ସର୍ଵଂସହା
ସର୍ଵଂସହା


ଏକାକ୍ଷର ଲୟରେ
ସ୍ରଷ୍ଟାଙ୍କ
ନାଭି କମଳରୁ ଜାତ
ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ସୁପ୍ତ।
ଏକ ଘୂର୍ଣ୍ଣି ବଳୟକୁ
ସହି ସହି ସ୍ଥାଣୁ ପାଲଟି
ନିଜକୁ ଗଢିଛି
ସୁନ୍ଦର୍ ଆକୃତି ଦେଇ
ଚୁମ୍ବକୀୟ ବଳୟ ମଧ୍ୟରେ।
ନିଜର ସ୍ଥିତି ପାଇଁ ଚିହ୍ନଟ କରିଛି
ଉପଯୁକ୍ତ ସ୍ଥାନଟିଏ
କୋଟି ବ୍ରହ୍ମାଣ୍ଡ ଭିତରେ।
ଯେମିତି ଉପଯୁକ୍ତ
ହେଇ ପାରିବ,
ଜୀବ ସତ୍ତାର ପ୍ରାରମ୍ଭ ନିମନ୍ତେ।
ପୁଣି
ସାଇତି ଦେଇଛି ଯାହା ଆବଶ୍ୟକ -
ସୃଷ୍ଟିର ସୃଷ୍ଟି ପାଇଁ,
କେଡ଼େ ସୁନ୍ଦର୍ ଭାବରେ।
ମାଟି,ପାଣି,ପବନ,ଅଗ୍ନି ଆଉ ଶୂନ୍ୟ।
ରଖିଛି, ଅସରନ୍ତି ଭଣ୍ଡାର
ସୂର୍ଯ୍ୟ ଚନ୍ଦ୍ର ତାରା ପରି କେତେ କଣ୍-
ଯଥା ଯଥା ସ୍ଥାନରେ,
ଆଲୋକ ବୃଷ୍ଟି ପାଇଁ ।
ଆହୁରି ରଖିଛି, ଅନ୍ଧାରକୁ
ଥକି ଗଲା ପରେ
ତା କୋଳରେ
ସଭିଙ୍କ ବିଶ୍ରାମ ପାଇଁ।
ସାଇତି ଦେଇଛି,
ପବନ ରେ ଅମ୍ଳଜାନ
ଜଳ ରେ ଉଦଜାନ
ମାଟିରେ ଖଣିଜ
ଅଗ୍ନି ପାଇଁ ସୁରୁଜ
ଆଉ ଏସବୁକୁ ନିୟନ୍ତ୍ରଣ ପାଇଁ ଆକାଶ।
ଶିରା ପ୍ରଶିରା ପରି ପ୍ଲାବିତ କରିଛି
ନଈ,ନାଳ,ଝରଣା
ଅନବରତ ଏକ ମୁହାଁ ହେଇ
ହୃଦୟ ରୂପୀ ସାଗର ପାଖକୁ।
ଆଙ୍କି ଦେଇଛି,
ଇନ୍ଦ୍ରଧନୁ ତା କପାଳରେ
ସାତ ରଙ୍ଗକୁ ସାଉଁଟା ସାଉଁଟି କରି।
ଗଢ଼ିଛି ସବୁଜ ବଣ ପାହାଡ
ବୁକୁରେ ଯେତକ ବେଦନା ଭରି।
ଛଅଟି ଋତୁର ସମ୍ଭାର କରି
କୋଟି କୋଟି ଜୀବନ
ତା ବକ୍ଷେ ହର୍ଷେ ଉଲ୍ଲସିତ।
ପୁଣି ଖଞ୍ଜି ଦେଇଛି,
ଯାହା ପାଇଁ ଯଥା ସ୍ଥାନ
ବିହଙ୍ଗ ପାଇଁ ମୁକ୍ତ ଗଗନ
ହିଂସ୍ର ପାଇଁ ଜଙ୍ଗଲ ବନ
ମୀନ ପାଇଁ ଅଥଳ ସାଗର
ଆଉ
ମଣିଷ ପାଇଁ ସବୁ କିଛି
ପର୍ବତ ମାଳା ଠୁ ଗାଙ୍ଗେୟ ଭୂମି
ହିମ ମେରୁ ଠାରୁ ଶୁଷ୍କ ମରୁଭୂମି
ଜଳାଶୟ ଠାରୁ ଜଙ୍ଗଲ ଜମି
ଅମାବାସ୍ୟା ଠାରୁ ପୂର୍ଣ୍ଣମୀ।
ନିୟମ କରିଛି,
ଜଳ ଚକ୍ର ମାଧ୍ୟମରେ
ଉଚିତ୍ ସମୟରେ
ଆତଯାତ ହେବା ପାଇଁ ବାରିଧାରାକୁ।
ଖଞ୍ଜି ଦେଇଛି,
ଶସ୍ୟ,ଫଳ,ଫୁଲ୍,
ଖାଦ୍ୟ ଚକ୍ର ମାଧ୍ୟମ ରେ,
ଆହୁରି ଅମୃତ ତୁଲ୍ୟ ଔଷଧି।
ଭରି ଦେଇଛି ସୁଗନ୍ଧି,
ନାନା ପୁଷ୍ପ ରାଜି ମଧ୍ୟରେ।
ଯୁଗ ପରେ ଯୁଗ ଚାରି ଗୋଟି ଯୁଗ
ଦେଖିଛି ସେ ଛାତିକୁ ପଥର କରି
ଆହୁରି ଦେଖିବ
କାହିଁ କେତେ ଯୁଗ
ଥକି ଯାଇନି କି ଯିବନି
ହଁ-
ଚାଲି ଯିବେ କେତେ,
ଯେତେ ଆସୁ ଥିବେ
ସମୟ ର ଅବର୍ତ୍ତନ ରେ।
ଦଳେ ଗଢ଼ୁ ଥିବେ ଆଉ ଦଳେ ଭାଙ୍ଗୁ ଥିବେ
ନବ ନିର୍ମାଣ ର ଦ୍ୱାହି ଦେଇ,
ଆମ୍ପୁଡି ବିଦାରି କ୍ଷତାକ୍ତ କରିବେ
ତା ବକ୍ଷକୁ ଚିରି।
ତଥାପି ସେ ସର୍ଵଂସହା
ମା ଠୁ ଆହୁରି।
ସ୍ଥାଣୁ ନିର୍ଭିକାର
ସବୁ ମୁଣ୍ଡେଇ ନେବାର
ନିର୍ଭର ପର୍ତ୍ତିଶୃତି ଦିଏ
ଯୋଗାଇ ଦିଏ ଯିଏ ଯାହା ଚାହେଁ
ଠିକ୍ ବାପାଙ୍କ ପରି।