ସତ୍ୟର ବିଳାପ
ସତ୍ୟର ବିଳାପ
ସତ୍ୟର ବିଳାପ ଅସତ୍ୟ ଆଳାପ
ଦୈତ୍ୟ ମାଳମାଳ ବେଳ
ଜଳଜଳ ହୋଇ ବିକଳେ ଦେଖଇ
ଆକୁଳେ ଚିତ୍ତ ଚଞ୍ଚଳ
ହୋଇସେ ଡହଳ ବିକଳ
କଳ୍ପନା ବିଳାସି ମଣିଷ ସକଳ ଭାବେ କାହିଁ ସ୍ଥଳ କୂଳ ।।
ଅସତ୍ୟର ଜଳ ଗହଳ ବହୁଳ
ହଳାହଳ ଅବା ପ୍ରବଳ
ହୋଇ କଳୁଷିତ କବଳ କରୁଛି
ସେକି ଉତ୍ଫଣି ଫୁତ୍କାର
ଉଦ୍ଗାରେ ଅବେଗେ ଗରଳ
ସଜଳ ସକାଳ ଆବିଳ ଅଚଳ ପରାଣ ହୁଏ ଆକୁଳ ।।
ଅକାଳ ଘୋଟୁଛି ଯେତେ ବ୍ୟଭିଚାର
ବିରଳ କନ୍ଦଳ ମାନ
ପ୍ରଦର୍ଶିତେ ଖେଳ ଖଳ ଖେଳେ ବସି
*ଢାଳି ଉଢାଳେ ବଦନ
ହେଲାଣି ଆସିତ ଖୋଳ
ଅପ ସଂସ୍କୃତିର ଅନୀଳେ “ଯୁଗଳ ବନ୍ଦି” ନୃତ୍ୟ ଛଳଛଳ ।।
ମାଳମାଳ ଦୁଃଖ ଜୀବନ ଜଞ୍ଜାଳ
ଦୁର୍ବିସହ ଯାଏ ହୋଇ
ଅଳପ ଦିନକୁ ଗଳପ ଅସରା
କେମିତି ତିଷ୍ଠିବ ମହୀ
ପାଉନାହିଁ କଳବଳ
ଶୂନ୍ୟ ଆକାଶରେ ଚିରାଳେ ଶକୁନ ଶୁଣି କମ୍ପେ ଛାତି ତଳ ।।
ଜଳଜଳ ହୋଇ ଦେଖାଯାଏ “ବଳ
ବପୁ” ହୀନ କଙ୍କାଳରୁ
ଶୋଣିତ ଅସତ୍ୟ ଦଳପତି ଚୁସେ
ବେଳ ଦେଖି ନେପଥ୍ୟରୁ
ଚହଳେ ଆକୁଳ ଚିତ୍କାର
କିଛି ବଦଳିବ ସମାଜ ଚେତିଲେ” *“ନାଇଁ” ମହାକାଳ ଫଳ ।।
(ଢାଳି-ଢାଙ୍କି ରଖିବା)
(ନାଇଁ-ନହେଲେ)