ସୁନୟନାର ସହନଶୀଳତା
ସୁନୟନାର ସହନଶୀଳତା
ଯେବେଠାରୁ ସେ ନାମ ପାଇଛି କନ୍ଯାରତ୍ନ
ତାକୁ ମଇଳା ହେବାକୁ ଡର
ତେଣୁ ସେ ଇଛାର ଧୂଳି ଖେଳିବନି,
ଯେବେଠାରୁ ତାକୁ ମୂଲ୍ଯବାନ କୁହାଯାଇଛି
ତାକୁ କିଏ ଚୋରାଇ ନେବାର ଭୟ
ତେଣୁ ସେ ଚାରିକାନ୍ଥ ଡ଼େଇଁ ଦାଣ୍ତକୁ ଯିବନି,
ମୁହଁକୁ ତାର କୁହାଯାଏ ଚାନ୍ଦ ବୋଲି
ହେଲେ ସେ ମୁକ୍ତ ଆକାଶେ ରହିପାରିବନି,
ତା' କଥାରେ ସରସ୍ୱତୀ ତା' କାମରେ ଲକ୍ଷ୍ମୀ
ତଥାପି ସେ ମନଖୋଲି କଥା କହିବନି,
ସେ କେବଳ ସହିବ, ସହିଲେ ହିଁ ଦୁନିଆ ଆଖିରେ ଜିଇଁବ.. !!
ଯେବେଠାରୁ ତାକୁ କୁହାଯାଇଛି କଣ୍ଢେଇଟିଏ
କାଳେ ତାକୁ କିଏ ଖେଳି ଭାଙ୍ଗି ଦେବାର ଭୟ
ତେଣୁ ସେ ବାହାରେ କାହା ସହ ଖେଳିବନି,
ଯେବେଠାରୁ ତାକୁ କୁହାଯାଇଛି ଫୁଲଟିଏ
କିଏ କାଳେ ଦଳି ମକଚି ଦେବ ପାଦରେ
ତେଣୁ ତାକୁ ମହକିବାକୁ ଦିଆଯିବନି,
ଯେବେଠୁ ତାକୁ କୁହାଯାଇଛି ଅନ୍ନପୂର୍ଣ୍ଣା ବୋଲି
ସେ ସୁସ୍ୱାଦୁ ବ୍ୟଞ୍ଜନ କରି ପରଷି ଚାଲିଥିବ
ତା' ପାଟିର ସ୍ୱାଦ କଥା କେହି ଭାବିବେନି
ସେ କୁଆଡ଼େ ସର୍ବଶେଷରେ ଭୋଜନ କରିବ
ଶେଷବେଳକୁ ଥିଲେ ଖାଇବ ନହେଲେ ଉପବାସ,
ସେ କେବଳ ସହିବ ସହିଲେ ହିଁ ଦୁନିଆ ଆଖିରେ ଜିଇଁବ..!!
ବିତିଯାଏ ସମୟ ବିତୁଥାଏ କାଳକ୍ରମେ ବୟସ
ବୟସ ବଢିଲେ ଶରୀର ବଢେ ଧୀରେ
କାଳେ କାହାର ପଡ଼ିବ କୁତ୍ସିତ ନଜର
ତାକୁ ପେଟ ପୁରା ଇଛାରେ ଖାଇବା ଦିଆଯିବନି,
କିଶୋରୀ କନ୍ଯା ଋତୁବତୀ ହେବାପରେ
ତା ଦେହକୁ କିଏ ଅପବିତ୍ର କରିଦେବା ଭୟ
ତେଣୁ ତା' ଇଛାରେ ପୁରୁଷ ସହ ସାକ୍ଷାତ ହେବନି,
ତା' ରୂପ ବହୁତ ସୁନ୍ଦର, ତା ହସ ମଧୁର
କିଏ କାଳେ ତା' ରୂପ ଦେଖି ହୋଇଯିବ ଟାଣି
ତାକୁ କୁହାଯାଏ ମା' ଲୋ ତୁ ଅଧିକ ହସିବୁନି,
ସେ କେବଳ ସହିବ, ସହିଲେ ହିଁ ଦୁନିଆ ଭଲ କହିବ..!!
ଯେବେଠାରୁ କୁହାଯାଇଛି ତାକୁ ଧରିତ୍ରୀ ବୋଲି
ଶାନ୍ତିରେ କେବେ ସେ ବିଶ୍ରାମ ନେବା ଜାଣିନି,
ବିଶ୍ରାମ ନେଲେ ତାକୁ କୁହାଯିବ ଅଲକ୍ଷଣୀ ବୋଲି
ଚାକରାଣୀ ପରି କାମ କଲେ ମିଳିବ ଗୃହିଣୀର ସମ୍ମାନ
ତାକୁ ନିଜ କଥା କହିବାକୁ ସମୟ ଦିଆଯିବନି,
ନିଜକୁ କେବଳ ଶଯ୍ୟାସଙ୍ଗୀନି ରୂପେ ଦେଖୁଥାଏ ସିଏ
ଅର୍ଦ୍ଧାଙ୍ଗିନୀ ର ମର୍ଯ୍ୟାଦା ତାକୁ କାହିଁକି ଦିଆଯିବନି
ପ୍ରଶ୍ନ କଲେ ଅପରାଧ, ବ୍ଯବସ୍ଥା ତାର ଦଣ୍ଡ-ଶାସ୍ତି ପାଇଁ
ଚୁପ୍ ବସି ରହିବାକୁ ବି ତାକୁ କେବେ ଦିଆଯିବନି,
ସେ କେବଳ ସହିବ, ସହିଲେ ହିଁ ଦୁନିଆ ଆଖିରେ ଜିଇଁବ..!!
ସୁନୟନା (ସ୍ତ୍ରୀ) କେବଳ ନାମକୁ ମାତ୍ର ପରିବାରେ
ସମର୍ପଣରେ ନିଜକୁ ଉଜାଡ଼ି ଦିଏ ସେ ପରିବାର ପାଇଁ
ତାର ଯତ୍ନ ରତ୍ନ ଭଳି ନ ନେଇ ମଣିଷ ଭଳି ହେଉ
କେତେଦିନ ସହିବ ଆଉ କେତେଥର ସହିବ
ନିର୍ଦ୍ଧାରଣ କରାଯାଉ ତା'ର ସହିବାର ସୀମା
ସେ ମରିମରି ଆଉ ବଞ୍ଚିବନି ନିଜକୁ ନିଜେ ମାରିବନି,
କାହିଁକି ଏ ସମାଜର ବିଷପ୍ରାୟ ବ୍ୟବସ୍ଥା
ଗୋଟେ ପରେ ନାରୀ ଜାଲରେ ଅନେକ କାମୁକ
ଅନ୍ୟପଟେ ସୁଚରିତ୍ରା ବୋଲି ସେ କାହିଁ ବଞ୍ଚିବନି,
ଭାଙ୍ଗିଯାଉ ପରମ୍ପରା ଚରିତ୍ରବାନ ନାରୀ ଆଉ ନକାନ୍ଦୁ
କାହିଁକି ସେ କେବଳ ସହିବ ସହିଲେ ହିଁ ଦୁନିଆ ଆଖିରେ ଜିଇଁବ..!!
