ସୁପକ୍ଵ ଭାବାବଳୀ
ସୁପକ୍ଵ ଭାବାବଳୀ
ଜନନୀ ଜଠରେ ଥିଲି ମୁହିଁ ଦିନେ ଶୋଇ
ବାହ୍ୟ ଦୁନିଆଁର କାଳିମା କଳ୍ମଶକୁ ଭୁଲାଇ l
ଦଶମାସ କରିଥିଲେ ମୋତେ ପ୍ରଭୁ ଶାନ୍ତିକାମୀ
ପ୍ରଭୁନାମ ଚିନ୍ତନେ ଥିଲି ମୁହିଁ ସଦା ଉଦ୍ୟମୀ l
ପୂର୍ବ ଜନ୍ମସ୍ମୃତି କବଳୁ ଥିଲି ତଦା ସମ୍ପୂର୍ଣ୍ଣ ବିମୁକ୍ତ
କେବଳ ବିଭୁ ପଦାରବିନ୍ଦ ସ୍ମରଣେ ଥିଲି ବିଲିପ୍ତ l
ଆସିଥିଲି ଯେବେ ଜନନୀ ଜଠରୁ ମୁହିଁ ପଦାକୁ
କୁଆଁକୁଆଁ ରଡ଼ିରେ ପାସୋରି ଅତୀତ ଜନ୍ମକୁ l
ପରାଣ ବିକଳେ ଚୁଷି ଥିଲି ମାତୃ ସ୍ତନୁ ମୁହିଁ କ୍ଷୀର
କ୍ଷୀର ନୁହେଁ ସେତ ଥିଲା ପ୍ରାଣଦାତା ସୁଧାନୀର l
ନୂତନ ସ୍ମୃତିରେ ପରିପୂର୍ଣ୍ଣ ହେଲା ମୋ ମାନସପଟ୍ଟ
ଜ୍ଞାତିକୁଟୁମ୍ବଙ୍କ ବଦନ ଦର୍ଶନେ ମନ ହେଲା ଉଦ୍ଭଟ l
ଶଶୀକଳା ସମ ହେଲି ମୁଁ ବର୍ଦ୍ଧିତ ସ୍ୱଜନନୀ କୋଳେ
ଯୋଗ୍ୟତା ଅରଜି ବିବାହ ବନ୍ଧନେ ପଶିଲି ଆତୁରେ l
ଧନଜନ ଗୋପଲକ୍ଷ୍ମୀ ଲଭି ହେଇଛି ମୁଁ ଆଜି ପ୍ରବୃଦ୍ଧ
ଭବସାଗର ସ୍ରୋତେ ଭୁଲି ମୋ ପ୍ରିୟ ବିଭୁପଦାରବିନ୍ଦ l
ସଂସାର ଜଟିଳ ଜଞ୍ଜାଳୁ ପ୍ରାଣାନ୍ତେ ହେବାକୁ ମୁକତ
ଇଷ୍ଟନାମ ଭଜି ଭଜି ଜୀଇଁ ଚାଲିଛି ମୁଁ ଆଜି ଅବିରତ l
ଜନ୍ମମୃତ୍ୟୁ ଚକ୍ରେ ଭ୍ରମିବାକୁ ନାହିଁ
ଆଉ ମୋ ଦୁରାଶା ଏଣିକି ଲବେ ।
କେବଳ ମାତର ନିର୍ବାଣ ନିମନ୍ତେ
କରି ଅଭିପ୍ସା ପୋଷଣ ବଞ୍ଚିଅଛି ସଗରବେ l