ଯୁଗଧର୍ମ ବିଲୁପ୍ତିର ଆବର୍ତ୍ତମାନରେ
ଯୁଗଧର୍ମ ବିଲୁପ୍ତିର ଆବର୍ତ୍ତମାନରେ
ଯୁଗଧର୍ମ ବିଲୁପ୍ତିର ଆବର୍ତ୍ତମାନରେ ଜୀବନ
=================
ବଦଳି ଯାଇଛି ଯୁଗ;
ରିତିମତ ବଦଳି ଯାଇଛି,
ନିଭିଯାଇଛି ଶତ-ସହସ୍ର ପିଢୀ
ପୁରୁଣା ଚିତ୍ରସବୁ ଅନ୍ତରଙ୍ଗତାର,
ଆପଣାପଣ ଓ ଏକାତ୍ମୀୟତାର,
ସହଭାଗୀ-ସହଭୋଗୀ
ଜୀବନଚର୍ଯ୍ୟାର
ନିଷ୍ପେଷିତ ହେଇ କାଳଚକ୍ରେ
ସମ୍ପୂର୍ଣ୍ଣ ବିଲୁପ୍ତ ଆଜି
ନିଘଞ୍ଚ ବନାନୀ ରୁ ମେଟ୍ରୋ ଯାଏ
ସୁଦୀର୍ଘ ଯାତ୍ରା'ର କାହାଣୀ,
କେବଳ କାହାଣୀ ହେଇ ରହିଛି'ଯା
ଗପ,କବିତା ଓ ଲୋକକଥା ରେ
ଠିଜ ଯେମିତି ବଞ୍ଚିଛି ବିଲୁପ୍ତ ଡାଏନୋସର
ସ୍ମୃତି ଆଉ ଜୀବାଶ୍ମ ରେ ।
କେହିଜଣେ ହସୁନାହିଁ,ବସୁନାହିଁ,
ବାଣ୍ଟୁନାହିଁ ସୁଖଦୁଃଖ,
କରୁନାହିଁ ଉଚ୍ଚାରଣ 'ଆହାପଦ'
ବିନା ଆଶା ପ୍ରତ୍ୟାଶାରେ।
ସଭିଏଁ ତ ବ୍ୟସ୍ତ ଏଠି ଏବେ
ଦିଗବିଜୟୀ ହବାର ଅଦମ୍ୟ ଇଚ୍ଛାକୁ
କୋଳେଇ,କାଖେଇ,କାନ୍ଧେଇ-ମୁଣ୍ଡାଇ
ଅନିର୍ଦ୍ଦିଷ୍ଟ ଓ ଦୀଶାହୀନ ଦୂରତାର
ମାରାଥନ୍ ପ୍ରତିଯୋଗିତାରେ
ପଛରେ ପକେଇଦେଇ
ସମ୍ପର୍କର ଅଛିଣ୍ଡା ଦାଉଣି।
କେହିଜଣେ ବାଦ୍ ପଡୁନାହିଁ,
ସମସ୍ତେ ଚଞ୍ଚଳ-ତତ୍ପର,ତରତର
ଅଣ୍ଟାଗାମୁଛାରେ ବାନ୍ଧି ନେବାକୁ
ପଞ୍ଚେନ୍ଦ୍ରିୟାନୁଭୂତିର ସର୍ବସୁଖ
ସହଜରେ,ଏକା ଝଟକାରେ।
"ବଞ୍ଚ ଆଉ ବଞ୍ଚିବାକୁ ଦିଅ" ଭାବନାକୁ
ପୋଛି ଦେଇଛି ମଣିଷ
ବୁଦ୍ଧି-ବିବେକରୁ,ଚିନ୍ତା-ଚେତନାରୁ,
ଭାବ ରୁ-ଭାବାନ୍ତର ରୁ
ଅର୍ଥହୀନ ଦର୍ଶନଟେ ଭାବି
ଯାହାତା'ର ପାଦକୁ ଭିଡିବ;
ବାଣ୍ଟିଦେବ ସମଭାବେ
ସଭିଙ୍କ ମଧ୍ୟରେ ସୁଖ ସମ୍ପଦକୁ
ଯାହାଖାଲି ପ୍ରାପ୍ୟ ଏକା ତା'ର
ଏକାନ୍ତ ଭାବରେ ତା'ର।
ଅବସୋସ ! ତଥାପି ଅଭାବ ।
ଏତେ ବେଶି ସବୁ
ମେଣ୍ଟେଇ ପାରୁନି ତା'ର
ସଜ୍ଞାହୀନ ଭୋକ ଆଉ ଶୋଷ
ଲୋଚାକୋଚା ଶୁଷ୍କସ୍ତନ ସମ
ପୃଥ୍ୱୀର ଅଚଳାଚଳ ସମ୍ପଦ ସର୍ବସ୍ୱ
ଯେତେଯେତେ ଲମ୍ବେଇଲେ
ବିଶ୍ୱର କୋଣ ଅନୁକୋଣେ
କଳ,ବଳ,କୌଶଳର
ଗୋଛାଗୋଛା ଚେର ଉପଚେର !!
ଭୂଗର୍ଭରୁ ଭୂତ୍ୱକ୍,
ଭୂପୃଷ୍ଠରୁ ଚନ୍ଦ୍ର ଓ ମଙ୍ଗଳ ଯାଏ
ସର୍ବତ୍ର ଶୁଖାପଣ,ସବୁଠି ଅଭାବ,
ନିରାଶା ଓ ନାହିଁନାହିଁ ସ୍ୱର।
ସର୍ବସ୍ୱ ପ୍ରାପ୍ତିର ଅନ୍ଧ ଆତୁରତା ଆଉ
ସାମର୍ଥ୍ୟ ବହିର୍ଭୁତ ଆପ୍ରାଣ ପ୍ରୟାସ
ଦେଇଛି କେବଳ କ୍ଳାନ୍ତି,
ଅଶାନ୍ତି , ଅପର୍ଯ୍ୟାପ୍ତ ଗ୍ଳାନି,
ଶୁଷ୍କ କରିଛି ଜୀବନର
ହର୍ଷୋଲ୍ଲାସ ପରିପୂର୍ଣ୍ଣ ଅମୃତ ନିର୍ଝର,
ଅଲକ୍ଷରେ ମୁକୁଳି ଯାଇଛି
ନିରୁତା ପ୍ରେମ ଭାବାବେଗ ଶିକୁଳିରୁ,
ଆଲିଙ୍ଗନର ବଜ୍ର ବନ୍ଧନୀରେ
ଛଳନା କରିଛି ଘର।
ଏଇତ,ଏବେଏବେ ଜାଣୁଛି
ସେ ସର୍ବସ୍ୱାନ୍ତ ଆଜି,ସମ୍ପୂର୍ଣ୍ଣ ନିଶ୍ୱ,
ପାଦତଳେ ମାଟି ତାର
ମାଟି ନୁହେଁ ମଶାଣି ର ଭସ୍ମ
ମୁଣ୍ଡପରେ ହୁତ ହୁତ ଜଳୁଥିବା
ଅନଳର ଲେଲିହାନ ଶିଖା।
ଏବେ ଆଉ ଶୁଭୁନି ସେ ମହାମନ୍ତ୍ର,
"ବୁଦ୍ଧଂ ଶରଣଂ ଗଚ୍ଛାମି....",
ଶୁଣା ଯାଉନାହିଁ ଆଉ ,
"କହଇ ମନୁଆରେ ମୋ'ବୋଲ କର.."।
ନାଚାର ସେ,ପୁରା ଅସମର୍ଥ
କଳିବାକୁ ବ୍ୟବଧାନ
ଅଳିକରୁ ଅନିତ୍ୟର ,
ମର୍ତ୍ତ୍ୟରୁ ଅଳକାପୂରୀର।
କେମିତି ପାରିବ ସେ କଳି
ଯୁଗଧର୍ମ ବିଲୁପ୍ତିର ଆବର୍ତ୍ତମାନରେ !
ନାହିଁ ଗୀତା,ଭାଗବତ,ପୁରାଣ ଶାସ୍ତ୍ରାଦି
କାଳଜୟୀ ମାର୍ଗଦର୍ଶିକା
ବତୀଘର ସମ ଯାହା କଢେଇ ଥାନ୍ତା ବାଟ
ଜୀବନର ଦିଶାହୀନ ପୋତକୁ ତାହାର।
ଅତୀତର ଆବର୍ଜନା ମଣି
ସେଇସବୁ ମାର୍ଗଦର୍ଶିକାର
ଫର୍ଦ୍ଦମାନଙ୍କୁ ଗୋଟେ ପରେ ଗୋଟେ କରି
ଉଡେଇ ଦେଇଛି ସେ'ତ
କାହିଁ କେବେଠାରୁ,
ବିସ୍ମରିଛି ରିତୀନିତୀ,ପ୍ରଥା,ପରମ୍ପରା
ହରେଇ ଦେଇଛି ସର୍ବସ୍ୱ
ଯାହାସବୁ ଚିରନ୍ତନ,ଶାଶ୍ୱତ,ସୁନ୍ଦର।।
=========(ମିଟୁ)========
ବିନମ୍ରତାର ସହ: ବିନୟ ଭୂଷଣ ପାଣିଗ୍ରାହୀ
ହରସିଂହ ପୁର,ପୀରହାଟ ବଜାର
ଭଦ୍ରକ,ଓଡିଶା-୭୫୬୧୩୧
ମୋ:୯୯୩୭୫୪୮୪୩୧
୯୪୩୮୬୭୦୧୨୦
-----------------------------
ପ୍ଲଟ୍ ନଂ-୩୪୨,ସେକ୍ଟର୍-୫,ନିଳାଦ୍ରୀ ବିହାର୍,
ଚନ୍ଦ୍ରଶେଖର୍ ପୁର,ଭୂବନେଶ୍ୱର-୭୫୧୦୨୧,
ଓଡିଶା
==================