ସ୍ଥିର ରାଧା ଅଧିର କୃଷ୍ଣ
ସ୍ଥିର ରାଧା ଅଧିର କୃଷ୍ଣ
କହିପାରନି ପ୍ରିୟା ଗୋ ତୁମେ
ତୁମ କ୍ଷୀଣ ଆର୍ତ୍ତ ସ୍ୱରେ
ଶୁଣିବାକୁ ଚାହେଁ ମୁଁ
ତୁମକୁ ତୁମ ସ୍ୱରେ
କୁଞ୍ଜବନ ଗହଳ ରେ
ଗୋପଦାଣ୍ଡ ଧୂଳି ଦୁଲୁକି ଉଠୁଛି
ବାଜୁଛି ବଂଶୀ ର ସ୍ଵନ
କିପରି ଯିବି ହେ ପ୍ରାଣ ପ୍ରିୟ ଧନ
ଯେତେ କରିଲେବି ମନ
ଏ ମନ ଝୁରୁଛି ଝରା ଫୁଲ ତଳେ
ଆକାଶ ହେମାଳ ହୁଏ
ଗୋରୁ ଗୋଠ ସବୁ ହୁରୁଡ଼ି ଯାଆନ୍ତି
ମନ ଆନମନା ହୁଏ
ତୁମପାଇଁ ଗୋପ ଗୋପାଙ୍ଗନା ମେଳେ
କେମିତି ଯିବି ମୁଁ କୁହ
ଯମୁନା କୁ କୁହ ଟିକେ ରହିଯାଉ
କହିଛନ୍ତି ତୁମ ପ୍ରିୟ
ଯମୁନା ଯୌବନା ଦୁଲୁକି ଉଠୁଛି
ମନା କି ପାରିବି କରି
ରାଧା ଦାମୋଦର ମିଳନ ମଞ୍ଚରେ
ଯମୁନା ଇର୍ଷାଳୁ ନାରୀ
ଶତକଦମ୍ବର ଶିହରଣ ସୃଷ୍ଟି
ତୁମ ପଦ ଆଗମନେ
ହୃଦୟ କନ୍ଦ ରେ ଯମୁନା ଗର୍ଭ ରେ
ଅସ୍ଥିରତା ପ୍ରତି କ୍ଷଣେ
ସ୍ଥିର ହୁଅ ଆହେ ଯଶୋଦା ନନ୍ଦନ
ଶତ ମନ ବିମୋହନ
ଆକର୍ଷଣ ର ଏ ଆକାଶ ଗଙ୍ଗା ରେ
ମନ କରେ ଅନ୍ୱେଷଣ
ପାଇବାକୁ କିଛି ଦେବାପାଇଁ କିଛି
ପ୍ରେମର ଅମୃତ କ୍ଷଣ