## ଥୁଣ୍ଟା ଗଛ ##
## ଥୁଣ୍ଟା ଗଛ ##
ଜୀବନ ବୃକ୍ଷଟା ପତ୍ର ଝଡା ପରେ
ହୋଇଛି ଥୁଣ୍ଟା ଗଛଟେ
ମାଳିରୂପେ ପିତା ରୋପିଥିଲେ ପରା
ବଢିଥିଲା ମା ଆକଟେ ।।
ମନେ ପଡେ ସେଇ ପିଲା ଦିନ କଥା
ମାଆ ପାଖ ସବୁ ଅଳି
କେତେ ଯତନରେ ଉଭୟେ ମିଶିକି
ବଢାଇଲେ ପାଣି ଢାଳି ।।
ଗଛ ବଡ ହେଲା ପତ୍ର କଅଁଳିଲା
ବହୁ ଫୁଲ ଫୁଟିଗଲେ
ଯେମିତି ଆଘାତ ନ ହେବ ମତେତ
ଯତନରେ ଜଗିଥିଲେ ।।
ଜଗୁଆଳି ପରେ ବାଡ଼ ଦୋହଲିଲା
ହୋଇଗଲି ଅବାଂଛିତ
ଥୁଣ୍ଟା ଗଛ ହୋଇ ଅପେକ୍ଷା କରିଛି
ସ୍ନେହରୁ ହୋଇ ବଞ୍ଚିତ ।।
ତଥାପି ବିଶ୍ୱାସେ ସୁଦୂର ଆକାଶେ
ଚାହିଁ ରହି ଅଛି ମୁହିଁ
ବିଧାତା କରିଛି ଏମିତି ଅବସ୍ଥା
କାହା ଉପକାର ପାଇଁ ।।
ପବନ ହିଲ୍ଲୋଳେ ଥରୁଛି ନିତି ମୁଁ
ଭରସା ପାଉନି ଆଉ
ଅସମୟେ ଟଳି ପଡିଯିବି ଦିନେ
ବୟସଟା ଥାଉ ଥାଉ ।।
ଥୁଣ୍ଟା ପତ୍ର ଝଡା ଗଛ ଜାଣିଥାଏ
ଏକାକିତ୍ବ ଅନୁଭବ
ମଧ୍ୟାହ୍ନ ଖରାରେ ସିଝିଗଲା ପରେ
ସବୁ ଲାଗେ ପରାଭବ ।।