ସୃଷ୍ଟି ଛଡ଼ା
ସୃଷ୍ଟି ଛଡ଼ା
ଶ୍ରେଣୀହୀନ ସମାଜର ସ୍ୱପ୍ନ ନେଇ
ପ୍ରେମ-ପ୍ରଣୟର ପଥହୁଡ଼ି ଆସିଅଛି ମୁହିଁ
ଝାସ ଦେବାକୁ ମହାସଂଗ୍ରାମର ଯଜ୍ଞକୁଣ୍ଡରେ
ଆଜନ୍ମ ବିପ୍ଳବୀର ଅଷ୍ଟାଙ୍ଗ ଶରୀରେ
ଜଳୁଅଛି ବିଦ୍ରୋହର ଲେଲିହାନ ବହ୍ନି
ତୁମ ପ୍ରୀତିଦାନ ସଖୀ ମୋର ଲୋଡ଼ା ନାହିଁ
ତୁମ ଛଳନାର ଇନ୍ଦ୍ରଜାଲରେ ବାନ୍ଧି ରଖିବାକୁ
ବୃଥା ଅପଚେଷ୍ଟା ତୁମ୍ଭେ କର ନାହିଁ!!
ତୁମେ କରି ପାର ମୋତେ ଘୃଣା
ଦିଅ ମୋତେ ଯେତେ ଅପଯଶ ନିନ୍ଦା
କରିପାର ଯାବତୀୟ କୁତ୍ସାରଟନା
ମୋ ପାଇଁ କିଛି ବି ଫରକ ପଡ଼େନା
ମୋତେ ଦିଅ ପଛେ ଶୂଳି
ମୋତେ ମାର ପଛେ ଗୁଳି
ଅବା ଦିଅ କଠୋର କାରାଦଣ୍ଡ
ପାରିବନି ରୋକି ମୋର ଗତିପଥ
ପାରିବନି କରି ଲକ୍ଷ୍ୟ ପଥରୁ ବିଚ୍ୟୁତ!!
ଭାବିଛ କି ମୋତେ କେବଳ ଦେହର
ଦେହଳୀରେ ଆବଦ୍ଧ ମାଟିର ପିତୁଳାଟିଏ
ତୁମ କଥା ଭରିବ "ହଁ" ନିଃସର୍ତ୍ତରେ
ଦେହର ଦହନ ଦାଉରେ
ମୁଁ ତ ଚିର ମୁକ୍ତିକାମୀ ଆତ୍ମାଟିଏ
କେଉଁ ଅସ୍ତ୍ର କେଉଁ ଶସ୍ତ୍ର ତୁମ୍ଭର
ମୋତେ କରିବ ରକ୍ତାକ୍ତ କ୍ଷତାକ୍ତ ପରାସ୍ତ??
ଭାବିଛ କି ଈଶ
୍ୱରଙ୍କ ଦ୍ୱାହି ଦେଇ
ମୋତେ କରି ଦେବ ଧର୍ମଭୀରୁ ଅବା ଧର୍ମାନ୍ଧ
ତୁମେ ତ ଜାଣିନାହଁ ଆଜନ୍ମରୁ ମୁହିଁ
ପ୍ରଶ୍ନ କରିଛି ମୋର ଈଶ୍ୱରଙ୍କୁ
ବିଶ୍ୱାସ ଅବିଶ୍ଵାସ ଅନ୍ଧବିଶ୍ୱାସ
ଅନ୍ଧଶ୍ରଦ୍ଧା ଅନ୍ଧଭକ୍ତି କୁସଂସ୍କାରର
ଶଗଡ଼ଗୁଳାକୁ ଭେଦ କରି ଅନୁଭବ କରିଛି
ଆପଣା ମଧ୍ୟରେ ଐଶ୍ୱରୀୟ ସତ୍ତାକୁ
ଯୁଝିଛି ଲଢିଛି ହାରିଛି ଶିଖିଛି
ଜୀବନ ଜୀଇଁବାର ଗୁଢ଼ ମନ୍ତ୍ରକୁ!!
ମୋର ଲକ୍ଷ୍ୟ ବିଧି ନିର୍ଦ୍ଧିଷ୍ଟ
ପ୍ରାପ୍ତି ପାଇଁ ମୁଁ ଆଜନ୍ମ ଚେଷ୍ଟିତ
ତୁମ ରୁଢ଼ିବାଦୀ ସମାଜର ଶିକୁଳି
କଡି ବେଡି ଗୁଳି ଗୋଳା ଗାଳି
କିଛି ବି ସାଜିବ ନାହିଁ ମୋର ବାଧକ
ଦିନେ ନା ଦିନେ ତ ନିଶ୍ଚିତ ସାମ୍ରାଜ୍ୟବାଦ
ଶ୍ରେଣୀବାଦର ସୁଦୃଢ଼ ପ୍ରସ୍ତର ପ୍ରାଚୀର ଯିବ ହୁଗୁଳି
ରକ୍ତପୋଷ୍ୟ ପରାଙ୍ଗପୁଷ୍ଟ ପରଭୋଜୀ
ଘୁଣଖିଆ ବ୍ୟବସ୍ଥାର ମୂଳଦୁଆ ପଡିବ ଭୁଷୁଡ଼ି
ବଦଳିବ ଶାସନ ପୁଣି ବଦଳି ଯିବ ବ୍ୟବସ୍ଥା
ସମାନତାର ତରାଜୁରେ ସଭିଏଁ ସମାନ ହୋଇ
ଗାଉଥିବେ ସାମ୍ୟବାଦର ଜୟଗାଥା!!