ସୃଜନ-ସୂକ୍ତ
ସୃଜନ-ସୂକ୍ତ
ରୋମାଣ୍ଟିକ କବି ମାୟାଧର ମାନସିଂହ
ନ ଥିଲା ସତ୍*, ବା ଅସତ୍ ନ ଥିଲା
ନ ଥିଲା ଆକାଶ,ବାୟୁ ବା ତହିଁ
କିବା ଆବରଣ ? କେଉଁଠି ଅତଳ
ବାରି ଥିଲା ? କିଏ ପାରିବ କହ ?
ମୃତ୍ୟୁ ନ ଥିଲା,ଅମୃତ କେହି
ନ ଥିଲେ,ନ ଥିଲା ରାତ୍ର ଦିନ ;
ଥିଲେ ଏକ ସେହି ପ୍ରାଣବାନ୍ ଆପେ
ନାହିଁ ଥିଲା କିଛି ତା' ଠାରୁ ଆନ ।
ତମ ଥିଲା ନିଜେ ଆବୃତ ତମେ ;
ସକଳ ବିରାଟ ବିଶୃଙ୍ଖଳା,
ଯାହା ଥିଲା, ସବୁ ନିୟମ ବିହୀନ ;
ଅନୁଭବ ରସେ ଏକକ ହେଲା ।
ଜାଗ୍ରତ ହେଲା ତାପରେ କାମନା,
ବିଶ୍ୱ-ପ୍ରାଣର ଆଦ୍ୟ ବୀଜ,
ଋଷିଗଣ ଧ୍ୟାନେ ଅସତ୍ ଭିତରେ
ସତ୍ ର ଜନ୍ମ କରିଲେ ହେଜ ।
ତାପରେ ପଡ଼ିଲା ବ୍ୟବଧାନ ଲେଖା,
ଆଢୁ ଆଳ କରି ଉପର ତଳ
କି ଥିଲା ଉପରେ ? କି ରହିଲା ତଳେ ?
ଧରାରେ ଜନନ ହେଲା ପ୍ରବଳ ।
କିପରି ଏହାର ଜନ୍ମ ହୋଇଲା,
କିଏ ସେ କହିବ ତଥ୍ୟ କରି ?
ଦେବତା ସବୁ ତ ପରେ ହେଲେ ଜାତ,
କେ କହିବ ଏହା ହେଲା କିପରି ?
ଆଦ୍ୟେ ଯେ ଥିଲେ ସିଏ,ବା ଆନକେ
ରଚିଲେ ବିରାଟ ଏହି ଜଗତେ ?
ନୟନ ଯାହାର ଦେଖଇ ବିଶ୍ୱ,
ସେ ଜାଣଇ ବୋଲି କିବା ପରତେ !
ସମାପ୍ତ
* ସତ୍ - ଯାହା ଅଛି ।
ଅସତ୍ -ଯାହା ନାହିଁ ।