Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswanath Nayak

Others

3  

Biswanath Nayak

Others

ସୁନା ଫସଲ_________

ସୁନା ଫସଲ_________

1 min
203


ଭଲ ଲାଗୁଥିଲା

ପ୍ରଭାତ ଭ୍ରମଣ

ଶାନ୍ତ ଶୀତୁଆ ସକାଳେ। 

ଗଛ ଲତା ସବୁ

ଶୋଇ ଯାଇଥିଲେ

ଧରଣୀରାଣୀର କୋଳେ। 


ଧରଣୀର ତନୁ 

କୁହୁଡ଼ି -ବସନେ

ହୋଇଥିଲା ଆଚ୍ଛାଦିତ। 

ରାଜରାସ୍ତାପରେ 

ଦୂର ପଥଚାରୀ 

ଦିଶୁଥିଲେ ଛାୟା ବତ। 


ସଡ଼କ କଡ଼ରେ

ଅନାବନା ଫୁଲ

ଭିଜି ଭିଜି କାକରରେ। 

ଶୀତରୁ ସତେକି

ରକ୍ଷା ପାଇବାକୁ

ଥିଲେ ଭାନୁ ପ୍ରତୀକ୍ଷାରେ। 


ପଥ ବେନି ପାଖେ

ଧାନକ୍ଷେତେ ସବୁ

ପାଚିଲା ସୁନା ଫସଲ। 

ଧରଣୀବକ୍ଷରେ

ସ୍ଵର୍ଣ୍ଣଖଣ୍ଡ ସମ

ଦିଶୁଥିଲେ ଝଲମଲ। 


ହଳଦୀରଙ୍ଗର

ଧାନପତ୍ର କୋଳେ

ସୁନା ସମ କେଣ୍ଡା ଧାନ।  

ଶିଶିରର ବିନ୍ଦୁ

ଶୋଭେ ତହିଁପରେ

ମୁକୁତାବିନ୍ଦୁ ସମାନ। 


ମନ୍ଦ ଶୀତ ବାତେ

ଦୋହଲି ଦୋହଲି

ପାଉଥିଲେ ଭାରି ଶୋଭା। 

ପ୍ରକୃତିରାଣୀର

ସୌନ୍ଦର୍ଯ୍ୟର ଖଣି

ଆହା କେଡ଼େ ମନଲୋଭା। 


ଲାଗୁଥିଲା ଯେହ୍ନେ

ଧରଣୀରାଣୀ କି

ପାରି ଗାଲିଚା ସୁନାର। 

ସ୍ଵାଗତ କରୁଛି

ଶ୍ରୀହରିପ୍ରିୟାଙ୍କୁ

ଜାଣି ମାସ ମାର୍ଗଶିର। 


ଚଷାଭାଇ କ୍ଷେତେ

ଫଳାଇଛି ସୁନା

ମୁଣ୍ତଝାଳ ତୁଣ୍ଡେ ମାରି। 

କେଉଁ ହୀରା ନୀଳା

ମାଣିକ ବୈଦୁର୍ଯ୍ୟ

ହୋଇବ ତା ସାଥେ ସରି !


ଚାଷୀଭାଇଙ୍କୁ ମୋ

କୋଟି ଧନ୍ୟବାଦ

ସଭିଙ୍କୁ ଯୋଗାନ୍ତି ଦାନା। 

ସେମାନେ ହସିଲେ

ଦେଶ ତ ହସିବ

ମାଟିରେ ଫଳିବ ସୁନା। 



Rate this content
Log in