ତୁ' ମୋ' ହୃଦୟ କବିତା
ତୁ' ମୋ' ହୃଦୟ କବିତା
ପ୍ରେମ ନୁହେଁ ତୁ' ମୋ' ହୃଦୟ କବିତା
ଶବ୍ଦରେ ପୀରତି ବୋଳୁ।
ଅନ୍ତର ତଳର ଅକୁହା ଭାଷାରେ
କେତେ ରଙ୍ଗ ପୁଣି ଢାଳୁ।
ବିରହ ମିଳନ ବିଚ୍ଛେଦ ପ୍ରତୀକ୍ଷା
ଋତୁ ପରି ଆସେ ଯାଏ।
ମୁହୂର୍ତ୍ତ ମୁହୂର୍ତ୍ତ ବଞ୍ଚିବାର କଳା
ସିଏ ଶିକ୍ଷା ଦେଇ ଥାଏ।
କେତେ ବେଳେ ଝରେ ଧାରା ଶ୍ରାବଣ ତ'
କେବେ ଚୈତାଳି ବାଆ।
ମନ ଉପବନେ କଳି ଫୁଟି ବାସେ
ମନେ ପଡେ ଯେବେ ନାଆଁ।
କାକଳୀ ଗୁଞ୍ଜନେ ଗୋଧୂଳି ଲଗନେ
ତନ୍ଦ୍ରାର ଶୀତଳ ଜହ୍ନେ।
ନିଶୀଥ ରଜନୀ ଧୂସର ଧୂଆଁରେ
ପ୍ରତି କ୍ଷଣେ ତୁ' ମୋ' ପ୍ରାଣେ।
ଗୋଟି ଗୋଟି କରି ତାରା ଫୁଲ ତୋଳି
ସଜାଏ ସପନ ଶେଯ।
ତମସା ରାଣୀକୁ ନେହୁରା ହୁଏ ମୁଁ'
ନପାହୁ ରାତ୍ରି ତ' ଆଜ।
ଭାବନା ରାଇଜେ ଉଛୁଳା ତରଙ୍ଗ
ଛୁଇଁ ଦିଏ ବେଳାଭୂମି।
କ୍ଷଣିକ ଆସଇ କ୍ଷଣିକେ ଫେରଇ
ପ୍ରୀତିର ଚୁମ୍ବନ ବୁଣି।
ଅମାୟିକ ପ୍ରଶ୍ନ କେବେ ଉଙ୍କି ମାରେ
ହୃଦୟ ଝରକା ଫାଙ୍କେ।
କିଏ ସେ' ନାୟକ ପ୍ରେମ କାହାଣୀର
ଯାହାକୁ ଭାବି ମୁଁ' ଲେଖେ।