ଉଦ୍ଧାର କର ଗଜାନନ
ଉଦ୍ଧାର କର ଗଜାନନ
ସୂର୍ଯ୍ୟଙ୍କ ମହାଲୋକର ମୋହଗ୍ରସ୍ତ ସଂସାର
ପ୍ରଖର କିରଣରେ ଜଳୁଥିବା ସ୍ୱାର୍ଥର ନିଆଁ
ଅବିଶ୍ୱାସର ଦୁନିଆ ବିବେକ ମରୁଡ଼ିର ମରୁଭୂମି
ବୁଡ଼ମଧ୍ୟ ଭାସମାନ ଦିଶୁଥାଏ ଏ ଜୀବନ ନାଆ
ଏହି ରଙ୍ଗଲଗା ଆବେଗ ବୋଳା ଜଙ୍ଗଲରୁ
ଏବଂ ଏ ଭରସାହୀନ କାଳରୁ ଉଦ୍ଧାର କର
କଞ୍ଚା ଅଭିନୟରେ ପୋଖତ ମଣିଷର ଜଗତ
ଏଠି ପ୍ରତିଦିନ ଫାଶୀ ପାଏ ସିଂହ ଭଗତ
ବୀର ସୁବାଷଙ୍କ ବାସ ଏବେ ଦୁର୍ଗନ୍ଧିତ ପ୍ରାୟ
ଗାନ୍ଧୀ ଗୋପବନ୍ଧୁ ଅବା ସାବରକରଙ୍କ ଆତ୍ମା
ଫୋଟୋ ହୋଇ ବନ୍ଧା କେବଳ ଲୋକ ଦେଖାଣିଆ
ଏ ମିଛ ଦୁନିଆରୁ ପ୍ରଭୁ ଦୟାକରି ଉଦ୍ଧାର କର
ନିତିଦିନ କେବଳ ବଞ୍ଚିବାର ଲକ୍ଷ୍ୟ ନେଇ
ଏପରି ଜୀବନ ତୁଛ ଏ ନିଶ୍ୱାସର ମୂଲ୍ୟ କିଛି ନାହିଁ
ଏ ସାର୍ଥକତାହୀନ ବନ୍ଧନରୁ ମୁକ୍ତ କର
କେବଳ ଖାଦ୍ୟ ପୋଷାକ ବାସଗୃହ ହିଁ ଜୀବନ
ପାଦତଳେ ତୁମର ଏତିକି ମାଗୁଣି ବିଘ୍ନେଶ୍ଵର
ଏ ବ୍ୟର୍ଥ ଜୀବନରୁ ପ୍ରଭୁ ଉଦ୍ଧାର କର
କେବଳ ଲୋକ ଦେଖାଣିଆ ଆଡ଼ମ୍ବର ବିଳାସ
ପେଟପୁରିଗଲେ କ'ଣ ସରିଯାଏ ନିଶ୍ୱାସ..!
ମଣିଷ ଜନମ ଏତେ ଛୋଟ ନୁହେଁ ଜାଣୁ ଦୁନିଆ
ଧରିତ୍ରୀ ଦାୟିତ୍ୱ ଭୁଲି ପରିବେଶ କରି କଳୁଷିତ
ପ୍ରକୃତି ସହ କରି ଦୁଃସାହସିକ ପ୍ରତିଦ୍ୱନ୍ଦ୍ୱିତା
ଏ ମୂଲ୍ୟବୋଧହୀନ ପ୍ରାଣରୁ ମୋତେ ଉଦ୍ଧାର କର।