ସୁନା ବେଶ
ସୁନା ବେଶ
ହାତ ପାଦ ନାହିଁ ଯାହାର
ସୁନା ବେଶ ହୁଏ ତାହାର
ସୁନା ହାତ ପାଦ ସୁନାର କିରୀଟି
କେତକୀ କଳି ସେ କେଡେ ସୁନ୍ଦର ।0।
ସୁନା ଚକ୍ର ଶଙ୍ଖ ରୂପାର
ସୂର୍ଯ୍ୟ ଚନ୍ଦ୍ର ନେତ୍ର ରୂପାର
କର୍ଣ୍ଣରେ ଶୋଭଇ ମକର କୁଣ୍ଡଳ
ଗଳାରେ ଲମ୍ବିଛି ସୁନାର ହାର।୧।
ହାର ନାମ ଭଳିକି ଭଳି
ଦେଖି ମନ ଯାଏ ତରଳି
ଶ୍ରୀଜଗନ୍ନାଥଙ୍କ କି ସୁନ୍ଦର ବେଶ
ସାକ୍ଷାତ ଯିଏ ରାଜରାଜେଶ୍ୱର ।୨।
ଦାଉ ଦାଉ ଦିଶନ୍ତି ସିଏ
ସୁବର୍ଣ୍ଣ ବି ଆନନ୍ଦ ନିଏ
ଧନ୍ୟ ସେ ହୋଇଛି ଜଗତ କରତା
ସ୍ୱର୍ଣ ଭୂଷଣରେ କି ମନୋହର।୩।
ବଳଭଦ୍ର ଭଦ୍ରା ଭଉଣୀ
ହୋଇଛନ୍ତି ସୁନା ଛାଉଣି
ଆନନ୍ଦରେ ମଜ୍ଜି ଭକତଙ୍କୁ ଭଜି
ସରବେ ତ ସତ୍ୟ ଶିବ ସୁନ୍ଦର ।୪।
ଦେବତା ଗନ୍ଧର୍ବ କିନ୍ନର
ଯକ୍ଷ ରକ୍ଷଗଣ ପିତର
ମାନବ ଦାନବ ସରବେ ହରଷ
ଦର୍ଶନ ଦିଅନ୍ତି କରୁଣାକର
।୫।
ବାହାଡ଼ା ଓ ତାବିଜ ମାଳି
ହରିଡ଼ା ବାଘନଖୀ ମାଳି
କଦମ୍ବ ସେବତୀ ମାଳି ପିନ୍ଧିଛନ୍ତି
ଶୋଭନ୍ତି ଅଳକା ଓଡ଼ିଆଣୀର ।୬।
ଚନ୍ଦ୍ରିକା ତଡ଼କୀ ତିଳକ
ଆଡକାନି କି ଶୋଭା ଦେଖ
ଚକ୍ରୀ ଚକ୍ର ରୂପା ଶଙ୍ଖ
ବଳଭଦ୍ର ହଳ ମୂଷଳ ଧାରଣ ସ୍ୱର୍ଣ୍ଣର ।୭।
ସୁଦର୍ଶନ ସ୍ବର୍ଣ୍ଣ କିରୀଟି
ଶୋଭା ପାଏ ଶ୍ରୀମୁଖ ଗୋଟି
ରାଜାଙ୍କର ରାଜା ନିଜେ ଜଗନ୍ନାଥ
ସୁବର୍ଣ୍ଣ ପ୍ରିୟ ସେ ସୁନା ଠାକୁର ।୮।
ବରଷକେ ପାଞ୍ଚଟି ଥର
ରାଜବେଶ ହୁଏ ତାଙ୍କର
ଦାଉ ଦାଉ ଚନ୍ଦ୍ର ମୁଖ ଦିଶୁଥାଏ
ସୁବର୍ଣ୍ଣ ଦିଶଇ କେଡେ ସୁନ୍ଦର ।୯।
ମଧ୍ୟାହ୍ନ ଧୂପ ଶେଷ ହେଲେ
ସୁନାବେଶ ହୁଏ ରଥରେ ।
ଭକତ ଭାବରେ ବିହ୍ଵଳିତ ହୁଏ
ବଡ ତଡାଉ ବେଶ ପ୍ରଭୁଙ୍କର ।୧୦।
କପିଳେନ୍ଦ୍ରଦେବଙ୍କ ଠାରୁ
ଏ ବେଶ ହେଲେ ବ୍ରହ୍ମଦାରୁ
ଜୟ ଜଗନ୍ନାଥ ନାମ ଗୋଟି ଧରି
ଏ ଭବ ସାଗରୁ ହୋଇବା ପାର।୧୧।