ଯାଉଛ ଯଦି ମକର
ଯାଉଛ ଯଦି ମକର
ଯାଉଅଛ ଯଦି ମକର ହେ ତୁମେ
ଯାଅ ପଛେ ମନା ନାହିଁ,
ଆସନ୍ତା ଥରକୁ ଆସିବ ନିଶ୍ଚୟ
ଆମରି ମରତଭୂଇଁ l
ତୁମେ ଆସଯେବେ ମକର ଚାଉଳ
ଘରେ ଘରେ ପୂଜା ହୁଏ,
ନଡ଼ିଆ କଦଳୀ ଛେନା ଗୁଡ଼ ପଡି
ମହମହ ବାସି ଯାଏ l
ଆକାଶରେ ଉଡି କେତେ ରଙ୍ଗ ଗୁଡ଼ି
ବାଦଲ କୁ ଛୁଏଁ ଯାଇ,
ମନରେ ଆମର ଡେଣା ଲାଗିଯାଏ
ଆନନ୍ଦେ ଅଧୀର ହୋଇ l
ପ୍ରିୟ ସାଙ୍ଗ ହାତେ ଭୋଗ ଦେଇ ଟିକେ
ମକର ଆମେଯେ ବସୁ,.
ମକର ଖେଚଡି ଘରେ ଘରେ ଖାଇ
ଖେଳ କଉତୁକେ ହସୁ l
ମକର ପରବ ମାନନ୍ତି ଆମର
ଆଦିବାସୀ ଜନ ମାନେ,
ମାଦଲ ବଜାଇ ଭୋଜି ଭାତଖାଇ
ନାଚିଥାନ୍ତି ଖୁସି ମନେ l
ବରୁଣ ଙ୍କ ଘରୁ ମକର ଆସିଲେ
ଲକ୍ଷ୍ମୀ ମା 'ଆସନ୍ତି ଫେରି,
ଫଳ ଆଦି ସହ ପାନ ଆଣିଥାନ୍ତି
ଚୌଷଠି ମସଲା ଭରି l
ଜଗନ୍ନାଥ ପ୍ରଭୁ ଖୁସି ମନେ ଥାନ୍ତି
ଚଉରାଶି ବେଶ ହୋଇ,
ନାଲି ଅଧରରୁ ଟହ ଟହ ହସ
ସତେ ଝରି ପଡୁଥାଇ l
ମକର ଆସିଲେ ଦିନ ବକ୍ର ହୁଏ
ସୂର୍ଯ୍ୟଙ୍କ ଉତ୍ତରାୟଣ,
ରାତି ଛୋଟ ହୋଇ ଧୀରେ ଧୀରେ ପୁଣି
ବଡ଼ ହୋଇଥାଏ ଦିନ l
ଝରା ପତରକୁ ଝରାଇ ପାଦପ
କଅଁଳ ପତର ନାଏ,
ଆମ୍ବ୍ର ବୃକ୍ଷରେ କୋଇଲି ବି ବସି
ଗୀତ କେତେ ଗାଉଥାଏ l
ଆର ବରଷକୁ ଆସିବ ମକର
ରହିବୁ ତୁମକୁ ଚାହିଁ,
ଜଗତ ବାସୀଙ୍କୁ ଖୁସି ଆଣିଦେବ
ଦୁଃଖ କୁ ଦେଵ ଦୂରାଇ ll
