ତମେ ଆସନ୍ତ କି ପ୍ରିୟା !
ତମେ ଆସନ୍ତ କି ପ୍ରିୟା !
ତମେ ଆସନ୍ତକି ପ୍ରିୟା
ଉଆଁସ ରାତିରେ
ଜହ୍ନକୁ ନେଇକି ସାଥିରେ
ଦେଖେଇ ଦିଅନ୍ତି
ଆଉ ଏକ ଜହ୍ନ
ରଖିଛି ଏଇ ମୋ ଛାତିରେ ।
ଚିର ଯୌବନୀ
ଅମୃତ ଭାସିନୀ
ଜୋଛନା ଢାଳୁଛି ପ୍ରୀତିରେ
ସବୁ ରାତି ଲାଗେ
ପୁନେଇ ପୁନେଇ
ତୁମେ ଥିଲେ ମୋ କତିରେ ।
ତମେ ଆସନ୍ତକି ପ୍ରିୟା
କୁଆଁସା ସକାଳେ
କୁଆଁତାରା ନେଇ ସାଥେ
ଟିକିଲି ଟେ କରି
ମଥାରେ ତୁମର
ପିନ୍ଧେଇ ଦିଅନ୍ତି ହାତେ ।
ଝିଲିମିଲି ତୁମ
କପାଳକୁ ଦେଖି
ଲାଜେଇ ଯାଆନ୍ତା ଉଷା
ଡେରି ହେଲେ ଟିକେ
ରାତି ପାହିବାରେ
ସୂରୁଜ ମାରନ୍ତେ ଠେସା ।
ତମେ ଆସନ୍ତକି ପ୍ରିୟା
ଆଦ୍ୟ ଆଷାଢ଼ରେ
ପହିଲି ବରଷା ନେଇ
ଗାଧେଇ ଦିଅନ୍ତି
ତନୁକୁ ତୁମର
ବଟା ହଳଦୀ ଲଗେଇ ।
<
br>
ଦେଖି ଗୋରା ଦେହ
ରୁଷନ୍ତେ ଗୌରୀ
ଶଙ୍କରଙ୍କୁ ପଛ କରି
ସଜଳ କଜଳ
ନୟନୁ ତୁମର
ହସ ପଡ଼ୁଥାନ୍ତା ଝରି ।
ତମେ ଆସନ୍ତକି ପ୍ରିୟା
ପୌଷ ସଂଜରେ
ଶୁଭ୍ର କୁସୁମ ଧରି
ସଜେଇ ଦିଅନ୍ତି
ଅତି ସରାଗରେ
ଗଭାରେ ଗଜରା କରି ।
ଅପୂର୍ବ ଲାବଣ୍ୟ
ଦେଖୁ ଦେଖୁ ପୂଣ୍ୟ
ରାତି ଯାଉଥାନ୍ତା ସରି
ସରମେ ସରମୀ
ମରମେ ମଉଳି
ଶେଫାଳି ପଡ଼ନ୍ତା ଝରି ।
ତମେ ଆସନ୍ତକି ପ୍ରିୟା
ଫଗୁଣ ଶେଷରେ
ଚଇତି ଘୋଡ଼ାରେ ବସି
ଚୋରା ଚଇତାଳି
ମାରୁଥାନ୍ତା ତାଳି
ବରଷି ଯାଆନ୍ତା ଖୁସି ।
ହଳଦୀ ବସନ୍ତ
ନାଚନ୍ତା ବହୁତ
କୋଇଲି ସାଥିରେ ମିଶି
ଅଦିନିଆଁ ମେଘ
କରୁଥାନ୍ତା ରାଗ
ବୈଶାଖି ଯାଆନ୍ତା ରୁଷି ।