ସୁଧାମୟ ଶ୍ରାବ୍ୟସ୍ୱର
ସୁଧାମୟ ଶ୍ରାବ୍ୟସ୍ୱର
ସୂର୍ଯ୍ୟୋଦୟ ସୁବର୍ଣ୍ଣଧ୍ୟାୟେ ଧରଣୀ ଲାଗନ୍ତି ନବ,
ଉଷାକାଳେ ଉପକ୍ରମ ହୁଅନ୍ତି ସପ୍ତସ୍ୱରର ଉଦ୍ଭବ,
ବସୁଧା ବାଣ୍ଟନ୍ତି ସୁଧାମୟ ଶ୍ରାବ୍ୟସ୍ୱରଙ୍କର ବିଭବ,
ପ୍ରଣବ କରାନ୍ତି ସୁର-ବୈଭବ ବୈଭୋଗକୁ ସମ୍ଭବ।
ପର୍ବତ ପ୍ରପାତ ଶୁଣାନ୍ତି ଝରଝର ରବ,
ନିର୍ଝରିଣୀ ଅନର୍ଗଳ କରନ୍ତି କଳକଳ ରାବ,
ମେଘମାଳା ରଖିଛନ୍ତି ବଜ୍ରଧ୍ୱନିର ସ୍ୱଭାବ,
ବର୍ଷାପାତ ଧରାପାତ କରନ୍ତି ଝର୍ଝର ରାବ ।
ଭ୍ରମଣଶୀଳ ଭ୍ରମର କରନ୍ତି କୁସୁମ ସମୀପେ ରୁଣୁଝୁଣୁ ରବ,
ମଧୁକଣ୍ଠ କଳକଣ୍ଠ ଲୁଚିଲୁଚି କରନ୍ତି କର୍ଣ୍ଣଗୋଚର କଳରବ,
ସରୋବରେ ସନ୍ତରଣ କରି ରାଜହଂସ ଶୁଣାନ୍ତି ତୂରୀ-ରବ,
ନୀଳ ଗଗନରେ ବିହାରୀ ବିହଙ୍ଗ କରନ୍ତି ବିନୋଦ ଗାନୋତ୍ସବ।
ମାତା-ପିତାଙ୍କ ପାଇଁ ଶିଶୁର ଶୈଶବ ଏକକ ପରବ,
ଶୁଆ ପରି ସନ୍ତାନର କୋମଳ ରବ ଲାଗେ ସଜୀବ,
ମା'ଙ୍କ ନାନାବାୟା-ଗୀତ ଲାଗେ ସୁରତରଙ୍ଗିଣୀଙ୍କ ରବ,
ଶିଷ୍ୟଙ୍କ ଉଚ୍ଚାରଣରୁ ଶିକ୍ଷକ ଅନୁଭବ କରନ୍ତି ଗୌରବ |