ତୁମେ ଅଛ ବୋଲି ବାପା !
ତୁମେ ଅଛ ବୋଲି ବାପା !
ପୂଜାଷ୍ପଦ ବାପା !
ମାଟି ଜଗତର,
ନର ଦେହେ ଶ୍ରେଷ୍ଠ ତମେ, ଦୟା, କ୍ଷମା ଗୁଣେ,
ଅକଳ୍ପନୀୟ, ଅତୁଳନୀୟ ମୋ ଦ୍ବିତୀୟ ଈଶ୍ବର।
ତମ ଅଦ୍ବିତୀୟ ନାମ ଉଚ୍ଚାରଣେ,
ଶିହରୀତ ତନୁମନ,
ଓଃ କି ମିଠା ! ସତେ ଅବା ଅମ୍ରୁତ ବର୍ଷଣ।
ଏ ଧରାର ଆଲୁଅ, ଅନ୍ଧକାର, ସବୁଜିମା, ସୁଷମା,
ଚିହ୍ନେଇବାର ତମେ ହିଁ କାରଣ।
ତମେ ମୋ ସ୍ରଷ୍ଟା, ସ୍ଥିତି, ବିଲୟ କରଣ ।
ଏ ଦେହ, ରକ୍ତ, ମାଂସ, ମନ, ଧନ
ଅତ୍ରତତ୍ର ତମ କାୟା, ଛାୟା ବିଦ୍ଯମାନ।
ଅବର୍ଣ୍ଣନୀୟ ମୋ ଦ୍ବିତୀୟ ଈଶ୍ବର !
ତମ କାନ୍ଧେ ବସି ସରଗକୁ ବଢାଇଛି ହାତ ତୋଳିବାକୁ ଜହ୍ନ
ତମ ପିଠି ରେ ଲାଉ ହୋଇ, ଦେଖିଛି ମୁଁ ଅସୁମାରି ସ୍ବପ୍ନ।
ତମ ଅକପଟ ମିଠା ମିଠା ଆକଟ, ଶିଖାଇଛି ଚାଲିବାକୁ,
ଅନେକ ମସ୍ରୁଣ ବନ୍ଧୁର ବାଟ।
ତମର ସେ ଉପଦେଶ ବ୍ଯାକରଣ।
ଶିଖାଇଛି କରିବାକୁ ଜଟିଳ ଜୀବନର,
ସରଳ, ସୁନ୍ଦର ସମାଧାନ।
ମୋ ଅଳି ପୂରଣ ପାଇଁ ଯେବେ ଲଗାଇଛି କଳି,
ଶୁଖିଲା ହସଟିଏ ହସି, ନୀରବରେ ଯାଉଥିଲ ଭୁଲି।
ତମ ଉପରଟା ସିନା ଟାଣ ପାଷାଣ
ଫୁଲ ପରି କୋମଳ ତମ ମନ ।
ଯେତେ ବୁଝିଲେବି, ତମକୁ ପାରିଲିନି ଜାଣି ।
ତମ ନୀରବ ଆଖିର କରୁଣ ଚାହାଣୀ,
ଲେଖିଥିଲା ମୋ ଭବିଷ୍ଯତ ଜୀବନ କାହାଣୀ।
କହୁଥିଲା, ବାପା ହେଲେ ସବୁ ପାରିବୁ ତୁ ଜାଣି।
ବାପା, ବାସ୍ତବରେ ସବୁ ଆଜି ମୁଁ ଜାଣି ଗଲି,
ବାପା ହୋଇଯିବା ଯେତେ ସରଳ,
ବାପା ହୋଇ ବଂଚିବା ସେତିକି ଜଟିଳ ବୋଲି ।
ବାପା, ତମ ଗୋଟିଏ ବିନ୍ଦୁ ଝାଳ, ଟୋପାଏ ରକତ ମୂଲ୍ଯ,
ମୋ ଗୋଟିଏ ଜୀବନ ଠାରୁ ଆହୁରି ଅମୂଲ୍ଯ ।
ତମର ସେ ଗାମୁଛା, ମୋ ଦେହ ଝାଳରେ କେତେ ଯେ ଭିଜିଛି,
ଖଣ୍ଡିଏ ଲୁଗା ଜାମା ରେ ତମ ଦିନ ରାତି ଅନେକ ବିତିଛି ।
ପ୍ରତି ପୂହ୍ନେଇ, ପରବରେ,ନୂଆ ପୋଷାକ ଆଣିବାକୁ କେବେବି ଯାଇନାହିଁ ଭୁଲି ।
ତମ ଆଶୀଷ ମୁଦ୍ରାର ହାତ ମୋ ପାଇଁ ଶ୍ରେଷ୍ଠ ବରାଭୟ।
ତମ ବିନା ଜୀବନ ମୋ ଅନ୍ଧକାର ମୟ।
ତମେ ଆକାଶ ଠାରୁ ଉଚ୍ଚ, ଅଧିକ ନିର୍ମଳ।
ସାଗର ପରି ବ୍ଯାପ୍ତ, ଗଭୀର ବିଶାଳ ।
ତମ ପାଦ ଧୂଳି, ବଡଦାଣ୍ଡ ଧୂଳି ଠାରୁ ପବିତ୍ର।
ତମେ ଅଛ ବୋଲି ବାପା, ମୋ ଜୀବନ ଆଲୋକିତ।।
ହାୟ, ମୋ ଅପରିପକ୍ବ ବୟସ ର, ତମ ଅବର୍ତ୍ତମାନ,
ଝୁରୁଛି ତମକୁ ଖାଲି ରାତି ଦିନ।
ତଥାପି ମୁଁ କରେ ଅନୁଭବ, ତମେ ଅଛ ଛାଇ ପରି।
ବାପା, ତମେ ଆଉଥରେ ଆସନ୍ତକି ଫେରି !
ସମୟ ଦିଅନ୍ତାକି ଫେରାଇ ମୋ ପିଲାଦିନ!
ତମ ପିଠିରେ ବସି, ଜୀବନ ର ଉଛୁଳା ନଈକୁ ହୁଅନ୍ତି ମୁଁ ପାରି।
ଯାହା ମୁଁ ହୋଇଛି, ପାଇଛି ସେ ସବୁ ତମ ଆଶୀଷର।
ଧନ, ଜନ, ମନ ଅରପୁଛି ତମ ପାଦେ,
ଘେନ ମୋର କୋଟି ନମସ୍କାର !