ସୁନ୍ଦର
ସୁନ୍ଦର
ସୁନ୍ଦର ଲାଗଇ
ଅନନ୍ତ ଆକାଶ
ତା ବୁକୁର ଶଶୀ ତାରା।
କି ସୁନ୍ଦର ଦିଶେ
ସବୁଜ ବନାନୀ
ସଦା ଫୁଲ ଫଳେ ଭରା।
ସୁନ୍ଦର ଦିଶଇ
ବିଶାଳ ସାଗର
ତା ବକ୍ଷର ଉର୍ମିମାଳା।
କି ସୁନ୍ଦର ଦିଶେ
ମୟୁର ନାଚିଲେ
ମେଘେ ନିରେଖି ଚପଳା।
କି ସୁନ୍ଦର ସତେ
ପ୍ରାତଃ ସୂରୁଜର
ସ୍ବର୍ଣ୍ଣାଭ କିରଣଧାରା।
ସୁନ୍ଦର ଦିଶଇ
ନିର୍ମଳ ଶରତେ
ଶୁଭ୍ର କାଶତଣ୍ଡୀ ପରା।
ଆହା କି ସୁନ୍ଦର
ଶିଶୁର ଓଠର
ଅନାବିଳ ମିଠା ହସ।
ସୁମନ ଓଠରେ
ପ୍ରଜାପତି ସ୍ପର୍ଶ
ଲାଗଇ କେତେ ସରସ।
ଧରଣୀ ବୁକୁରେ
ସୁନାର ଫସଲ
ଦିଶଇ କେଡ଼େ ସୁନ୍ଦର।
ପୁଷ୍କରିଣୀ ନୀରେ
ବାରିଜ କୁମୁଦ
ଆହା କେତେ ମନୋହର।
ମେଘୁଆ ଆକାଶେ
ଖରା ଛାଇ ଖେଳେ
ଇନ୍ଦ୍ରଧନୁ କି ସୁଷମ।
ବର୍ଷାସିକ୍ତ ଘାସେ
ସାଧବବୋହୁର
ଚାଲି କେଡ଼େ ଅନୁପମ।
ଧୂଳିରୁ ସରଗ
ଯେତେ ସରଜିଛ
ସବୁ ପ୍ରଭୁ ! ମନୋରମ।
କିନ୍ତୁ ତବ ବିଶ୍ଵେ
ମଣିଷର ମନ
ସବୁଠୁଁ ସୁନ୍ଦରତମ।
ସେଥିପାଇଁ ସିନା
ଏ ସୃଷ୍ଟି ସୁନ୍ଦର
ଏ ସଂସାର ମଧୁମୟ।
କୃପା କର ପ୍ରଭୁ !
ସେ ସୁନ୍ଦର ମନ
ତବପଦେ ହେଉ ଥୟ।
----------------------------
© ବିଶ୍ଵନାଥ ନାୟକ