ଉଲ୍ଲାସ
ଉଲ୍ଲାସ
ଉଲ୍ଲସିତ ହୁଏ ମନ ଆନନ୍ଦର ସ୍ପର୍ଶରେ,
ପୁଲକିତ ହୁଏ ଶରୀର, ଭରେ ଉଦ୍ଦୀପନାରେ,
ସେ ଆନନ୍ଦର ପ୍ରାପ୍ତି ହୃଦୟ ବି ବୁଝେରେ,
ଯେବେ ସଫଳତାର ସନ୍ତୁଷ୍ଟି ପ୍ରାପ୍ତ ହୁଏ କାର୍ଯ୍ୟରେ,
ସ୍ରଷ୍ଟାର ସୃଷ୍ଟି ଅଟେ ଭିନ୍ନ ଭିନ୍ନ,
କିନ୍ତୁ ଏହା ତ ଅଟେ ଅନନ୍ୟ,
ବସନ୍ତର ମୃଦୁ ମଳୟ ସ୍ପର୍ଶେ,
ବୃକ୍ଷଲତା ଫୁଲ ପତ୍ର ହସି ଖେଳେ ଉଲ୍ଲାସେ,
ସେ ମଳୟର ପ୍ରୀତି ଭରା ପରସେ,
ସାଗର ର ବୁକୁ ଛୁଇଁ ବଢାଏ ପୁଲକ,
ସୁନ୍ଦରତରେ ଛୁଇଁ ଯାଏ ଆଖିର ପଲକ,
ଶ୍ରବଣର ନିର୍ଝର ଜଳ ଯେବେ ଝରେ,
ସଭିଙ୍କ ସଙ୍ଗେ ମୟୂରର ମନ ପୁଲକେ ଭରେ,
ସେ ଶ୍ରାବଣ ର ଝର ଯେବେ ଧରଣୀ ବୁକୁ ଛୁଏଁ,
ଉଲ୍ଲସିତ ହୁଏ ସିଏ, ଆନନ୍ଦ ପୁଲକେ ନାଚି ଫୁଲି ଯାଏ,
ପ୍ଲାବିତ କରେ ସବୁ ଶୁଷ୍କ ଭୂମି,
ମାନବ ଯେ ନାଚି ଉଠେ ଝୁମି ଝୁମି,
ବହି ଯାଏ ଯେବେ ସେହି ଜଳ ନଦୀ ନାଳେ,
ଉଲ୍ଲସିତେ କୁଳ ଲଙ୍ଘି, ଉନ୍ମାଦେ ଖେଳେ,
ଚାତକ ଚାତକି ଙ୍କ ମିଳନର ବେଳେ,
ଉଲ୍ଲସିତ ମନେ ପୁଲକେ ଆନନ୍ଦର ଲହଡି ଖେଳେ,
ତୁଷାର୍ତ୍ତ ସମ ସେହି ପ୍ରେମ ସୁଖ ପାନ କରି,
ଉଲ୍ଲାସ ଆନନ୍ଦେ ଝୁମେ ସାଗରର ଲହଡି ପରି,
ଏହି ସଂସାର ର କର୍ମକ୍ଷେତ୍ରରେ,
କର୍ମ କରି ନିଷ୍ଠା ବଳେ ସ୍ବପ୍ନ ପୁର୍ଣ କରେ,
କିନ୍ତୁ ଯେବେ ଭ୍ରମେ ଧାଵେ ମରୀଚିକା ପଛେ,
ପଥ ବଣା ହୋଇ ଆକୁଳେ ବିଷାଦେ ଅଶ୍ରୁ ଜଳ ପୋଛେ,
ମନର ଉଲ୍ଲାସ, ପୁଲକ ହୋଇଯାଏ ଦୂର,
ଖୋଜେ ଖାଲି କ୍ଷଣକ ଆଲୋକ ଆଶାର,
ଯେବେ ପ୍ରାପ୍ତି ହୁଏ ଏହି ଆଲୋକ,
ପୁନଃ ଲଭେ ମନେ ଉଲ୍ଲାସ ପୁଲକ,
ଏହା ଅଟେ ସମୟର ଚକ୍ର,
ଘୁରି ବୁଲେ ଚଉଦିଗେ ସଳକ ଅବା ବକ୍ର,
କର୍ମ ଧର୍ମ ଚାଲିଥାଏ ସମୟର ତାଳେ ତାଳେ,
ଉଲ୍ଲାସ ତ ଆସିଥାଏ କେବେ ବେଳେ ବେଳେ,
ସେ ଅଟେ ସଭିଙ୍କର ପୁଣି ନୁହଇ କାହାର,
ବୁଝି ପୁଣି ଅବୁଝା ହୁଏ ମନ, ଖୋଜେ କାରଣ ଉଲ୍ଲାସର |