Mamatamanjari Das

Romance

3  

Mamatamanjari Das

Romance

ଆଇ ଲଭ୍ ୟୁ

ଆଇ ଲଭ୍ ୟୁ

3 mins
213


ପୁରି ବେଳାଭୂମିରେ ଲୋକମାନଙ୍କର ଭିଡ ଲାଗିଛି । ବାଳକ ଠାରୁ ବୃଦ୍ଧ ସମସ୍ତେ ବିଭୋର ଅଛନ୍ତି ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବାରେ । ସମୟ ଅପରାହ୍ନ, ବାଦଲ ବସିଥାଏ ଗୋଟିଏ ଆଢୁଆଳ ଜାଗାରେ । ସେ ଦେଖିଲା ଜଣେ ସୁନ୍ଦର ଲାସ୍ୟମୟୀ ତରୁଣୀ ବେଳାଭୂମିରେ ପଦାର୍ପଣ କଲେ । ବହୁ ଲମ୍ବା ଘନ କଳା କେଶରେ ଫୁଲର ସମ୍ଭାର ତାଙ୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲା । ବୟସ ଏହି ପାଖା ପାଖି ଅଠେଇଶିରୁ ତିରିଶ୍ ଭିତରେ ହେବ । ପରିଧାନ କରିଛନ୍ତି ସୁନ୍ଦର ସୂତା ଶାଢ଼ୀ ସମ୍ବଲପୁରୀର । କିଛି ସମୟ ସମୁଦ୍ର ପାଣିରେ ଛିଡା ହେଲା ପରେ ଉପରକୁ ଯାଇ ବସି ପଡିଲେ ବାଦଲ ବସିଥିବା ଜାଗା ଠାରୁ ଅନତି ଦୂରରେ । ମହିଳାଜଣଙ୍କ ବସିଲା ପରେ ତାଙ୍କୁ ଛୁଇଁ ଦଲକାଏ ପବନ ଯାଇ ପିଟିସହୋଇଗଲା ବାଦଲ ଦେହରେ । ଓଃ……କି ମତୁଆଲା ବାସ୍ନା, ଶିହରଣ ଖେଳିଗଲା ବାଦଲର ଶିରା ପ୍ରଶିରାରେ । 

ବିଭୋର ହୋଇଗଲା ମନ । ମନେ ମନେ ଭାବୁଥିଲେ ଏ କୋଉ ଫୁଲର ବାସ୍ନା ? ଯିଏ ଖୋଲା ବେଳାଭୂମିରେ ବି ମତୁଆଲା ବାସ୍ନାର ଉତ୍ତାଳ ତରଙ୍ଗ ସୃଷ୍ଟି କରି ପାରୁଛି ? ବାଦଲ କେବଳ ଚାହିଁ ଥିଲେ ଝିଅଟିକୁ ନିର୍ନିମେଶ ନୟନରେ । 

ଝିଅଟା କଣ୍ ଭାବିଲା କେଜାଣି ସେଠାରୁ ଉଠିଯାଇ ପୁଣି ସମୁଦ୍ର କୂଳକୁ ଚାଲିଗଲା । ସମୁଦ୍ର ଲହଡି ସବୁ ବାଡେଇ ହେଉଥାନ୍ତି ଝିଅଟି ଦେହରେ । ତଥାପି ସେ ଅବିଚଳିତ ଥାଏ । ବାଦଲର ଇଛା ହେଉଥାଏ ପଚାରିବାକୁ ଜୁଡାରେ କି ଫୁଲ ମାରିଛ ବୋଲି ? ହେଲେ ସେ' ସେ ଧରଣର ପିଲା ନଥିଲେ । କିଛି ସମୟ ପରେ ଝିଅଟି ସମୁଦ୍ରରୁ କଣ ଗୋଟିଏ ଗୋଟାଇ ଆଣିବାର ଦେଖିଲେ ବାଦଲ । କିଛି ସମୟ ଏପଟ ସେପଟ କରି ଦେଖିଲା ପରେ ତାକୁ ନିଜ ଭ୍ୟାନିଟ୍ ବ୍ୟାଗରେ ରଖି ଦେଲା । ଦୂରରେ ବାଦଲର ଲକ୍ଷ କେବଳ ସେହି ଝିଅଟି ଉପରେ ଥିଲା । ସେ ଧୀରେ ଧୀରେ ଝିଅଟା ପାଖକୁ ଆସିଲେ । ଝିଅଟା ମନରେ ବୋଧହୁଏ ଡର ଆସିଲା କି କଣ ସେ ଯିବାପାଇଁ ଉଦ୍ୟତ ହେଲା । ବାଦଲ କହିଲେ, ମ୍ୟାଡମ ଅନୁଗ୍ରହ କରି କିଛି ଟଙ୍କା ମୋତେ ଦେଇ ପାରିବେକି ? ମୋ ପର୍ସଟି ହଜି ଯାଇ ଥିବାରୁ ମୁଁ ଘରକୁ ଫେରି ପାରୁନି । ଝିଅଟି ନିଜର ପର୍ସ୍ ଖୋଲିବା ସମୟରେ ବାଦଲର ଅନିସନ୍ଧିତ୍ସୁ ଆଖି କିନ୍ତୁ ଆଉ କିଛି ଖୋଜୁଥିଲା । 

ସେ ଦେଖିଲା ଝିଅଟି କେତକୀ ଫୁଲଟିଏ ମୁଣ୍ଡରେ ଖୋସିଛି ଯାହାର ମତୁଆଲା ବାସ୍ନା ତାକୁ ଏଠାକୁ ଟାଣି ଆଣିଲା । ଝିଅଟି କିନ୍ତୁ ବାଦଲର ଦୃଷ୍ଟିରେ କଣ୍ ଅନୁଭବ କଲା କେଜାଣି ସମୁଦ୍ରରୁ ପାଇଥିବା ହୀରାଟି ବାଦଲ ହାତରେ ଧରାଇ ଦେଇ କହିଲା ଏଇ ନିଅ ତୁମ କାମରେ ଆସିବ । ବାଦଲ ହୀରାଟିକୁ କିଛି ସମୟ ଏପଟ ସେପଟ କରି ଦେଖିଲା ପରେ ଜାଣିଲା ସେଇଟା ସତ ହୀରା । 

ସେ ଝିଅଟିକୁ ପଚାରିଲେ ଏଇଟା ତ ସତ ହୀରା, ହେଲେ ତୁମେ ମୋତେ କଣ ପାଇଁ ଦେଲ । ତୁମେ ମୋ ବ୍ୟାଗ ଭିତରକୁ ଦେଖୁଥିଲ ସେଥିପାଇଁ ଭାବିଲି । ହେଲେ ଏଇଟା ଯେ ଦାମୀ ଜିନିଷ, ବାଦଲ କହିଲେ । ଯେତେ ଦାମୀ ହେଉ ମୋର ପାଇଥିବା ଜିନିଷ କି ଅନ୍ୟର ଜିନିଷରେ ଲୋଭ ନଥାଏ ଝିଅଟି କହିଲା । ବାଦଲ ପଚାରିଲା ତା'ହେଲେ ଲୋଭ କୋଉଥିରେ ? କୋଉଥିରେ ବି ନୁହେଁ ଖାଲି ମୋର ଲୋଭ କେତକୀ ଫୁଲ ଉପରେ । କହି ସାରି ଝିଅଟା ଫିକ୍ କରି ହସି ଦେଲା । ଗୋରା ଗାଲରେ ଛୋଟ ଭଉଁରୀଟିଏ ସୃଷ୍ଟି ହୋଇଗଲା ଝିଅଟି ଗାଲରେ । ବହୁତ ସୁନ୍ଦର ଦେଖାଯାଉଥିଲା ସେ । ନୀରବତା ଭାଙ୍ଗି ବାଦଲ କହିଲା ଏହି ନିଅ ତୁମ ହୀରା,ପ୍ରକୃତରେ ତୁମକୁ ପଇସା ମାଗିବା ମୋର ବାହାନା ଥିଲା । ତୁମ ଗଭାରେ ଥିବା ଏହି କେତକୀ ଫୁଲର ମତୁଆଲା ବାସ୍ନା ମୋତେ ଏଠିକୁ ଟାଣି ଆଣିଥିଲା । ଫୁଲର ମତୁଆଲା ବାସ୍ନା ପରି ତୁମ ମନର ସମର୍ପଣ ଭାବ ବି ମୋତେ ମତୁଆଲା କରିଦେଲା । ସବୁ ଝିଅଙ୍କ ଠାରୁ ତୁମର ଭାବନା ବି ଅଲଗା । ଯିଏ ଦାମୀ ହୀରାକୁ ସମର୍ପି ଦେଇ ପାରୁଛି ସେଭଳି ମତୁଆଲା ମନର ଝିଅଟିକୁ ଯେ ପାଇବ ସେ ଧନ୍ୟ ହୋଇଯିବ । ହୀରାଟି ଝିଅଟି ହାତରେ ଧରାଇ ଦେଇ ଯିବାକୁ ଉଦ୍ୟତ ହେଲା ବାଦଲ । ହଠାତ ଝିଅଟି କହିଦେଲା "ଆଇ ଲଭ୍ ୟୁ " । ବିସ୍ମିତ ହୋଇଗଲା ବାଦଲ, ଆଉ କହିଲେ କିଛି ନଜାଣି ମୋ ବିଷୟରେ……ଝିଅଟି କହିଲା, ମୋ ନା ବର୍ଷା । ଏହି ପୁରୀରେ ଆମ ଘର । ମୁଁ ଜଣେ ଅଧ୍ୟାପିକା । କ୍ଲାସ ନଥିବାରୁ ପଳେଇ ଆସିଥିଲି ବେଳା ଭୂମିକୁ । ଆଉ ରହିଲା ତୁମକୁ ନ ଜାଣି "ଆଇ ଲଭ୍ ୟୁ" କହିଲି ଏଇଆ ନା ! ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲେ ପୁରା ଭାତ ଜାଣି ହୁଏ । ମୁଁ ବି ଆସିବା ବେଳଠାରୁ ତୁମକୁ ଲକ୍ଷ୍ୟ ରଖିଛି । 

ମୋତେ ହଇରାଣ କରିବାର ଥିଲେ ତୁମେ ବହୁତ ସହଜରେ କରି ପାରିଥାଆନ୍ତ । ହେଲେ ତାହା ତ ଦୂରର କଥା, ମୂଲ୍ୟବାନ ହୀରା ଦେଖି ବି ତୁମ ମନରେ ଲାଳସା ଆସିଲାନି । ତେଣୁ ତୁମେ ବି ମୋ ଭଳି ବାସ୍ନାରେ ଖାଲି ମତୁଆଲା । ହସି ଉଠିଲା ବାଦଲ । ଆଉ କହିଲେ ମୋ ପରିଚୟ ଜାଣିବନି ? ମୁଁ ବାଦଲ ମିଶ୍ର । ସରକାରୀ ବ୍ୟାଙ୍କର ମ୍ୟାନେଜର । 

ଏହି ସମୟରେ ଜଣେ ଫୁଲ ବାଲା ଫୁଲ ନେଇ ଯାଉଥିଲା । ବାଦଲ କେତକୀ ଫୁଲଟିଏ କିଣି ଖୋସିଦେଲେ ବର୍ଷା ମଣ୍ଡରେ । 

ମହମହ କେତକୀ ଫୁଲର ମତୁଆଲା ବାସ୍ନାରେ ବିଭୋର ହୋଇ ଯାଇଥିଲେ ଦୁଇ ପ୍ରେମ ପକ୍ଷୀ । 

ଅସ୍ତଗାମୀ ସୂର୍ଯ୍ୟଙ୍କ ଲାଲ କିରଣରେ ବିଛୁରିତ ହୋଇ ପଡିଥିଲା ସମୁଦ୍ରର ତରଙ୍ଗ ଉପରେ । 

କେତକୀ ଫୁଲର ମତୁଆଲା ବାସ୍ନା ସହ ହାତ ଧରା ଧରି ହୋଇ ଚାଲିଥିଲେ ଦୁଇଜଣ ଆଗକୁ ଆଗକୁ……



Rate this content
Log in

Similar oriya story from Romance