକ୍ଷା ଏଇ କିଛି ଦିନହେଲା ରକ୍ତଚାପ କମିଯାଇଛି ସୁଗାର୍ କଣ୍ଟ୍ରୋଲରେ ଅଛି।ଯଶୋଦାଙ୍କୁ ଡାକି କୃପାସିନ୍ଧୁ ବାବୁ କହିଲେ " ହଇଓ,ତୁମକୁ କଣ କିଛି ଜଣା ଅଛି କି ନାହିଁ? ଆମ ବେଳକାଳ ଅଲଗା ଥିଲା। ଏବେର ଆଦବକାଇଦା ବଦଳିଛି। ଆମେ ଗାଁ ରେ ରହିଛେ।ପୁଅର ପ୍ରେଷ୍ଟିଜ୍ ଅନୁଯାୟୀ ସବୁ କାମ କିପରି ଯାକଯମକରେ ହେବ, ସହରୀ ଟେଣ୍ଟ୍ ବାଲା,ଲାଇଟ୍ ବାଲା,ଭିଡିଓ ବାଲା, ବାଣରୋଷଣୀ, ଭଲ କ୍ୟାଟରିଂ ବାଲା.. ବରାଦ କରିବାର ଅଛି। ତୁମ ଭାଇ ଦୁହିଁଙ୍କୁ ଖବର ଦିଅ।ସେମାନେ ଆସିଲେ ସବୁ କଥା ଆଲୋଚନା ହେବ। ଗାଁ ରେ ମୋ କଥା କୁ କେହି ତଳେ ପକାଇ ଦେବେ ନାହିଁ। ଯୁବକ ସଂଘ ପିଲା ସବୁ କାମରେ ସାହାଯ୍ୟ କରିବେ। ଟଙ୍କା ପଇସା ପାଇଁ ଚିନ୍ତା କରନାହିଁ ।
ପୁଅ ନୂଆକରି ଚାକିରୀ ଆରମ୍ଭ କରିଛି। ଦୁଇ ମାସର ଦରମା ମୋ ଆକାଉଣ୍ଟ୍ କୁ ପଠାଇଛି
ତୁମ ନାମରେ ଯେଉଁ ଫିକ୍ସ ଡିପୋଜିଟ ଅଛି ତାକୁ ଭାଙ୍ଗି ଦେବା। ତେଣୁ ଚିନ୍ତା କାହିଁକି କରୁଛ? " କୃପାସିନ୍ଧୁ ବାବୁଙ୍କ ଠାରୁ ଏସବୁ କଥା ଶୁଣି ଯଶୋଦା ଦେବୀ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ପଣତକାନିରେ ମୁହଁ ଲୁଚାଇ କଇଁ କଇଁ କାନ୍ଦି ଘର ଭିତରକୁ ପଶିଗଲେ। କୃପାସିନ୍ଧୁ ବାବୁ ଭାବିଲେ ଅଣଓଡିଆଣୀ ଝିଅ ପାଇଁ ଯଶୋଦା ବୋଧହୁଏ ମନ ଉଣା କରୁଛନ୍ତି। ପାଖକୁ ଯାଇ କହିଲେ, " କଣ ହେଲା? କାହିଁକି ଦୁଃଖ କରୁଛ
ଓଡିଆ ହେଉ କି ଅଣଓଡିଆ ହେଉ, ଝିଅ ଟି ଆମ ଭାରତୀୟ। ସଫ୍ଟୱେର ଇଞ୍ଜିନିୟର ମାନେ ବିଦେଶୀନୀଙ୍କୁ ବାହା ହେବା ଗୋଟେ ଷ୍ଟାଇଲ୍ ହୋଇଗଲାଣି।ଆମ ପୁଅ ତ ସେମିତି କିଛି କରିନି।କ୍ୟାରିୟର ପାଇଁ ସେମାନଙ୍କ ସିଦ୍ଧାନ୍ତ କିଛି ମନ୍ଦ ନୁହେଁ ବୋଲି ମୋତେ ତ ତୁମେ ବୁଝାଇ ଦେଲ।ପୁଣି କଣ ହେଲା?" ଯଶୋଦା ଦେବୀ ସାହାସ ସଞ୍ଚୟ କରି ଯାହା କହିଲେ, କୃପାସିନ୍ଧୁ ବାବୁଙ୍କ ପାଦ ତଳର ମାଟି ଖସି ଗଲା। ନିଜକୁ ସମ୍ଭାଳି ନେଇ କହିଲେ, " ତାକୁ କହିଦିଅ,ଗାଁ ବ୍ୟତୀତ ମୁଁ ଅନ୍ୟ କୌଣସି ଯାଗା ରେ ବାହାଘର କରି ପାରିବି ନାହିଁ। " କୃପାସିନ୍ଧୁ ବାବୁ ବହୁତ ସ୍ବାଭିମାନୀ ଓ ନୀତିନିଷ୍ଠ ପ୍ରକୃତିର।କହିଥିବା କଥା କୁ ସେ କେବେ ଢୋକି ନାହାନ୍ତି ଜୀବନରେ।ଏକଥା ଭଲ ଭାବରେ ଯଶୋଦା ଦେବୀ ଅଙ୍ଗେ ନିଭାଇଛନ୍ତି ।ପୁଅକୁ ବୁଝାଇ କହିଲେ"ବାପାରେ ,ଗତ କାଲି ଠାରୁ ତୋ ବାପାଙ୍କ ଦେହ ହଠାତ୍ ବିଗିଡି ଯାଇଛି। ଥଣ୍ଡା କାଶରେ ପୁଣି ଧଇଁ ପେଲା ରୋଗ ବଢିଯାଇଛି। ଏଇ ଅବସ୍ଥାରେ ଆମେ କିପରି ଯିବୁ? ବରଂ ତୁ ଯେଉଁଥିରେ ଖୁସି ହେବୁ ସେହିପରି କର।ତୋର ଖୁସିରେ ଆମ ଖୁସି।
[ ] ମା' ଙ୍କ ଠାରୁ ଅବିନାଶ ସବୁ କଥା ଶୁଣି ଭାଙ୍ଗି ପଡିଲେ ବି କିଛି କରିବାର ଉପାୟ ନାହିଁ। ହୋଟେଲ ଆଡଭାନ୍ସଡ୍ ସରିଛି। ଯେଉଁ ବନ୍ଧୁମାନେ ବାହାରୁ ଆସିବେ ତାଙ୍କ ପାଇଁ ଫ୍ଲାଇଟ ଟିକେଟ୍ ବୁକିଂ ହୋଇସାରିଛି ।କନ୍ୟାଘର ବାହାଘର ଶୀଘ୍ର ସାରିଦେବାର କାରଣ ବିଶ୍ୱ ମହାମାରୀ କରୋନା ଭାଇରସ୍ ସଂକ୍ରମଣ ଭୟ।ବିଶ୍ୱର ବିକଶିତ ଦେଶମାନଙ୍କରେ ଚାକିରୀ କରୁଥିବା ଭାରତୀୟ ମାନେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଫଳରେ ଭାରତରେ ସଂକ୍ରମଣର ଆଶଙ୍କା କରି ଭାରତ ସରକାର ଜନତା କର୍ଫ୍ଯୁ ଜାରି କଲେ। ସବୁ କିଛି ଓଲଟପାଲଟ ହୋଇ ଗଲା। ଜନତା କର୍ଫ୍ଯୁ ଦ୍ବାରା ସାରା ଭାରତ ସଂପୂର୍ଣ୍ଣରୂପେ ନୀରବି ଗଲା।ନିର୍ଜନତାର ବହଳତା ଭିତରେ ପ୍ରକୃତି କିଛି ଘଣ୍ଟା ପାଇଁ ଧୂଆଁ ଧୂଳିର ବିଷ ବଳୟରୁ ରକ୍ଷା ପାଇ ଶାନ୍ତିରେ ହାଇ ମାରିଲା। ସବୁ କିଛି ଠପ୍।କୌଣସି ଉପାୟରେ ବିନା ଗହଳି ଚହଳିରେ ଅବିନାଶଙ୍କ ଜୀବନର ଶ୍ରେଷ୍ଠ ଦିନଟି ବଡ କରୁଣ ପରିସ୍ଥିତିରେ ସଂପାଦିତ ହେଲା। କରୋନା ସଂକ୍ରମଣର ଅଜଣା ଆତଙ୍କ ସାରା ଭାରତକୁ ଗ୍ରାସ କରିବାକୁ ଲାଗିଲା। ଅବିନାଶ ଆସ୍ତେ ଆସ୍ତେ ସମସ୍ୟାର ପଂଝା ଭିତରକୁ ଠେଲି ହୋଇ ଗଲେ। କରୋନା ଭାଇରସ୍ ର ବୁଲେଟିନ୍ ଭାରତୀୟଙ୍କୁ ହତଚକିତ କଲା ଯେଉଁ ଦିନ ଜଣା ପଡିଲା କୋଭିଡ 19ରେ ଭାରତର କେତେଜଣ ରକ୍ତନମୁନା ପରୀକ୍ଷଣରେ ପଜିଟିଭ ଅଛନ୍ତି। ସରକାର ସଜାଗ ହେଲେ ।ଏକୋଇଶ ଦିନ ପାଇଁ ଭାରତକୁ ଲକ୍ ଡାଉନ୍ ଘୋଷଣା କଲେ। କଂପାନି ପକ୍ଷରୁ ପ୍ରକାଶ ପାଇଲା ଅଫିସ ଆସିବା ପରିବର୍ତ୍ତେ ତାଲାବନ୍ଦୀ ଘରେ ରହି କାର୍ଯ୍ୟ କର। କଂପାନିର ମେସେଜ ନବ ଦଂପତ୍ତିଙ୍କପାଇଁ ସୁଖକର ହେଲେ ମଧ୍ୟ ଆଗକୁ ଯାହା ଘଟିଲା ନବ ଦଂପତ୍ତି ଙ୍କ ହୋସ୍ ଉଡିଗଲା। ଯେଉଁ ଘରେ ଭଡାରେ ରହୁଥିଲେ ସେହି ଘରର ମାଲିକ ଚାଇନାର ଉହାନ୍ ସହରରେ ଡାକ୍ତର ଥିଲେ। କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସେ ଭାରତ ଚାଲି ଆସିଲେ।କରୋନା ପରୀକ୍ଷାରେ ନେଗେଟିଭ୍ ଆସିଥିଲେ ମଧ୍ୟ କ୍ବାରେନଟାଇନ୍ ରେ ରହିବା ପାଇଁ ସରକାର ତାଙ୍କୁ ନିର୍ଦ୍ଦେଶ ଦେଲେ। ପାଖ ପଡୋଶୀ ଭୟ ଓ ଆଶଙ୍କାରେ ସେ ଯାଗା ଛାଡିବାକୁ ଲାଗିଲେ।ଅବିନାଶ ସେହି ଭଡା ଘର ଛାଡି ଅନ୍ୟ ଭଡାଘର ନେବାକୁ ଚାହିଁଲେ ମଧ୍ୟ ପାଇଲେ ନାହିଁ। ସବୁ ଉପାୟ ଶେଷ ହୋଇଗଲା ପରେ ଅବିନାଶ ବାବୁଙ୍କର ଗାଁ କଥା ମନେ ପଡିଲା। Sky scanner app ମାରି ଦେଖିଲେ ବେଙ୍ଗାଲୁରୁ ଭୂବନେଶ୍ବର ଶେଷ ଫ୍ଲାଇଟ ଅଛି।ତାପରେ ବିମାନ ସେବା ବନ୍ଦ। ଭାଗ୍ୟକୁ ଦୁଇଟି ଟିକେଟ୍ ଫାଙ୍କା ଅଛି। ସଙ୍ଗେ ସଙ୍ଗେ ଅନଲାଇନ ମାଧ୍ୟମରେ ଟିକେଟ ବୁକିଂକରି ଦରକାରୀ ଜିନିଷ ପ୍ୟାକ୍ କରି କେମ୍ପାଗୌଡା ଏୟାର୍ପୋର୍ଟ ବାହାରି ପଡିଲେ।ସଂଗରେ ।ଅଣଓଡିଆଣୀ ଧର୍ମପତ୍ନୀ। ମୁହଁରେ ମାସ୍କ ହାତରେ ଗ୍ଳୋବ୍ସ।କରୋନା ପାଇଁ ଏଆରପୋର୍ଟ ଚେକିଂ କଡାକଡି। ସାମାନ୍ୟ କାଶ ଛିଂକ ହେଲେ ପଦେ ପଦେ ବିପଦ ।ସ୍କାନିଂରେ ସାମାନ୍ୟ ସନ୍ଦେହ ହେଲେ ଚଉଦ ଦିନ ପାଇଁ ବନ୍ଦୀ।ଅବିନାଶ ଭୁବନେଶ୍ବର ଏଆରପୋର୍ଟରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ଛଅ। ଲକ୍ ଡାଉନ୍ ଦୁଇ ଘଣ୍ଟା କୋହଳ ଅଛି। ଏଇ ଦୁଇ ଘଣ୍ଟା ଭିତରେ ତାଙ୍କୁ ଗାଁରେ ପହଞ୍ଚି ବାକୁ ପଡିବ। ଭାଗ୍ୟକୁ ଓଲା କାର୍ ଟିଏ ମିଳିଗଲା। ବାଟ ସାରା ଚେକିଂ ହୋଇ ହୋଇ ଗାଁ ରେ ପହଞ୍ଚିଲା ବେଳକୁ ରାତି ନଅ।
ଗାଁ ରେ ସୋର ଶଦ୍ଦ ନାହିଁ। କରୋନାର କୋକୁଆ ଭୟରେ ତାଟି କବାଟ ବନ୍ଦ। ଗାଁ ଭିତରକୁ ପଶିବାର ମୁଖ୍ୟରାସ୍ତା କାଠର ଆଡିଦ୍ବାରା ବନ୍ଦ। ଦୁଇପାର୍ଶ୍ବରେ ଗଉଡିଆ ଠେଙ୍ଗାଧରି ଦୁଇ ଜଣ ବଳିଷ୍ଠ ଯୁବକ ସଦର୍ପେ ଠିଆ ହୋଇଛନ୍ତି। ଅବିନାଶ ଗାଡିରୁ ଓହ୍ଲାଇ ପଡି ଖୁସି ରେ କହିଥିଲେ," କିରେ ସାଙ୍ଗମାନେ, ଏଠି ସବୁ କଣ କରୁଛ? ରାସ୍ତା କାହିଁକି ବନ୍ଦକରିଛ ?" ଅବିନାଶ କୁ ଦେଖି ସାଙ୍ଗମାନେ ଖୁସି ହେଲେ ମଧ୍ୟ ପାଖକୁ କେହି ଗଲେ ନାହିଁ। ବରଂ କହିଲେ- ଗାଁ ପଞ୍ଚାୟତର ଆଦେଶ ନମିଳିଲା ପର୍ଯ୍ୟନ୍ତ ତୁମକୁ ଗାଁ ଭିତରକୁ ଛଡା ଯିବ ନାହିଁ। ଘଟଣାଟା କ୍ଷିପ୍ର ବେଗରେ ଗାଁରେ ପ୍ରଚାର ହୋଇ ଗଲା। ପଞ୍ଚାୟତର ମୁଖିଆମାନଙ୍କ ମଧ୍ୟରେ କୃପାସିନ୍ଧୁ ବାବୁଙ୍କର ମଧ୍ୟ ସମ୍ମାନ ଅଛି। ଗାଁ ବାହାରେ ଅବିନାଶ ଓ ନବବଧୂ ଅଟକ ରହିଥାନ୍ତି। ଯଶୋଦା ଦେବୀଙ୍କ ମନ କୁରୁଳି ଉଠୁଥିଲା ପୁଅ ବୋହୂଙ୍କୁ ସଙ୍ଖୋଳିବା ପାଇଁ। ବନ୍ଦାପନା କରିବା ପାଇଁ ରୂପା ଥାଳିରେ ଦୀପ,ଅକ୍ଷତ,ହଳଦୀ ଗୁଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଡ କରି ନିଜକୁ ପ୍ରସ୍ତୁତ କଲେ ଯଶୋଦା ଦେବୀ। ଖୁସି ରେ ଗୋଡ ତଳେ ନ ପଡୁଥିବା ମା ପୁଅ ଘରଟିକୁ ସଜାଡି ଦେଲେ। ଗାଁ ବାଲା କୃପାସିନ୍ଧୁ ବାବୁଙ୍କୁ ଡାକିବାରୁ ସେ କହିଥିଲେ- ଆପଣ ମାନେ ଯାହା ନିଷ୍ପତ୍ତି ନେବେ ମୁଁ ସେଥିରେ ଏକମତ।ଶେଷରେ ପଞ୍ଚାୟତ ନିଷ୍ପତ୍ତି ଦେଲା- ଯେହେତୁ ଅବିନାଶ ଏଇ ଗାଁ ର ଜଣେ ମେଧାବୀ ଛାତ୍ର ଓ କୃପାସିନ୍ଧୁ ବାବୁଙ୍କ ପୁଅ ତଥା ସଂଗରେ ନବବଧୂ ଥିବାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗାଁ ରେ ପ୍ରବେଶ କରିବାର ଅନୁମତି ମିଳିବ।ସାଙ୍ଗ ଯୁବକମାନଙ୍କ ଅନୁରୋଧ କ୍ରମେ ଅବିନାଶ ଗ୍ରାମ ଡାକ୍ତରଖାନା ଗଲେ। ଡାକ୍ତର ବାବୁ ଉଭୟଙ୍କୁ ଟିକିନିଖି ପରୀକ୍ଷା କରିବା ପରେ ରିପୋର୍ଟ ଭଲ ଦେଲେ। ପଞ୍ଚାୟତର ଅନୁମତି ପରେ ଗୃହ ପ୍ରବେଶ କଲେ ନବଦମ୍ପତି। ପିତାଙ୍କର ପଦସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କଲେ। ନିର୍ବିକାର କୃପାସିନ୍ଧୁ ବାବୁଙ୍କ କରୁଣାର ହାତ ଦୁଇଟି ଆପେ ଆପେ ଉଠିଗଲା।ମା ଯଶୋଦା ଦେବୀ ବିଧିବିଧାନ ପାଳି ପୁଅ ବୋହୂଙ୍କୁ କୋଳେଇ ନେଲେ।
କୌଣସି ମତେ ସେଦିନ ରାତିଟି ପାହି ସକାଳର ସୂର୍ଯ୍ୟକିରଣ ଯେମିତି ନୂଆ କରି ବିଞ୍ଚାଡି ହୋଇ ପଡିଛି ଅଗଣା ସାରା ସେମିତି ଲାଗିଲା ବୁଢାବୁଢୀ ଦୁଇ ପ୍ରାଣୀଙ୍କୁ। ଏକାନ୍ତବାସ ତାଲାବନ୍ଦୀ ଯୋଗୁଁ କେହି କାହା ଘରକୁ ନଆସିଲେ ମଧ୍ୟ ଶୁଭେଚ୍ଛୁମାନେ ହ୍ବାଟ୍ସଆପ ମାଧ୍ୟମରେ ଅଭିନନ୍ଦନ ଜଣାଇଲେ। ଗୁମୁଟି ଭଳି ଦୁଇ ବଖରା କୋଠାଘରର ଗୁଳୁଗୁଳି ବାମ୍ଫୁଆ ପବନ ଅଣଓଡିଆ ସଫ୍ଟୱେର ଇଞ୍ଜିନିୟର ନବବଧୂଟି ପକ୍ଷେ ଅତ୍ୟନ୍ତ ଅସହ୍ୟ ବୋଧହେଲେ ମଧ୍ୟ ଲକ୍ ଡାଉନ୍ ଉଠିଲା ପର୍ଯ୍ୟନ୍ତ କୌଣସି ମତେ ଆଡଜଷ୍ଟ୍ କରି ନେବାପାଇଁ ମନେ ମନେ ଭାବିନେଲେ। ହେଲେ ଆଉ ଯେଉଁ ସମସ୍ୟାଟି ଉଭା ହେଲା ତାକୁ ସହି ନେବା ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରିଲା ନାହିଁ। ଦୁଇବଖରିଆ ଘର ମଝିରେ ଗୋଟିଏ କାନ୍ଥ। କୃପାସିନ୍ଧୁ ବାବୁଙ୍କ ପୁରୁଣା ରୋଗ ପୁଣି ବାହାରି ପଡିଛି।ରାତି ସାରା ଧଇଁ ପେଲା କାଶ ଓ କଫର ଓଟାର।ଯଶୋଦା ଦେବୀ ବ୍ୟତିବ୍ୟସ୍ତ ହୋଇ ରାତି ସାରା ଘଷା ଆଉଁସା କଲେ ମଧ୍ୟ ଧଇଁଆ କାଶ ଭଲହେବା ପରିବର୍ତ୍ତେ କମିବାର ନା ଧରୁନି।କାଶ ଶବ୍ଦରେ ଅବିନାଶ ମଝିରେ ନିଦରୁଉଠି ବାପାଙ୍କର ଯତ୍ନ ନେବାରେ ହେଳା କରୁନାହାନ୍ତି ।ଘନ ଘନ କାଶ ଶବ୍ଦରେ ଅଣଓଡିଆ ବୋହୂ ଅବିନାଶକୁ ବିରକ୍ତିକର ଭାଷାରେ ଶୁଣାଇଦେଲେ-" ମୋର ନିଦ୍ରାରେ ବ୍ୟାଘାତ ହେଲେ ମାଇଗ୍ରେନ୍ ଆରମ୍ଭ ହୁଏ। ଆଠରୁ ଦଶ ଘଣ୍ଟା ଶୋଇବା ମୋର ଅଭ୍ୟାସ।ମୁଁ ଯାହା ଦେଖୁଛି ଏଇ ନ୍ୟାଷ୍ଟି ଆଟମୋସ୍ପିୟର୍ ଭିତରେ ରହିବା ମୁସ୍କିଲ୍।ଆଇ କ୍ୟାଣ୍ଟ୍ ଆଡଜଷ୍ଟ୍ ହିଅର୍--- ତୁମ ବାପାଙ୍କର ଥଣ୍ଡା ଛିଂକ କାଶ ଶ୍ବାସ କରୋନା ଲକ୍ଷଣ ପରି ଲାଗୁଛି। ବେଟର୍ ତାଙ୍କୁ ଡାକ୍ତର ପରାମର୍ଶ କରାଇ କରୋନା ଆଇସୋଲେସନ୍ ସେଣ୍ଟରରେ ଆଡ୍ମିଟ୍ କରେଇଦେବା ଉଚିତ୍ ହେବ। " ବୋହୂର ଅବିନାଶକୁ ଏହି ବିରକ୍ତିମିଶା ପରାମର୍ଶ କୃପାସିନ୍ଧୁ ବାବୁଙ୍କ କାନରେ ଠକ୍ ଠକ୍ ବାଜିଲା। କିଛି ସମୟ ପାଇଁ ବନ୍ଦ ହୋଇ ଗଲା ଧଇଁ ପେଲା କାଶର ହୃଦ୍ ସ୍ପଂଦନ। ହାତରେ ପାଟିକୁ ଚାପି ଧରି କାଶକୁ ଅଟକାଇ ସେ ବାହାରକୁ ଚାଲିଆସିଲେ। ସଂଗରେ ଯଶୋଦା ଦେବୀ। ଆଖିର ଦୁଇ ଧାର ଲୁହ ଗଡି ପଡିଲା। ଦୁଇପ୍ରାଣୀ ଘର ଚଉପାଢିରେ ବସି ରାତି ବିତାଇଦେଲେ। ସକାଳୁ ସକାଳୁ ପୁଅ ବୋହୂ ଉଠିବା ପୂର୍ବରୁ କୃପାସିନ୍ଧୁ ବାବୁ ଗ୍ରାମ ଡାକ୍ତରଖାନାକୁ ବାହାରି ପଡିଲେ ।ସରକାରଙ୍କ ତରଫରୁ ପଞ୍ଚାୟତସ୍ତରରେ କରୋନା ସଂଦିଗ୍ଧଙ୍କ ପାଇଁ ଆଇସୋଲେସନ୍ ରୁମ୍ ପ୍ରସ୍ତୁତ ହୋଇ ସାରିଛି। ଡାକ୍ତରବାବୁଙ୍କୁ ଅନୁରୋଧ କଲେ-" ଡାକ୍ତର ବାବୁ! ଆଜି ମୋତେ ଶ୍ବାସର ଯନ୍ତ୍ରଣା ଅଧିକ ଅନୁଭୂତ ହେଉଛି। ନାକରୁ ପାଣି
ଗଡି କାଶ ହେଉଛି। ମଝିରେ ମଝିରେ ଛିଂକ ସହିତ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ହେଉଛି। ସହଜେତ ବୟସ ଅଧିକ। ତେଣୁ ମୋର କରୋନା ଟେଷ୍ଟ କରି ଲକ୍ ଡାଉନ୍ ଉଠିଲା ପର୍ଯ୍ୟନ୍ତ କୌଣସି ମତେ ଆଇସୋଲେସନ୍ ବେଡ୍ଟିଏ ଦିଅନ୍ତୁ। ହସିଦେଇ ଡାକ୍ତର ବାବୁ କହିଲେ-" କୃପାସିନ୍ଧୁ ବାବୁ, ଏ ତ ଆପଣଙ୍କର ବହୁତ ପୁରୁଣା ରୋଗ। ମୁଁ ଆପଣଙ୍କୁ ଦୀର୍ଘ ଦିନ ହେବ ଟ୍ରିଟ୍ମେଣ୍ଟ କରି ଆସୁଛି। ବୋଧହୁଏ ଏସବୁ ଆପଣଙ୍କ ମନର ଭୟ। ସବୁ ଥଣ୍ଡା କାଶ ଛିଂକ କୋଭିଡ୍ 19 କରୋନାର ଲକ୍ଷଣ ନୁହେଁ। ଯେଉଁ ଔଷଧ ମୁଁ ଦେଇ ଥିଲି ତାକୁ କଣ୍ଟିନିୟୁ କରନ୍ତୁ। " କୃପାସିନ୍ଧୁ ବାବୁ କିଛି ନକହି ଠିଆ ହୋଇ ରହିଲେ। ଡାକ୍ତର ବାବୁ ଲକ୍ଷ୍ୟ କଲେ ତାଙ୍କ ମୁଖମଣ୍ଡଳରେ ବିଷାଦର ଛାୟା। କହିଲେ- ଘରକୁ ଯାଆନ୍ତୁ। କିନ୍ତୁ କୃପାସିନ୍ଧୁ ବାବୁ ହାତ ଯୋଡି ବହୁ ଅନୁନୟ ବିନୟ କଲାପରେ ଶେଷରେ ଡାକ୍ତର ବାବୁ ଆଇସୋଲେସନ୍ ବେଡ୍ରେ ରହିବାକୁ ଅନୁମତି ଦେଲେ। କରୁଣ ଆଖିରେ କୃପାସିନ୍ଧୁ ବାବୁ ଡାକ୍ତର ବାବୁଙ୍କୁ କହିଲେ,- " ଲକ୍ ଡାଉନ୍ ନଉଠିଲା ପର୍ଯ୍ୟନ୍ତ ମୋତେ ଏଠାରୁ ଡିସ୍ଚାର୍ଜ କରିବେ ନାହିଁ।- ଏହା ମୋର ଆପଣଙ୍କୁ ପଚସ୍ତରୀ ବର୍ଷ ବୃଦ୍ଧର ଆକୁଳ ନିବେଦନ। "