ସ୍ପନ୍ଦନ
ସ୍ପନ୍ଦନ
ମାଆ ତୁ ଯେ ମୋର ପୁନେଇ ଜହ୍ନର
ସ୍ନିଗ୍ଧ ଶୀତଳ ଛାୟା
ତୁହି ମୋ ପରାଣ ରୁଧିରର ଧାର
ଅସ୍ଥିମଜ୍ଜାର କାୟା ।
ଶତ ସଉଧର ଶିଖର ପରା ଗୋ
ସ୍ଵପ୍ନର ଅଭିଳାଷ
ସ୍ପନ୍ଦନରେ ମୋର ଅମ୍ଳାନ ସ୍ଵାକ୍ଷର
ତନ୍ତ୍ରୀରେ ଇତିହାସ ।
ବିଭୋର ତନୁ ମୋ ନିଶି ଦିବସରେ
ତୋ ଉଷ୍ମ ଆଶ୍ଳେଷ ପାଇ
ପ୍ରଶାନ୍ତିରେ ଭରି ଜୀବନବିନ୍ଦୁ ମୋ
ନିଘୋଡେ ପଡୁଛି ଶୋଇ ।
ପଣତ ଛାଇ ତୋ ଶ୍ରୀମନ୍ଦିର ନେତ
ଶତ ସୁଦର୍ଶନ ଢାଲ
ମୋ ମଥାରେ ଥିଲେ ଛୁଇଁପାରିବନି
ବଇରୀର କରବାଳ ।
ମୋ ପେଟ କ୍ଷୁଧାର ଅମୃତ ମଣୋହି
ତୋହରି ଶାଗ ପଖାଳ
ରାଜନ ବ୍ୟଞ୍ଜନ ତୁଚ୍ଛ ଅଟେ ସିନା
କିଏ ହେବ ତାର ତୁଲ ।
ତୋ କୋଳ ଝୁଲଣା ଫୁଲର ବିଛଣା
ଅମରାବତୀର ସୁଖ
ଦେଉଥାଏ ମୋତେ,ନାନାବାୟା ଗୀତ
ହରିନିଏ ଯେତେ ଦୁଃଖ ।
କଣ୍ଟକପୀଡା ମୋ ଶୁଳି ତୋ ପାଇଁ
ଶତସିଂହର ବଳ
ଧରି ଲଢିଥାଉ, ସହସ୍ର ବିପତ୍ତି
ଝରିପଡେ ହୋଇ ଫୁଲ ।
ଭଗ୍ନ ପ୍ରାଚୀର ଧ୍ଵଂସାବଶେଷ
ହୋଇରହି ମୁଖଶାଳା
ତିଆରି ଚାଲିଛୁ ପ୍ରଶସ୍ତ ବୁକୁରେ
ମୋତି ଖଚିତ ମାଳା ।
କିଏ ସେ ମାପିଛି ସିନ୍ଧୁ ଗଭୀରତା
ଆକାଶର ବିଶାଳତା
କିଏ ସେ ଦେଖିଛି ଯଜ୍ଞବେଦୀ ତଳେ
ଅଙ୍ଗାରର କଳାଛିଟା ।
ତୁହି ତ ଜନନୀ ଜନମେ ଜନମେ
ଆଶିଷର ଧାର ଦେଇ
ରଖିଥିବୁ ଏଇ ଅଧମ ସନ୍ତାନ
ଥିବ ମଥାନତ ହୋଇ ।