ଯାତ୍ରା
ଯାତ୍ରା
ଜଗତ ଜନନୀ କାଳୀ ଠାକୁରାଣୀ
ଜଗତର ପିତା ଶିବ।
ପୟରେ ତୁମର ପଡି ମୁଁ ଜଣାଏ
କୃପା କଣା ବରଷିବ।୧।
କାଳୀ ଶିବଙ୍କର ଦଣ୍ଡକାଳୀ ଯାତ୍ରା
ଲୋକ ନୃତ୍ୟ ଓଡିଶାର ।
ଗାଁ ଗହଳିରେ କେଉଁ ଆଦି କାଳୁ
ପ୍ରଚଳିତ ଏ ଯାତର ।୨।
ବହୁତ ନିଷ୍ଠାରେ ଭକତେ ରହନ୍ତି
ଭୋକ୍ତା କୁହାଯାଏ ତାଙ୍କୁ।
ତେର ଭୋକ୍ତା ହେଲେ ହୁଏ ଏ ଯାତରା
ପୂଜନ୍ତି ଦଣ୍ଡକାଳୀଙ୍କୁ।୩।
ଦକ୍ଷ ଯଜ୍ଞେ କନ୍ୟା ସତୀଙ୍କୁ ନ ଡାକି
ଶିବଙ୍କୁ ନ ଦେଲେ ସ୍ଥାନ ।
ପତିଙ୍କ ବାକ୍ୟ ଅବଜ୍ଞା କରି ସତୀ
ଗମିଲେ ପିତୃସଦନ।୪।
ପିତା ଅପମାନ ଦେଲେ ସେହିଠାରେ
ଶିବଙ୍କ ଅବଜ୍ଞା ଦେଖି ।
ଯଜ୍ଞାଗ୍ନିରେ ନିଜ ଶରୀର ତେଜିଲେ
ସଭିଏଁ ରହିଲେ ସାକ୍ଷୀ ।୫।
ଏ ଖବର ପାଇ କ୍ରୋଧାନ୍ୱିତ ହୋଇ
ଶିବ ମିଳିଲେ ସେଠାରେ।
ଦକ୍ଷ ଶିର ଛେଦି ପକାଇ ତାଣ୍ଡବ ନୃତ୍ୟ
କଲେ ସେ ଠାବରେ।୬।
ଦକ୍ଷ ପତ୍ନୀ ତାଙ୍କୁ ଶାନ୍ତ କରିବାକୁ
ଆସି ତହିଁ ପହଞ୍ଚିଲେ ।
ଦିଗମ୍ବର ରୂପ ଦେଖି ଶିବଙ୍କର
ଅଭିଶାପ ତାଙ୍କୁ ଦେଲେ ।୭।
ଲିଙ୍ଗ ରୂପେ ପୂଜା ପାଅ ବୋଲି ଶିବେ
ଅଭିଶାପ ଯେଣୁ ଦେଲେ
ଲିଙ୍ଗ ଶିବଙ୍କର ଭୂପତିତ ଦେଖି
ଆଦି ଶକତି ଧରିଲେ।୮।
ଶିବଶକ୍ତି ରୂପେ ଦଣ୍ଡ ଆଉ ଘଡି
ଚଢେୟାକୁ ବ୍ରହ୍ମା ଦେଲେ।
ସେହିଦିନଠାରୁ ଦଣ୍ଡକାଳୀ ଯାତ୍ରା
ପ୍ରଚଳିତ ହେଲା ଭଲେ।୯।
ଦଣ୍ଡକାଳୀ ଯାତ୍ରା ନିଷ୍ଠା ଓ କାଷ୍ଠାର
ତପ ବାରତା ଦିଅଇ।
ସମାଜ ଚଳଣି ସାମାଜିକ ବାର୍ତ୍ତା
ଏଥିରୁ ସଦା ମିଳଇ।୧୦।
ଭୋକ୍ତା ଏକୋଇଶ ଅବା ତେର ଦିନ
ଏହି ଯାତ୍ରା କରିଥାନ୍ତି ।
ଧୂଳି ଦଣ୍ଡ ପାଣି ଦଣ୍ଡ ଅଗ୍ନି ଦଣ୍ଡ ଆଦି
ଦଣ୍ଡ ସେ ଖେଳନ୍ତି ।୧୧।
ଆମ୍ବ ପତରରେ ଦାନ୍ତ ଘଷି ଲିଆ
ପଣା ମୁଗ ଆଦି ଖାଇ।
ଶରୀରକୁ ଦଣ୍ଡ ଦିଅନ୍ତି ସେମାନେ
କଣ୍ଟା ଦଣ୍ଡ କେ ଖେଳଇ।୧୨।
ନିଦ୍ରା ମୈଥୁନକୁ ତ୍ୟାଗ କରି
ଦଣ୍ଡ ଯାତ୍ରା ଭୋକ୍ତା କରିଥାନ୍ତି ।
ଉଦ୍ୟାପନ ହୁଏ ଏ ଦଣ୍ଡ ଯାତରା
ଆସିଲେ ପଣା ସଂକ୍ରାନ୍ତି ।୧୩।
ଦଣ୍ଡକାଳୀ ଯାତ୍ରା ଅର୍ଦ୍ଧ ରାତ୍ରେ ନୃତ୍ୟ
ଜମଇ ଗାଁ ଗଣ୍ଡାରେ।
ହାଡି ହାଡିଆଣୀ ବାହାରି ପ୍ରଥମେ
ମାର୍ଜନୀ ମାର୍ଜନା କରେ।୧୪।
ଦଣ୍ଡକାଳୀ ବାହାରନ୍ତି ତତପରେ
କେହି ବା ପ୍ରଭା କହନ୍ତି ।
ଚଢେୟାକୁ ଚଢେୟାଣୀ କେତେ ରଙ୍ଗେ
କେତେ ସୁଆଙ୍ଗ କରନ୍ତି ।୧୫।
ଶିବ ପାର୍ବତୀ ପୁଣି କେଳା କେଳୁଣୀ
ଯୋଗୀ ଯୋଗିଆଣୀ ଆଦି।
ଶବର ଶବରୀ ବୀଣାକାର ନେଇ
ଲୋକ ନାଟ୍ଯ ଏ ପ୍ରସିଦ୍ଧି ।୧୬।
ପ୍ରଭା ନାଗ ଫାସ ଦଣ୍ଡ ଗୌରୀବେତ ମୟୂରଚନ୍ଦ୍ରିକା ଗୁଆ।
କଷାୟବସନ ପତାକା ବେତ ଏସବୁ
ଦଣ୍ଡନାଚେ ଥୁଆ। ୧୭।
ଗଉରୀବେତରେ ସ୍ୱୟଂ ଶିବ ନିଜେ
ବିରାଜିତ ହୋଇଥାନ୍ତି ।
ଲୋକ ବିଶ୍ୱାସରେ ରହିଛି ଏକଥା
ଯାତ୍ରା ଦିଏ ସୁଖ ଶାନ୍ତି ।୧୮।