Krushnapriya Mohapatra

Children Stories Fantasy Children

4.5  

Krushnapriya Mohapatra

Children Stories Fantasy Children

ଆଈ ମା କାହାଣୀ

ଆଈ ମା କାହାଣୀ

6 mins
417


  ପିଲାଦିନେ ସନ୍ଧ୍ୟା ହେଲେ ଆମେ ସବୁ ଭାଇ ଭଉଣୀ ଯାଇ ଜେଜେ ମା ପାଖରେ ଶୋଇ ଗପ ଶୁଣୁ।ମୁଁ ଏବେବି ଜାଣି ପାରୁନି ପ୍ରତିଦିନ ଜେଜି ମା କେଉଁଠୁ ନୂଆ ନୂଆ କାହାଣୀ ଆଣେ।


 ରାଜା ପୁଅ, ମନ୍ତ୍ରୀ ପୁଅ, ରାଜକୁମାରୀ ଓ ମାଲୁଣି ତା ସହିତ କଟୁଆଳ ଏମିତି ଚରିତ୍ର ମାନେ ଯେମିତି ତା ଚାରିପଟ ଘେରି ରହିଥାଆନ୍ତି।ଏଇ କାହାଣୀର ଚରିତ୍ର ମାନଙ୍କୁ ମୁଁ ଆମଭିତରୁ ଆଖ ପାଖରୁ ଖୋଜି ନିଏ, ଆଉ ଭାବନାରେ ସୁନ୍ଦର ସ୍ଥାନ ଘର ଏ ଗୁଡିକ ମୋ ମନ ମଧ୍ୟକୁ ପ୍ରବେଶ କରନ୍ତି।ସେଇସବୁ କାହାଣୀରେ ହଜୁ ହଜୁ ଆମକୁ ନିଦ ଆସିଯାଏ।


     ସେମିତି ଗୋଟିଏ କାହାଣୀ ଏବେବି ମୋ ମନରେ ଭାବାନ୍ତର ସୃଷ୍ଟି କରେ । ଯେ କେମିତି ସେ ଅସୁର ଗୋଟିଏ ରାଜ୍ୟର ରାଜକୁମାରୀକୁ ନେଇ ଜଳମହଲ ଭିତରେ ରଖିଥିଲା।

ମୁଁ ଜେଜି ମା ଠାରୁ ଶୁଣିଥିବା କାହାଣୀଟି ଏମିତି.......

....  ଥରେ ଗୋଟିଏ ରାଜ୍ୟରେ ଅଚାନକ ମରୁଡି ପଡିଲା।ବର୍ଷା ଜମା ହେଲା ନାହିଁ।ଲୋକମାନେ ତ୍ରାହି ତ୍ରାହି ଡାକଦେଲେ । ରାଜା ବିଭିନ୍ନ ଜ୍ଞାନୀ ଗୁଣୀ ଲୋକ ମାନଙ୍କୁ ଡାକି ଏହାର ପ୍ରତିକାର କଣ ହୋଇ ପାରିବ ପଚାରିଲେ।

 କିଏ କହିଲା ପୂଜା କର, କିଏ କହିଲା ଯାଗଯଜ୍ଞ କର ,କିଏ କହିଲା ଗୁରୁଙ୍କ ପାଦ ପୂଜା କରି ଅଭିଷ୍ଟ ପ୍ରାପ୍ତି କର, ଆଉ କିଏ କହିଲେ ତ ଗୁରୁଙ୍କ ପରାମର୍ଶ ନିଅ। ଏମିତି ବିକଟ ପରିସ୍ଥିତି ବେଳେ ରାଜା ଅସ୍ଥିର ମନରେ ବୁଲୁ ବୁଲୁ କେତେବେଳେ ଘୋର ଜଙ୍ଗଲ ମଧ୍ୟରେ ପ୍ରବେଶ କରି ବହୁଦୂରକୁ ପଳାଇଛନ୍ତି, ହଟାତ ଗୋଟିଏ ଅସୁର ତାଙ୍କ ଆଗରେ ପ୍ରକଟ ହେଲା। ଅସୁରକୁ ଦେଖି ମଧ୍ୟ ରାଜା ନିର୍ଭୟ ଚିତ୍ତରେ ପୁନର୍ବାର ଆଗେଇଚାଲିଲେ ।ଏହା ଦେଖି ଅସୁର ଆଶ୍ଚର୍ଯ୍ୟ ହୋଇ ପଚାରିଲା "

" -ରାଜା ମୋତେ ଦେଖି ତୁମକୁ ଭୟ ଲାଗୁନି??

ରାଜା କହିଲେ "-ନା ମୋତେ ଭୟଲାଗୁନି କାରଣ ମୋ ପ୍ରଜା ଯେତେବେଳେ ଭୋକ ଉପାସରେ ପଡିଛନ୍ତି ମୁଁ ବଞ୍ଚିବାକୁ ଆଉ ଚାହୁଁନି। ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ମୋ ରାଜ୍ୟରେ ବର୍ଷା ହେଉନାହିଁ।"

ଅସୁର ହୋ ହୋ ହୋଇ ହସି ଉଠିଲା।ତା'ପରେ କହିଲା "ମୋ କଥା ଯଦି ମାନିବ ତେବେ ବର୍ଷା ହେବ।'

ରାଜା କହିଲେ ହଁ କୁହ !!! ତମେ ଯାହା କହିବ ମୁଁ କରିବାକୁ ପ୍ରସ୍ତୁତ ଅଛି।

  " ଅସୁର କହିଲା ମୋତେ ତୁମ ଝିଅକୁ ଦେଇଦିଅ

ଦେଖିବ ତୁମ ରାଜ୍ୟରେ ନିଶ୍ଚୟ ବର୍ଷା ହେବ।"

ରାଜା ଅସୁର କଥା ଶୁଣି ଚମକି ପଡିଲେ।କେମିତି ସେ

ନିଜ ଝିଅକୁ ଅସୁର ହାତରେ ସମର୍ପି ଦେବେ।

ରାଜା କଣ ଭାବୁଛ??


ଝିଅକୁ ମୋତେ ଦେଲେ ତୁମ ରାଜ୍ୟର ମଙ୍ଗଳ ହବ। ପ୍ରଜାଙ୍କ ଖୁସି ଚାହୁଁଛ ନା ତୁମର ଖୁସି ??

   ରାଜା ଟିକେ ଚିନ୍ତା କରି ଅସୁରକୁ କଥା ଦେଲେ" ହଁ ମୁଁ ଝିଅକୁ ପ୍ରଜାମାନଙ୍କ ଖୁସି ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ।"

ତା' ପରଦିନ ଅସୁର ରାଜାଙ୍କ ନଅରକୁ ଆସି ଝିଅକୁ ନେଇ ଚାଲିଗଲା।ରାଣୀ ମନ ଦୁଃଖରେ ଖାଇବା ପିଇବା ଛାଡିଦେଲେ। କିଛି ସମୟ ପରେ ରାଜ୍ୟରେ ପ୍ରବଳ ବର୍ଷା ହେଲା।ପ୍ରଜାମାନେ ଖୁସିରେ ରହିଲେ।


  କିଛିଦିନ ବିତିଗଲା।ରାଜା ରାଣୀ ଙ୍କର ଆଉ ଦୁଇଟି ଛୁଆ ହେଲେ।ଅସୁର ରାଜକୁମାରୀକୁ ନେଇ ଜଙ୍ଗଲ ମଧ୍ୟରେ ଥିବା ସରୋବରର ଜଳ ମହଲରେ ରଖିଥାଏ।ଝିଅଟି ଧୀରେ ଧୀରେ ବଡ଼ ହୋଇ ଗୋଟିଏ ଅପୂର୍ବ ସୁନ୍ଦରୀ ଯୁବତୀ ହୋଇ ଯାଇଥାଏ।ଅସୁର ଯେତେବେଳେ ଖାଦ୍ୟ ସଂଗ୍ରହ କରିବାକୁ ଯାଏ ରାଜାଝିଅ ଜଳ ମହଲରୁ ବାହାରି ସୁନ୍ଦର ଗୋଟିଏ ଫୁଲ ଗଛ ମୂଳେ ବସେ।


ଥରେ ସେଇପଟ ଦେଇ ଗୋଟିଏ ରାଜାପୁଅ ଘୋଡା ଉପରେ ବସି ଯାଉଥିଲା।ଘୋଡା ଟାପୁର ଶବ୍ଦ ଶୁଣି ରାଜଝିଅ ପାଣି ଭିତରେ ପଶି ଗଲା।ରାଜାପୁଅ ତ ସେଇ ସୁନ୍ଦର ଝିଅଟିକୁ ଦୂରରୁ ଦେଖିଦେଇ ଥାଏ ।ତା ମନରେ ଭାରି କୌତୁହଳ ହେଲା କେମିତି ସେଇ ସୁନ୍ଦର ଯୁବତୀକୁ ଆଉ ଥରେ ଦେଖିବ ଭାବି ରାତିରେ ସେଇ ସରୋବର କୂଳରେ ଗୋଟିଏ ବୁଦା ମୂଳେ ଲୁଚି ରହିଲା। କିଛି ସମୟ ପରେ ଅସୁର ଜଙ୍ଗଲରୁ ଫେରି ପୋଖରୀ ପାଖରେ ପହଞ୍ଚି ଦେଖିଲା ଘୋଡ଼ା ଟାପୁର ଚିହ୍ନ ପଡିଛି , ପୁଣି ମଣିଷ ମଣିଷ ଗନ୍ଧ ହେଉଛି।ଅସୁର ଚାରିଆଡକୁ ଚାହିଁଲା। କେହି କୁଆଡେ ଦେଖା ଯାଉନାହାନ୍ତି। ତା ପରେ ଜଳ ମହଲକୁ ଚାଲିଗଲା।


ତା ପଛେପଛେ ରାଜାପୁଅ ମଧ୍ୟ ପାଣିରେ ପଶିଗଲା।କିଛି ସମୟ ଖୋଜିବା ପରେ ଜଳ ମହଲ ପାଖରେ ପହଞ୍ଚି ଗଲା କିନ୍ତୁ ଅସୁର ଡରରେ ଭିତରକୁ ନ ଯାଇ ବାହାରେ ଲୁଚି ରହିଲା। ସକାଳ ହେଲା ଅସୁର ପୁଣି ଯେତେବେଳେ ଖାଦ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଜଙ୍ଗଲ ଭିତରକୁ ଚାଲିଗଲା ରାଜକୁମାର ମହଲ ଭିତରେ ପଶିଲା। ରାଜା ପୁଅକୁ ଦେଖି ରାଜା ଝିଅ ଡରିଗଲା।ଅସୁର ସବୁବେଳେ ରାଜାଝିଅକୁ କହେ ,କାହାକୁ ଡ଼ରିବୁନି ,ବିପଦ ଆସିଲେ କେମିତି ଅସ୍ତ୍ର ଧରି ଯୁଦ୍ଧ କରିବାକୁ ହୁଏ ଜାଣିଥା।ରାଜା ପୁଅକୁ ଦେଖି ରାଜା ଝିଅ ଖଣ୍ଡା ଧରି ଆକ୍ରମଣ କରିବାକୁ ଚେଷ୍ଟା କଲା।ରାଜାପୁଅ ତାକୁ କହିଲା ମୁଁ ତୁମ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଆସିଥିଲି ତୁମ ସହିତ ଯୁଦ୍ଧ କରିବାକୁ ନୁହେଁ। ତମର ଯଦି କିଛି ଆପତ୍ତି ନ ଥାଏ ତେବେ ଆମେ ବାହା ହୋଇ ଆମ ରାଜ୍ୟକୁ ଚାଲିଯିବା।

ରାଜଝିଅ କହିଲା ,ମୁଁ ତ ଅସୁର ଦ୍ୱାରା ପାଳିତ ହୋଇଛି ମୋତେ ସିଏ ବନ୍ଦୀ କରି ରଖିଛି । ମୁଁ ତୁମକୁ ବାହା ହୋଇ ପାରିବିନି ତୁମେ ଚାଲିଯାଅ।ଅସୁର ଦେଖିଲେ ତୁମକୁ ମାରିଦେବ।


ରାଜାପୁଅ କହିଲା ମୁଁ ତୁମକୁ ଏଠାରୁ ନେଇକରି ଯିବି।ଅସୁର ମୋର କିଛି କରିବା ପୂର୍ବରୁ ଆମେ ବିବାହ କରି ନେବା ।ଯଦି ଅସୁର ଆସିଲା ମୁଁ ତାକୁ ଯୁଦ୍ଧରେ ହରେଇ ମାରିଦେବି ।


ରାଜାପୁଅର କଥାରେ ରାଜି ହୋଇ ରଜାଝିଅ ଜଳ ମହଲରୁ ବାହାରି ଆସିଲା।ଦୁଇଜଣ ଯେମିତି ଉପରକୁ ଆସି ଘୋଡାରେ ବସିଛନ୍ତି ଅସୁର ଜାଣି ପାରିଲା। ଗୋଟିଏ ଦୀର୍ଘ ରଡି ଦେଇ ଅସୁର ପହଞ୍ଚି ଗଲା ରାଜା ଝିଅ ପାଖରେ। ତାକୁ ଦେଖି ରାଜଝିଅ ଚେତାଶୂନ୍ୟ ହୋଇ ପଡିଗଲା।ରାଜାପୁଅ ଅସୁର ସହିତ ଯୁଦ୍ଧ କରି ହାରିଗଲା।ଅସୁର ତାକୁ ବନ୍ଦୀ କରି ଜଳ ମହଲର ଗୋଟିଏ କୋଠରୀରେ ରଖିଥାଏ। ରାଜାଝିଅ ଚେତା ଫେରି ପାଇ ଦେଖିଲା ରାଜାପୁଅର ମୁକୁଟ ପଡିଛି କିନ୍ତୁ ସିଏ ନାହିଁ।ଭାବିଲା ଅସୁର ତାକୁ ମାରି ଦେଇଛି।ଏମିତି ଦୁଇଦିନ ବିତିଗଲା। ରାଜା ପୁଅ ନ ଫେରିବାରୁ ମନ୍ତ୍ରୀପୁଅ ଓ କଟୁଆଳପୁଅ ରାଜ କୁମାରଙ୍କୁ ଖୋଜି ଖୋଜି ସେଇ ସରୋବର ନିକଟରେ ପହଞ୍ଚି ଦେଖିଲେ ଘୋଡା ସେଇଠାରେ ବନ୍ଧା ହୋଇଛି ଓ ରାଜପୁତ୍ରର ମୁକୁଟ ପଡିଛି।


   ସେଇ ଠାରେ ବୁଲୁ ବୁଲୁ ଦେଖିଲେ ସେ ସରୋବର

ଭିତରକୁ ପାଦଚିହ୍ନ ପଡିଛି କିନ୍ତୁ ବାହାରକୁ ଆସିବାର ପାଦଚିହ୍ନ ନାହିଁ। ସେ ଦୁଇଜଣ ଖଣ୍ଡା ଧରି ସରୋବର ଭିତରକୁ ପଶିଲେ। ସରୋବର ଭିତରେ ଅସୁର ସୁରକ୍ଷିତ ଭାବରେ ରହିବା ପାଇଁ ସେଇ ମହଲର ଦ୍ୱାର ଗୁଡିକ ବିଭିନ୍ନ ଦିଗକୁ ଖୋଲି ଥାଏ। ଯଦି କେହି ଶତ୍ରୁ

ଆକ୍ରମଣ କରିବ ତେବେ ସେ ଅନ୍ୟ ଏକ ଦ୍ୱାର ଦେଇ ବାହାରି ଯିବ।


  ଏଇ ସମୟରେ ରାଜାଝିଅ ଭାବିଲା ଏ ଅସୁର ନ ମରିବା ପର୍ଯ୍ୟନ୍ତ ମୁଁ ଏମିତି ବନ୍ଦୀ ହୋଇଥିବି।ମୋ ବାପା ମାଆ ମୋତେ ଅସୁର ହାତରେ ଦେଇ ଦେଲେ ,

ମୁଁ ଜଳ ବନ୍ଦୀ ହୋଇ ସବୁବେଳେ ରହିଲି । ଅସୁର ଶୋଇଥିବା ଦେଖି ରାଜାଝିଅ ଯାଇ ତା ପାଖରେ ବସିଲା କହିଲା ତମେ ତ ମୋତେ ପାଳି ପୋଷି ବଡ଼ କରିଛ ବାପା ମାଆ ଭଳି ।ମୋତେ ମୋ ବାପା ତୁମକୁ ଦେଇ ଖୁସିରେ ରହିଲେ। ଭବିଷ୍ୟତରେ ତୁମେ ମରିଗଲା ପରେ ମୁଁ କେମିତି ରହିବି। ଅସୁର କହିଲା ତୋତେ ଆଜି ସବୁ କଥା କହିବି କାରଣ ତୁ ହେଉଛୁ ଗୋଟିଏ ଅଭିଶପ୍ତ ଅପ୍ସରୀ।ତୁ ଯେଉଁଠି ରହିବୁ ସେ ଯାଗାରେ ବର୍ଷା ହେବନାହିଁ ବୋଲି ତୋତେ ଜଣେ ୠଷି ଅଭିଶାପ ଦେଇଛନ୍ତି।କେବଳ ଯେଉଁଠାରେ ପାଣି ଥିବ ତୁ ରହି ପାରିବୁ।ସେଥିପାଇଁ ମୁଁ ତୋତେ ଏଇଠାରେ ରଖିଛି।ତୋ ପିତା ଜଣେ ପ୍ରଜା ପ୍ରିୟ ରାଜା ତାଙ୍କ ଦୁଃଖ ଦେଖି ମୁଁ ତୋତେ ଆଣି ପାଳିଛି।ଏବେ ତୁ ଯେଉଁଠାକୁ ଯିବୁ ବର୍ଷା ହେବ ନାହିଁ। ଯେଉଁଦିନ ତୋର ଅଭିଶାପ ମୁକ୍ତ ହେବ ତୁ ରାଜ୍ୟକୁ ଫେରିବୁ।

 ମୁଁ ତୋତେ ଶାପମୁକ୍ତ କଲାପରେ ଏ ଅସୁର ଜନ୍ମରୁ ମୁକ୍ତି ପାଇବି।ରାଜାଝିଅ ପଚାରିଲା ମୁଁ କେମିତି ଅଭିଶାପ ରୁ ମୁକ୍ତି ପାଇବି ??


  ଏମିତି କଥା ହେବା ଭିତରେ ମନ୍ତ୍ରୀ ପୁଅ ଆଉ କଟୁଆଳ ପୁଅ ମିଶି ରାଜକୁମାରଙ୍କ ପାଖରେ ପହଞ୍ଚି ଯାଇଥିଲେ। ରାଜାପୁଅ ଗୋଟିଏ ଘରେ ବନ୍ଦୀ ହୋଇଥିଲା ତାକୁ ଉଦ୍ଧାର କରିବା ପରେ ସେ ତିନିଜଣ ଯାକ ଅସୁର ସହିତ ଯୁଦ୍ଧ କରିବାକୁ ସ୍ଥିର କଲେ।


   ରଜା ପୁଅ କହିଲା ମୁଁ ଅସୁର ସହିତ ଯୁଦ୍ଧ କରି ତାକୁ ହରେଇ ପାରିଲିନି। ତାର ମୃତ୍ୟୁର ରହସ୍ୟ ବୋଧେ ଅଲଗା କିଛି ଅଛି ଯାହା ଆମକୁ ଜଣା ନାହିଁ।

 ତିନିଜଣ ଯାକ ଏମିତି ଭାବି ଭାବି ବସିଛନ୍ତି ସେଇ ଜଳ ମହଲର କାନ୍ଥରେ ଗୋଟିଏ ସୁନ୍ଦର ଶୁଆର ଚିତ୍ର ଥିବାର ଦେଖି ରାଜାପୁଅ ତା ଦେହକୁ ଆଉଁସି ଦେଲା।ଆଉ ତା ପାଟିରୁ ବାହାରି ପଡ଼ିଲା ଏ ଚିତ୍ରଟା ପୁରା ଜୀବନ୍ତ ଦେଖା ଯାଉଛି, ଜୀବନ ପାଆନ୍ତା କି ମୁଁ ଏକୁ ମୋ ରାଜ୍ୟକୁ ନେଇ ଯାଆନ୍ତି। ରାଜାପୁଅ ଏ କଥା କହୁ କହୁ ଶୁଆ ଜୀବନ ପାଇଗଲା। ତାକୁ ଦେଖି ତିନି ବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ। ତା ପରେ ସେ ଶୁଆ କଥା କହିଲା।

ଦୀପିଦାଣ୍ଡି ପାଖେ ମନ୍ଦିର ଠିଆ

ଭିତରେ ରହିଛି ଗୋଟେ ଫରୁଆ

ଫରୁଆ ଭିତରେ ଭଅଁର ଟାଏ

ଅସୁର ଜୀବନ ନାଟିକା ସିଏ

ମରିବ ଅସୁର ଚିପିଲେ ତାକୁ

କରିପାରିବ ଯେ ମୋ ପାଶେ ଆସୁ।

  ପ୍ରଥମ ଥର ତିନିଜଣ କିଛି ବୁଝି ପାରିଲେନାହିଁ, ପୁଣି ଶୁଆ ସେଇ ପଦକ ଗାଇଲା ଓ ଉଡି ଚାଲିଗଲା।ତା ପରେ ତିନିଜଣ ଯାକ ଶୁଆ କଥାରେ ସରୋବରର ଦୀପିଦାଣ୍ଡି ପାଖକୁ ପହଁରି ପହଁରି ଗଲେ।ରାଜାପୁଅ ଦୀପିଦାଣ୍ଡିର ଉପରେ ଥିବା ମନ୍ଦିର ଭିତରେ ପଶି ଫରୁଆକୁ ଖୋଜି ପାଇବା ପରେ ତା ଭିତରେ ଥିବା ଭଅଁରକୁ ଜୋରରେ ଚିପି ଦେଲା।ଭଅଁର ମରିବା ଜାଣି ଅସୁର ଧାଇଁ ଆସି ଦୀପିଦାଣ୍ଡି ପାଖରେ ପହଞ୍ଚି ଯାଇଥାଏ। ରାଜା ପୁଅର ହାତରେ ମରିବ ଜାଣି ସାରିଥାଏ ଅସୁର।


      ତା ପରେ ଅସୁର ରାଜାଝିଅକୁ ବାକି ଥିବା ଉତ୍ତର ଦେଇ କହିଲା "ତୁ ପଚାରୁଥିଲୁ କେମିତି ଅଭିଶାପରୁ

ମୁକ୍ତି ପାଇବୁ ବୋଲି।ଏବେ ଦେଖ ରାଜା ପୁଅ ମୋତେ ମାରିବା ପରେ ତୁ ଅଭିଶାପରୁ ମୁକ୍ତ ହୋଇଗଲୁ।ଏବେ ତୁମେ ଦୁଇଜଣ ବାହା ହୋଇ ସୁଖରେ ରୁହ।ତୋ ବାପା ଠାରୁ ମୁଁ ତୋତେ ଆଣି ଏଠାରେ ସେଥିପାଇଁ ରଖିଥିଲି।ମୁଁ ମଧ୍ୟ ମୁକ୍ତ ହୋଇ ସ୍ୱର୍ଗକୁ ଯାଉଛି।ତୁ ଯେହେତୁ ଝିଅ ପରି ମୋ ପାଖରେ ଏତେ ଦିନ ଥିଲୁ ମୁଁ ତୁମ ଦୁଇଜଣଙ୍କୁ ଏକାଠି କରିଦିଏ।ଏହା କହି ରାଜାପୁଅ ଓ ରାଜାଝିଅ ଙ୍କ ହାତକୁ ଏକାଠି କରିଦେଇ ଅସୁର ମରିଗଲା।

ରାଜାଝିଅ ନିଜ ରାଜ୍ୟକୁ ବାହୁଡ଼ି ଗଲା ତା ବାପା ମା ଭାରି ଖୁସି ହେଲେ ଓ ଧୁମଧାମରେ ବାହାଘର କଲେ।ରାଜା ପୁଅ ଘୋଡାରେ ବସି ରାଜାଙ୍କ ନଅର ଉପରେ ଥିବା ତୋରଣକୁ ଡେଇଁ ବେଦୀ ଉପରେ ବସିଲା ଓ ରାଜାଝିଅକୁ ବାହା ହୋଇ ନିଜ ରାଜ୍ୟକୁ ନେଇଗଲା।

" ଆଈ ପୁଣି ଗଳ୍ପ ଶେଷରେ କହିଲା "ମୁଁ ବାହାଘର ଦେଖି ଯାଇଥିଲି ଯେ ମୋତେ କେହି ଖାଇବାକୁ ଗଣ୍ଡେ ଯାଚିଲେନାହିଁ।""

 ମୋ କଥାଟି ସରିଲା ଫୁଲ ଗଛଟି ମରିଲା।

ହେ ଫୁଲ ଗଛ କାହିଁକି ମଲୁ, ?? ନା

ମୋତେ ମାଳି ପାଣି ଦେଲାନି।

ହେ ମାଳି ଗଛରେ କାହିଁକି ପାଣି ଦେଲୁନି?

ନା ମୋ ଟିକି ପୁଅ କାନ୍ଦିଲା।,

ହେ ଟିକି ପୁଅ କାହିଁ କାନ୍ଦିଲୁ,??

ନା ମୋତେ ପିମ୍ପୁଡି କାମୁଡି ଦେଲା।

ହେ ପିମ୍ପୁଡି କାହିଁ କାମୁଡ଼ିଲୁ??

ମୁଁ ଭୁଇଁ ତଳେ ତଳେ ଥାଏ। କଅଁଳ ମାଉଁସ ଟିକିଏ ପାଇଲେ ରୁଟ କିନା ଖାଏ

                        ସମାପ୍ତ


Rate this content
Log in