ତିନି ତୁଣ୍ଡରେ ଛେଳି କୁକୁର
ତିନି ତୁଣ୍ଡରେ ଛେଳି କୁକୁର
ମଣିଷ ଜୀବନ ଆଲୁଅ ଅନ୍ଧାର କେବେ ଲୋଡା କେବେ ଅଲୋଡା
ବିପର୍ଯୟ ଯେବେ ବିହି ଅଛି ଲିହି ଦୁର୍ଗମ ସେ ପଥ ଖସଡା
ଯେତେ ସତ୍ୟ ସବୁ ମିଥ୍ୟା ପ୍ରମାଣଇ
ମିଛ ଯାହା ସବୁ ସତ ଲାଗୁଥାଇ
ଭାଗ୍ୟ କୁ ନିନ୍ଦଇ ନିରୁପାୟ ହୋଈ ଯେ ଅସ୍ତମିତ ଭାଗ୍ୟ ତାରା ।
ସୁବର୍ଣ୍ଣ ଭୂଷିତ ଅଭରଣ ଯେତେ ବେଙ୍ଗି ପିତଳ ସେ ବୋଲାଏ
ହେଉ ପଛେ ସୁନା ତିନି ତୁଣ୍ଡରେ ସେ ଦିଶଇ ପିତଳ ପରାୟେ
ବିହିର ଏହିକି ବିଚିତ୍ର ଆଲେଖ୍ୟ
ଫଟା କପୋଳ କୁ ଭୃକୁଟି ଆକ୍ଷେପ
ଜୀବନ ଏମିତି ଗୋଟେ ପଶା ପାଲି କପଟୀ ବସି ଖେଳୁ ଥାଏ ।
କପଟୀ ବେଭାର ନବୁଝି ସେଦିନ କୁକୁର ଭାବିଲା ଛେଳିକୁ
ପଥେ ଆସୁ ଆସୁ କପଟତା କରି ଭିନ୍ନ ଭିନ୍ନ ବେଳେ ତାହାକୁ
ତିନି ସାଙ୍ଗ ତାକୁ ପଚାରନ୍ତି କିରେ
କୁକୁର କାହିଁକି ବୋହିଛୁ କାନ୍ଧ ରେ
ଅଭାଗା ସେଦିନ କୁକୁର ଭାବିଣ ପଥେ ଫିଙ୍ଗି ଦେଲା ଛେଳିକୁ ।
ଲୋକ କଥା ଏହା ଢଗ ଢମାଳି ରେ ନିହିତ ହୋଇଛି ସେକାଳୁ
ଏମିତି କା ହୁଏ ସମାଜେ ଚେତାଇ ଦେଇଛନ୍ତି ୟେ ସମାଜ କୁ
ହତଭାଗ୍ୟ ଭାଗ୍ୟେ କପଟୀ କପଟ
କପଟ ପଶାରେ କରେ ଛଟପଟ
ସାବଧାନ ହୁଅ ଚେତାଇ କୁହନ୍ତି ବିବୁଦ୍ଧ ଜନେ ୟେ ଜନଙ୍କୁ ।
ଏମିତି ଅନେକ ଘଟଣା ଘଟୁଛି ଆଜି ସମାଜରେ ଆମର
ସଚେତନତା ର ଅଭାବେ ଜୀବନ ଆହା ସତେ କେତେ ବିକଳ
ତିନିତୁଣ୍ଡେ ଛେଳି କୁକୁର ସମାନ
ନିନ୍ଦିତ ହୁଅଇ ହରାଇ ସମ୍ମାନ
ମଣିଷ ର ଚିତ୍ତ ଏମିତି ବିକୃତ କରେ ପଶୁ ସମ ବେଭାର ।
ସତ୍ୟ କୁ ଅସତ୍ୟ ନକର କଦର୍ଥ ପଶାଖେଳ ଆଉ ନଖେଳ
ମିଛେ ଅପଯଶ ଦେଇ କେଉଁ ପ୍ରାଣ ନହେଉ ସଂସାରେ ବିକଳ
କପଟୀ ଜାଲରେ ତ୍ରେତାରେ ଶ୍ରୀରାମ
କେତେ ଦୁଃଖ ଆହା ଜୀବନ ସଂଗ୍ରାମ
ଢଗ ଢମାଳି କୁ ନଭାବ ସାମାନ୍ୟ କରନ୍ତୁ ବୁଦ୍ଧେ ତା ବିଚାର ।
ସେଦିନ ଅସତ୍ୟ ପଶା ପାଲି ଖେଳ ଶକୁନି କପଟ ଜାଲରେ
ପଣ୍ଡୁପୁତ୍ର ବନ ଗମନ କରିଲେ ସତ୍ୟ କୁ ଲୁଚାଇ ସଭାରେ
ନହାରି ହାରିଲେ କପଟୀ ମାୟା଼ରେ
ତ୍ରୀତୁଣ୍ଡେ ଛାଗଳ ଶ୍ଵାନ ପରକାରେ
ଏପରି ନହେଉ ସମାଜେ ସୁଜନେ (ଭାବି) ପ୍ରଫୁଲ୍ଲ ରଚିଲା ଗୀତରେ ।