ଟିକି ମନ.. .
ଟିକି ମନ.. .
ଟିକି ଟିକି ପ୍ରଜାପତି,
ନାନା ରଙ୍ଗ ନାନା ଜାତି
ଛୁଉଁ ଥାଏ ଫୁଲେ ଫୁଲେ,
ନାହିଁ ଶଙ୍କା କିଛି ଭୀତି,
ନାନା ରଙ୍ଗ ଫୁଲ ଦେଖି,
ଫୁଲେ ଫୁଲ ମଧୁ ଚାଖି,
ମଧୁମୟ ଟିକି ପ୍ରାଣ
ଟିକି ଆଶା ମନେ ସଞ୍ଚି,
ଉଡ଼ୁଥାଏ ଡେଣା ଝାଡ଼ି
ସବୁ ଦିନ ନିତି ନିତି !
ଟିକି ଟିକି ଡେଣା ସିନା,
ନାହିଁ ମନେ ଡ଼ର ଜମା,
ହେଉ ପଛେ ଯେତେ ଦୂର
ଦୂର ବଣ ସେ ପାହାଡ଼,
ପବନକୁ ଭୟ ନାହିଁ
ଦିନ ନାହିଁ ରାତି ନାହିଁ,
ନୂଆ ମନ ନୂଆ ପ୍ରାଣ
ଶୁଦ୍ଧ ଚଞ୍ଚଳ ଚିତ୍ତ ମନ,
ଥିଲେ ମନେ ଶ୍ରଦ୍ଧା ଭକ୍ତି,
ମନେ ଭୁଲି ପ୍ରିୟା ପ୍ରୀତି,
ଏ ଦୁନିଆ ସତ ଲାଗେ
ଟିକି ମନ ଛାୟା ଛବି.. !
ଛବି ସିନା ଲାଗୁ ଥାଏ,
ଚିତ୍ର ସିନା ଆଙ୍କି ହୁଏ,
ସେ ଛବି ଯେ ସତ ହୁଏ
ସତ କର୍ମ ଜ୍ଞାନ ଗୁଣେ,
ସେ ଜ୍ଞାନରେ ମତି ଥିଲେ,
ଏ ଜୀବନ ଧନ୍ୟ ହୁଏ,
ସପନ ବି ସତ ହୁଏ
ଜୀବନର ମନ୍ତ୍ର ସିଏ..!
ଛୋଟ ସିନା ତାର ଡେଣା
ଛୋଟ ନୁହେଁ ମନ ଜମା,
ଛୋଟ ପ୍ରାଣେ ବଡ଼ ମନ୍ତ୍ର,
ସ୍ନେହ ଶ୍ରଦ୍ଧା ଦିବ୍ୟ ଜ୍ଞାନ,
ଟିକି ମନ ଟିକି ପ୍ରାଣେ
ଟିକି ଟିକି ଭାବନାରେ
ଦେହ ମନେ ରହେ ସଦା
ଦେଶ ପ୍ରେମ ବହ୍ନି କଥା,
ଧୈର୍ଯ୍ୟ ଓ ସାହସ ଥିଲେ
ଜୀବନର ବ୍ରତ ସଦା..!
ବିଦ୍ୟା ଅଟେ ମହାଧନ,
ବାଳକେ କର ଉପାର୍ଜନ,
ଗୁରୁଙ୍କୁ ନ ମଣିବ ନର
ଗୁରୁ ଯେ ସାକ୍ଷାତ ଈଶ୍ୱର,
ସେବା ଧର୍ମ ମନ୍ତ୍ର ଯହିଁ
ଏକଲବ୍ୟ ଭକ୍ତି ତହିଁ,
ଧ୍ରୁବ ପ୍ରହଲ୍ଲାଦ ଅବା
ଆରୁଣି କାହାଣୀ ଜଣା,
ଖେଳ ବେଳେ ଖେଳ ସିନା
ପଢ଼ା ବେଳେ ପଢା ସିନା,
ତେବେ ଯାଇ ସୃଜି ପାର
ଜୀବନ ସଫଳ ଗଣା,
ସେ ଭକ୍ତି ସେ ଶ୍ରଦ୍ଧା ଶକ୍ତି
ଜୀବନେ ମିଳଇ ମୁକ୍ତି...!
ଛୋଟ ସିନା ଦୀପଟିଏ
ମାଟିର ମହିମା ଗାଏ,
ଆଲୋକ ସେ ଦେଇ ପାରେ
ଅନ୍ଧାର ହଟାଇ ପାରେ,
ଛୋଟ ଥିଲା ସେଇ ପିଲା,
ବାରିଷ୍ଟର ବୋଲାଇଲା,
କହିଥିଲା କାନେ କାନେ,
ଉଠିବୁ ତୁ କେତେ ଦିନେ,
ସେ ମନ୍ତ୍ରରେ ଜାତି ପ୍ରାଣ,
ଜାତି ପ୍ରେମ ବହ୍ନି ଯେହ୍ନେ,
ସେଇ ସ୍ମୃତି ଉଜାଗର,
ଜାତି ପ୍ରେମ ଗୌରବ,
ଜାଗ ଏବେ ସେଇ ମନେ,
ବଡ଼ ହେବା ଆମେ ଦିନେ,
ଛୋଟ ଥିଲା ଧରମା ସେ,
ଛୋଟ ସିନା ବାଜିଆ ଯେ,
ଛୋଟ ସିନା ଶରୀରରେ,
ଛୋଟ ନୁହେଁ ହୃଦୟରେ,
ଆସ ଆମେ ସଗରବେ
ଶିକ୍ଷା ନେବା ସଗୌରବେ,
ଦେଶ ପାଇଁ ଜାତି ପାଇଁ
କହିଯିବା କାନେ କାନେ,
ବଡ଼ ହେବା ଆମେ ଦିନେ
ରଖିବା ଯଶ ଯେସନେ,
ଏ ଦେଶର ଏ ମାତୃକାର
ଗାଇ ବନ୍ଦନା ଯଥା ମାନେ
ଇତିହାସ ରଚି ଯିବା
ରହିବ ସେ କାଳେ କାଳେ..!