ତୁମେ
ତୁମେ
କେବଳ ମୁଁ ହିଁ ଜାଣେ
ତୁମକୁ କେତେ ଆପଣାର ଭାବେ
କିନ୍ତୁ ତମେ ଅଭିନୟ ଭାବ !
ଅନେକ ଥର କହିଲା ପରେ
ସନ୍ୟାସ ନେଇ ସାରିଲେଣି
ମୋ ହୃଦୟରୁ ନିସୃତ ଶବ୍ଦପୁଞ୍ଜ
ଏବେ କେବଳ ବିଦାୟର ବେଳ !
ଠିକ କହେ କେହି ଜଣେ
ପରଦେଶୀ କି ବୁଝି ପାରିବ ?
ଛାତିକୁ ନିଜର କରିନେଇ ଥିବା କୋହ,
ବ୍ୟର୍ଥ ଭଲ ପାଇବା ପରି
ଲେସି ଦେଇଯାଏ ବିରହର ଛାପ !
ନିଜେ ହିଁ ମାରିବାକୁ ହେବ
ହୃଦୟରେ କଅଁଳୁଥିବା ପ୍ରେମକୁ
ଫାଶୀ ଦେବାକୁ ହେବ
ଦୁଷ୍ଟ ମନକୁ ଯେ ଖୋଜୁଥାଏ
ତମେ ମୁହଁ ଫେରେଇ ନେଲାପରେ ।
ସବୁ ଚେଷ୍ଟାପରେ ବିଫଳତାର ସ୍ପର୍ଶ
ଖନ୍ତେଇ ହୁଏ ଦୁଇ ନେତ୍ର ବୁହାଇ ଅଶ୍ରୁ
ବିକଳାଙ୍ଗ ସଜେଇଦିଏ ମସ୍ତିଷ୍କ
ଆଙ୍କିଦେଇ ତୁମେ'ର ସହସ୍ର ଜ୍ୟାମିତିକ ଚିତ୍ର !
ମୁଁ ଏବେ ଜୀଅନ୍ତା ଶବ
ଯଦି ଟାଣିବ ତୀକ୍ଷ୍ଣ କଟୁରୀରେ
ମୋ ଦେହରେ ଅନେକ ରେଖାଖଣ୍ଡ
ଝରିବନି, କାନ୍ଦିବନି ମୋତେ ଭଲ ପାଉଥିବା ରକ୍ତ ।।