ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଗାଆଁ ଶେଷମୁଣ୍ଡ ଥୁଣ୍ଟା ଗଛଟିଏ
ଠିଆ ହୋଇଅଛି ନିରବ ହୋଇ
ନାହିଁ ଶ୍ୟାମଳିମା ରୂପ ରଙ୍ଗ ତା'ର
ଦେହେ ଫୁଲ ଫଳ ସମ୍ଭାର ନାହିଁ ।
ପତ୍ରର ଗହଳ ଶୋଭା ପାଉନାହିଁ
ଛାୟା ଦେଉନାହିଁ ଖରାବେଳରେ
ସରାଗେ ବାଟୋଇ ବସୁନାହିଁ ମୂଳେ
ନାହିଁ ପକ୍ଷୀ ବସା ତା'ର ଶାଖାରେ ।
ରଜ ପରବରେ ଦୋଳି ବାନ୍ଧିବାକୁ
ଆସୁନାହାନ୍ତି ଯେ ଗାଆଁର ଝିଅ
ବାୟୁ ଛାଡି ପ୍ରାଣ ବଞ୍ଚାଇ ପାରୁନି
ହୃଦୟେ ତାହାର ଭରିଛି କୋହ ।
ବିତିଯାଇଅଛି ବୟସ ତାହାର
ତଥାପି ମାଟିକୁ ଜାବୁଡି ଧରି
ମଲାଯାଏଁ ସେବା କରୁଛି କରିବ
ଜୀବନ ମୂଲକୁ ସର୍ବଦା ସ୍ମରି ।
ମଲାପରେ ତା'ର ପୂର୍ଣ୍ଣ ଅବୟବ
ଦାନ କରିଦେବ ଆମରି ପାଇଁ
ଅବଦାନ ତା'ର ବୁଝ ହେ ମଣିଷ
ଥୁଣ୍ଟାଗଛ ବୋଲି ଅଲୋଡା ନାହିଁ ।