ସଂପର୍କର ନଦୀ ତୀରେ
ସଂପର୍କର ନଦୀ ତୀରେ
ସମ୍ପର୍କର ନଦୀ ତୀରେ
ବସି ଏକା ଏକା ନିରବରେ
ଦେଖୁଛି ଖାଲି
ଧାଉଁଛି ଜୀବନ ସ୍ରୋତ
ଆଗକୁ ଆଗକୁ ବହିଯାଏ
ଅବାଧ ଗତିରେ
ଦୁଇ କୂଳେ ତାର ଆଶା ଆକାଂକ୍ଷାର
କୁଢ କୁଢ ବାଲି ଶଯ୍ୟା ମେଲି
ରହିଛି କାହା ଅପେକ୍ଷାରେ,
ସ୍ଥାନେ ସ୍ଥାନେ ବୃକ୍ଷରାଜିର
ସବୁଜ ବନାନୀ ଶିଳା ସ୍ତରର
ଅଙ୍କାବଙ୍କା ଦୀର୍ଘପଥ ସଙ୍ଗେ
କିଆବଣ ଦିଗନ୍ତ ବିସ୍ତାରୀ
କାଶତଣ୍ଡୀ ଫୁଲର ଶୋଭା ଶିରୀ
ଆଖିରେ ଦିଏ ସପନ ଭରି
ମୃଦୁ ମଳୟର ପରଶରେ
ନାଚି ଯାଏ ଜୀବନର ଲହରୀରେ
ଛନ୍ଦ ତାଳର ଶବ୍ଦ ଝଙ୍କାରରେ।
ବେଳେ ବେଳେ ମାଡି ଆସେ
ଶଙ୍କା ସନ୍ଦେହର ପ୍ରଳୟଙ୍କରୀ ବନ୍ୟା
ପ୍ଳାବିତ କରି ଲଙ୍ଘିଯାଏ
ସମ୍ପର୍କର ସୀମା
ଭରସାକୁ ଭସାଇ ନେଇ
ବୁଡାଇ ଦିଏ ତା ଭଉଁରୀରେ,
କେତେ ବେଳେ ସେ ନଦୀର ଧାରା
ସ୍ଵଚ୍ଛ କାଚକେନ୍ଦୁ ପାଣି
ପ୍ରେମର ପୁଲକରେ
ଖେଳେ ଜହ୍ନ ରାତିର ଜୋଛନାରେ
ଉନ୍ମାଦନା ଆଣି ଆବେଗତାରେ।
ଏ ସମ୍ପର୍କର ନଦୀ ତୀରେ
ସୁଖ ଦୁଃଖ ଆସନ୍ତି ଭ୍ରମଣ କରି
ଜଣେ ପରେ ଜଣେ
ହାତ ଧରି ନେବାକୁ ସାଥୀରେ,
ଆନନ୍ଦେ ବିଭୋର ବିଷାଦେ ଅଧିର
ହୁଏ ଯିଏ ଛାଡି ଦେଇ ଆତ୍ମବିଶ୍ୱାସ
ଭ୍ରମରେ ଭ୍ରମୁଥାଏ ସେ
ଅଟକି ଯାଏ ଚଳାପଥର ପଥରେ।
ନଦୀ ସମ ସମ୍ପର୍କ
ଏକ ଅବାଧ ଗତିଶୀଳତାର ଯାତ୍ରା
ନିରନ୍ତର ରଖିବାକୁ ହୁଏ ପବିତ୍ର
ମନ ପ୍ରାଣ ହୃଦୟରେ,
ସେବା ଯତ୍ନ ତ୍ୟାଗ ଦେଇ
ମଜଭୁତ କରିବାକୁ ସହନଶୀଳତାରେ।