ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ
ଯମୁନା ଯେ କିମ୍ଵଦନ୍ତୀ ହୁଏ
କଦମ୍ବ ତା ପତରେ ପତରେ
ପ୍ରୀତି ଲେଖି ଯାଏ ।
ତୁମକୁ ଦେଖିଲା ପରେ
ବାଉଁଶ ଯେ ବଂଶୀ ବନିଯାଏ
ସେଇ ସୁରେ ଶ୍ରୀରାଧାର
ନାମ ଲେଖି ଦିଏ ।
ତୁମକୁ ଦେଖିଲା ପରେ
ଗୋପପୁର ଉତ୍ସବରେ ଭାସେ
ଗୋପୀ ଜନ ମନୋହାରୀ
ନାମ ହୋଇ ଯାଏ ।
ତୁମକୁ ଦେଖିଲା ପରେ
କୁବ୍ଜା ହୁଏ ସୁନ୍ଦରୀ ରମଣୀ
ସୁଦାମାର ଭକ୍ତି ଭାବ ଜାଗେ
କହିଦିଏ ବନ୍ଧୁତ୍ୱ କାହାଣୀ ।
ତୁମକୁ ଦେଖିଲା ପରେ
କଂସ ମରେ ମଞ୍ଚାରୁ ଯେ ପଡ଼ି
ଗୋପୀଗଣ ବିମୋହିତ
ନିଜେ ପୁଣି ନିଜକୁ ଭୁଲନ୍ତି ।
ତୁମକୁ ଦେଖିଲା ପରେ
ଅସରନ୍ତି ଇତିହାସ ଲେଖା
ମୁଁ ଦେଖେ ତୁମକୁ ଯେବେ
ମୋ କୋଳରେ ପାଇବାକୁ ଇଚ୍ଛା ।
ତୁମକୁ ଦେଖିଲା ପରେ
ଯଶୋଦାର ମନ ମିଳିଯାଏ
ମୋ ପଣତ ମେଲି ଦେଇ
ତୁମର ଯେ ବାଟ ଚାହିଁ ରହେ ।
ତୁମକୁ ଦେଖିଲା ପରେ
ବୁକୁ ଭରା କୋହ ବାଷ୍ପ ହୁଏ
ମାଗିବାକୁ ଯଦି ଭାବିଥାଏ
ସେସବୁକୁ ପାଶୋରି ମୁଁ ଦିଏ ।
ତୁମକୁ ଦେଖିଲା ପରେ
ମାତୃତ୍ଵ ମୋ ବାହୁନି କାନ୍ଦେନି
ଅନୁଭବ ଅର୍ଗଳୀରେ ମଜ୍ଜି
ତୁମ ସଂଗେ ସଂପର୍କ ଯୋଡଇ ।
ତୁମକୁ ଦେଖିଲା ପରେ
ମୋହ ବନ୍ଧ ଭାଙ୍ଗି ମୋର ଯାଏ
ସବୁ ବନ୍ଧନ କୁ ଭୁଲି
ତୁମ ସଙ୍ଗେ ବାନ୍ଧି ହୋଇଯାଏ ।