ଉତ୍ସର୍ଗିକୃତ ରକ୍ତକଣା
ଉତ୍ସର୍ଗିକୃତ ରକ୍ତକଣା
କବିତା - ଉତ୍ସର୍ଗିକୃତ ରକ୍ତକଣା
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୧୦-୨୦୨୫
+++++++++++++++++++
ଆଲୋକର ପର୍ବ ଦୀପୋତ୍ସବ ଦୀପାବଳୀ
କାଳିପୂଜା ମା' ଶ୍ୟାମାକାଳୀ
ପୟାଶ୍ରାଦ୍ଧ କାଉଁରୀ କାଠିରେ
ପୁଣି ବଡ଼ ବଡୁଆଙ୍କ ଡାକ କାହାଳୀ
ମୁରୁଜ ରଙ୍ଗୋଲି ପିଠା ମିଠାର ଆସର
ପୁଣି ବାଣଫୁଟା କେତେ ଖୁସି ମଜାର ରଙ୍ଗସ୍ଥଳି
ଏମିତି ସବୁ ପର୍ବ ପର୍ବାଣୀ ଆସିଲେ
ବୋଉ ମନକୁ ଧସେଇ ପସେ
ପରଦା ଆଢ଼େଇ ମୁରୁକି ହସେ
ଝିଅର ଅକୁହା ସ୍ପନ୍ଦନ ପରି କାଶେ
ମହକିତ ଅଗୁରୁ ଚନ୍ଦନ ପରି ବାସେ
ଆମେ ଓଡ଼ିଆ ଆମ ପର୍ବ ଭାରି ବଢିଆ
ବାର ମାସରେ ତେର ପର୍ବ ପାଳୁଛେ
ତଥାପି ମନରେ କୁନ୍ତୁ କୁନ୍ତୁ ଭାବ ଛାଡୁଛେ
ଆହୁରି କିଛି ବାକି ରହିଗଲା ଗଡପଡିଆ
ପାଞ୍ଜି କଥା ଛାଡ଼
ରାଧାରମଣ କ୍ୟାଲେଣ୍ଡର କାନ୍ଥରେ ଝୁଲେ ଓହଳେ
ମାସକୁ ମାସ ବଦଳେ
ପର୍ବ ପର୍ବାଣୀର ଲମ୍ବା ଚିଠା ବି ମାଳ ବଦଳେ
ଏହି ସବୁ ଶୁଭ ଅବସରକୁ ଚାହିଁଥାଏ ସଜଳେ
ବୋଉ ଆପେ ଆପେ ମନରେ ବସେ
ଅନ୍ତରର ଅନନ୍ତ ପ୍ରଦେଶରେ ପଶେ
ହୃଦୟ ଡେଇଁ ଆତ୍ମା ମୂଳକରେ ହସେ
ଆଉ ପିଠିକୁ ଧିରେ ଧିରେ
ପୁଷି ବିଲେଇ ପରି
ଆଉଁଷୁ ଆଉଁଷୁ
କାନ ମୂଳେ କହେ
"ତୁ ଏକା ନୁହଁ କେତେବେଳେ
ତୋ ଭିତରେ ମୁଁ ଅକାଳେ ସକାଳେ
ତୋ ଆତ୍ମାରେ ଅନୁଭବିବୁ ସବୁବେଳେ"
ବୋଉ ମନେ ପଡ଼େ ବହୁତ ଥର
ଅସରନ୍ତି ସ୍ରୋତ ପରି ଅନେକ ବାର
କାରଣ
ସମୟର ସବୁ ସରଣୀ ଡେଉଁ ଡେଉଁ
ଜୀବନର ସବୁ ରଙ୍ଗ ବିଧି ସଣ୍ଠଣା
ବୋଉଠୁ ଶୁଖୁଥାଉଁ
ରୋଷେଇ ସଫେଇ ବାସନ ମଜା
ତୁଳସୀ ମୂଳରେ ପାଣିଟେକା ପୂଜା
ଫୁଲତୋଳା ମାଳ ଗୁନ୍ଥିବାର କଳା
ଠାକୁର ଘରେ ଦୀପ ଲଗେଇବା ଲୀଳା
ସବୁ ବିଧି ବିଧାନ ନିଦାନ
ସବୁ ରୀତି ନିତି ପରମ୍ପରା
ପିଢ଼ି ପରେ ପଢ଼ି ଚାଲିଛି ଆଦନ ପ୍ରଦାନ ସଂପ୍ରଦାନ
ଚୂପ୍ ଚାପ୍ ଅନନ୍ତ କାଳରୁ ଅସରନ୍ତି ଫେରା
ପର୍ବ ପର୍ବାଣୀ ଆସୁ ଆସୁ
ବୋଉ ବି ଯେମିତି ଆସେ ଉହ୍ଲେଇ
ଝିଅ ଯେମିତି ଘର ସଜାଏ
ନୂଆ ପାଟମ୍ବରୀରେ ଝଲସୁ ଥାଏ
ଦୀପରେ ସଳିତା ଦେଇ ତେଲ ଢଳାଏ
ପୁଣି ନିଆଁ ଲଗେଇ ଘର ଅଗଣା ମହକାଏ
ଲାଗୁଥାଏ
ବୋଉର ସ୍ମୃତିଚିହ୍ନ
ଦୀପଶିଖାର ଲହ ଲହକା ବିସ୍ତାର
ବୋଉର ଉପସ୍ଥିତି
ପୁନର୍ଜନ୍ମ ନୀତିକାନ୍ତିର ମୃଦୁ ସ୍ଵାକ୍ଷର
ଝିଅମାନେ ବୋଧେ ଭାବୁଥିବେ
ବୋଉ ଏମିତି ସେମିତି କରୁଥିଲା
ଏପଟେ ଫୁଲ ସେପଟେ ଭୋଗରାଗ ସଜାଡୁ ଥିଲା
ସମୟ ବଢୁଥିଲା ଦୌଡ଼ୁଥିଲା
ଏମିତି ସେମିତି ଗୋଳିଆ ଘାଣ୍ଟିଆ କରୁ କରୁ
ସ୍ୱୟଂ ମା' ପାଲଟିଯାଏ ଅଜାଣତରେ
ଭାବରେ ଭାବନାରେ ଚେତନାରେ
କର୍ମରେ କର୍ମ ସଂପାଦନରେ
କେବେ କେବେ
ଦୀପାବଳିର ଶୁଭ ଦୀପଶିଖାକୁ ଲକ୍ଷ୍ୟକରି
ମନେ ମନେ ଗପୁଥିବ
ବୋଉକୁ ସୁମରି ଅନୁସରି ଅନର୍ଗଳ କହୁଥିବ
ବୋଉ ! ତୁ ଦେଖୁନୁ ବୋଉ !
ତୁ ଯେମିତି କରୁ ସେମିତି କରିଛି
ଆରତି ଥାଳି ବି ସେପରି ସଜେଇଛି
ଠାକୁର ଘରେ ତୁଳସୀ ଚଉରା ମୂଳରେ
ଦୁଆରବନ୍ଧରେ ଅଗଣା ଅମାର ଘର ଆଗରେ
ପଛପଟ ଗୁହାଳ ଘର ପାଖରେ
ଦୀପକ ସବୁ ଜଳେଇ ଦେଇଛି
ଆଉ ପୁଅଝିଅଙ୍କୁ ବି ତୋ ପରି ଶିଖେଇଛି
ଦୀପ ଲଗେଇବା ଆଗରୁ
ମନକୁ ଶାନ୍ତ ରଖିବାକୁ ପଡ଼େ
ଦୀପ ଜଳେଇବା ଆଗରୁ
ମନରେ ପବିତ୍ର ଭାବନା ଯୋଡ଼େ
ମୋତେ ଲାଗେ
ମୋ ଜନ୍ମଦାତ୍ରୀ ବୋଉ ମରି ନାହିଁ
ମୋ ଶିକ୍ଷାଗୁରୁମା ଦୀକ୍ଷାଗୁରୁମା
କଉଁଠି ହଜିନାହିଁ କି ବିସ୍ମରିନାହିଁ
ମୋ ବୋଉ ତା' ଗେହ୍ଲୀ ଭିତରେ
ହୋଇ ସ୍କୃତିକଣା
ହୋଇ ସସ୍କାର କଣିକା
ହୋଇ ସ୍ନେହର ଝରଣା
ଆଜି ବି ସ୍ପନ୍ଧିତ ଧାବିତ ଗର୍ବିତ
ମହମହ ଉତ୍ସର୍ଗୀକୃତ ରକ୍ତକଣା ।
