ସତରେ କଅଣ ମୁଁ ବୋକାଟିଏ
ସତରେ କଅଣ ମୁଁ ବୋକାଟିଏ
ପାଠ ପଢି ନାହିଁ ମୂରୁଖଟେ ମୁହିଁ
ବୁଝେନି ଫନ୍ଦି ଫିକର
କୁହନ୍ତି ସଭିଏଁ ମୋତେ ବୋକାଟିଏ
ସବୁ ବୋକାଙ୍କ ଶ୍ଵଶୁର ।।
ତିନୋଟି ଛେଳିକୁ ଦେଲି ବେପାରୀକୁ
ଦର ଦାମ ଗଲା ଛିଡି
ବଦଳରେ ଟଙ୍କା ଗୋଟେ ରଖି ବନ୍ଧା
ନେଇଗଲା ଦୁଇ ଛେଳି ।।
କହିଲା ବେପାରୀ ଦର ମୁହିଁ କଲି
ଛେଳି ହୋଇଗଲା ମୋର
ମୋ ଛେଳିରୁ ଗୋଟେ ରଖି ତୋର ପାଶେ
ଯାଉଛି କରି ବେପାର ।।
ଆସିଲେ ଦେବି ମୁଁ ସବୁତକ ଟଙ୍କା
ନେଇଯିବି ମୋର ଛେଳି
ବୁଝି ଗଲା ମନ ନ ପାଇ ମୁଁ ଧନ
ଦେଇ ଦେଲି ଦୁଇ ଛେଳି ।।
ସେହି ଦିନ ଠାରୁ ଚାହିଁ ବସିଛି ମୁଁ
ବିତିଲାଣି ଦୁଇ ମାସେ
ଫେରୁନି ବେପାରୀ ନେଉନି ତା ଛେଳି
ଯିଏ ଶୁଣେ ସିଏ ହସେ ।।
ରହିଲା ଦୋଷଟି ମୋହର କେଉଁଠି
ବୁଝି ପାରୁନି ମୁଁ ଏବେ
ତାର ଛେଳି ଟାକୁ ଦେଇ ଖାଇବାକୁ
ମୋତେ ହୋଇଲାଣି ଦମ୍ଭେ ।।
ଗାଆଁରେ ଗଣ୍ଡାରେ ସାହି ପଡ଼ିଶାରେ
କହୁଛନ୍ତି ବୋକାଟିଏ
ସତରେ କଅଣ ବୋକାଟିଏ ମୁହିଁ
ମନେ ମନେ ଭାବୁଥାଏ ।।
କଥାରେ ବିଶ୍ୱାସ କରିବାଟା ଦୋଷ
ସରଳ ବିଶ୍ୱାସୀ ମୁହିଁ
ଜୀବନ ଯାକର ପରିଶ୍ରମ ଫଳ
ସବୁ ନିଅନ୍ତି ଭଣ୍ଡେଇ ।।
ବିଶ୍ୱାସେ ବିଶ୍ୱାସ ଯିଏ କରେ ଆଶ
ସିଏ ହୁଏ ଏଠି ବୋକା
ଠକ ବଦମାସ ପାଆନ୍ତି ସାବାସ
ଚାଲାକ ମଣିଷେ ଲେଖା ।।