ତୁ ଯେବେ ଖିଲି ଖିଲି ହସୁ
ତୁ ଯେବେ ଖିଲି ଖିଲି ହସୁ
ଧନରେ,
ଖାଲି ଖାଲି ଥିଲା ଏ ଜୀବନ
ତୁ ଭରିଦେଲୁ ପ୍ରାଣ ଏଇ ଜୀବନରେ
ଥିଲା ସେଇ ଅଗଣା
ଚାଲିବାକୁ କୁନି କୁନି ପାଦଟିଏ ନଥିଲା
ସେଇ କୋଳଥିଲା, ତୋ ପୂର୍ବରୁ ଥିଲା ଖାଲି ଖାଲି
ସେଇ ଜହ୍ନ ନିତି ଆସୁଥିଲା
ତାକୁ ଦେଖି କେବେ ଉତ୍କଣ୍ଠା ନଥିଲା
ଜହ୍ନମାମୁଁ ଗପଟିଏ ନଥିଲା
ସେଇ ଓଠ ଥିଲା
ନଥିଲା ଓଠରେ ହସ
ତୁ ଯେବେ କାନ୍ଦିଲୁ ତୋର ପ୍ରଥମ କାନ୍ଦ
କୁଆଁ କୁଆଁ କରି
ହସିଲୁ ଆମେ ବହୁ ବର୍ଷ ପରେ
ତୁ ଯେବେ ଗୁରୁଣ୍ଡିଲୁ ପ୍ରଥମ ଥର
ହସିଥିଲା ଘର ବଙ୍ଗଳା
ତୁ ଯେବେ ଚାଲିଥିଲୁ ପ୍ରଥମ ଥର ତୋର
କୋମଳ ପାଦରେ ଥରକୁ ଥର ପଡ଼ି ଉଠି
ହ୍ରୁଦସ୍ପନ୍ଦନ ଯେମିତି ବନ୍ଦ ହେଇଯାଉଥିଲା କ୍ଷଣକ ପାଇଁ
ଧନରେ,
ତୋର ଥିରି ଥିରି ଚାଲି ରେ
ହସିଉଠିଥିଲା ସାରା ଅଗଣା
ଏକାଠୀ କରିଥିଲୁ ତୁ
ସବୁ ଆତ୍ମୀୟଙ୍କୁ ଗୋଟିଏ ଡୋରୀରେ
ତୁ ଯେବେ ଡାକିଲୁ ମା, ଵାପା ପ୍ରଥମ ଥର
ଦୁନିଆଁର ସବୁ ଖୁସି ଅଜାଡ଼ି ଦେଲୁ ତୋ ବାପା ମା' ଥାଳରେ
ତୋର କୁନି କୁନି ଓଠରେ
ତୁ ଯେବେ କଥା କହୁ ପାଟି ଲଗେଇ
ଚେନାଏ ହସ ଫୁଟି ଯାଏ ସଭିଙ୍କ ମୁହଁରେ
ଧନରେ,
ତୁ ଆମ ହସର ଫାରୁଆ ଖୁସିର ପେଡ଼ି
ତୁ ଏବେ ଆମ ଜୀବନର ସୁତ୍ର, ବଂଚିବାର କାରଣ ।