ଉଠନ୍ତୁ ହେ ମହାଶୟ
ଉଠନ୍ତୁ ହେ ମହାଶୟ
ଏ'କି ଲୀଳା ତୁମ ଆହେ ମହାଶୟ
ଥଟ୍ଟା ମଜା ତୁମ ଭଲ ଲାଗୁନି
ରସିକିଆ ପଣ ପଛକୁ ଥାଉ ହେ
ତୁମ ଚତୁରତା ଜଣା ଗଲାଣି |
ଏ ଯାଏ ତୁମର କପଟିଆ ଭାବ
ଗଲା ନାହିଁ କି ହେ ଗାଳି ଖାଇକି
କି ଲାଭ ହୋଇବ ତୋର ରେ କାଳିଆ
ସଂସାର ନାଵକୁ ଭାଙ୍ଗି ଦେଇକି ।
କାହିଁକି ଭରିଛ ମଣିଷ ଶରୀରେ
ରୋଗ ବ୍ୟାଧି ଆଉ ପାପ କଳୁଷ
ମାରିବା ତାରିବା ତୁମ ହାତ ଖେଳ
ସେଥିପାଇଁ କିବା କରୁଛ ଧ୍ବଂସ ।
କରିଥିବା କର୍ମ ମାନବ ଭୋଗୁଛି
ମାନବୀୟ ଗୁଣ ନାହିଁ ତା ଠାରେ
ମୋହ ମାୟା ଲବ୍ଧ ତୁଚ୍ଛା ଜୀବନ କୁ
ବଞ୍ଚାଇବା ପାଇଁ ଡାକେ ଉଚ୍ଚ ରେ |
ସରବ ସରିଲା କରମ ନ ହେଲା
ଧିକ ଜୀବନ କୁ ଭରସା କିସ
ମରଣ ଦୁଆରେ ସର୍ବେ ଉପଗତ
ପୋକ ମାଛି ପରି ହୋଇବେ ଶେଷ |
କର ଅନୁଗ୍ରହ ଗିରିବର ଟେକା
କାହିଁପାଇଁ ମାୟା ରଚୁଛ ଆଉ
ତୁମେ ନ ରଖିଲେ କିଏ ବା ରଖିବ
ଶରଣ ରକ୍ଷଣ ହେ ମହାବାହୁ |
ଭାବିବାକୁ ଆଉ ସମୟ କାହିଁ ହେ
ରତ୍ନବେଦୀ ଛାଡି ଆସ ଓହ୍ଲେଇ
ବେଶୀ ନ ହେଲେବି ଅଳପ ଆଖିରେ
ଦେଖ ଠାକୁର ହେ ସୁଦୟା ବହି |
କାରଣ ଦର୍ଶାଅ ନୋଟିସ ଲଗାଇ
ଠିକ ଭୁଲ ବାଛ ବିଚାର କରି
ସୁନ୍ଦର ତୁମର ବିଶ୍ୱବ୍ରହ୍ମାଣ୍ଡ କୁ
କଲବଲ କରି ଦିଅନା ମାରି |
ନିଜଗୁଣେ କ୍ଷମା କରିଦିଅ ଏବେ
ଅଚିହ୍ନା ରୋଗ କୁ ଦୁରେଇ ଦିଅ
ଜଗତବାସୀଙ୍କ ଦୁଃଖକୁ ଉଶ୍ବାସୀ
ଶରଣ ରକ୍ଷଣ ବାନା ଉଡାଅ ।