ସଂଜ ଯେବେ ନଇଁଆସେ
ସଂଜ ଯେବେ ନଇଁଆସେ
ତାଳଗଛ ଓହଳରେ
ବାଈ ଚଢେଇଟି।
ଝୁଲି ଝୁଲି ଦୋଳି ଖେଳେ ।
ଚିଲ ଉଡେ ଆକାଶରେ
କାହିଁ କେତେ ଦୂରେଦୂରେ ।
ମାଛ ଆଶେ ବଗ ବସି
ଝରଣାର କୋଳେ
ସୂର୍ଯ୍ଯ ବୁଡି ଯାଏ...
ଅସ୍ତାଚଳେ (0)
ଧେନୁଗୋଠେ ଧୂଳିଉଠେ ।
ପୋଖରୀରେ କଇଁ ଫୁଟେ ।
ଗୋଧୂଳିର ବେଳା ଦେଖି
ନୀଡକୁ ଫେରନ୍ତି ପକ୍ଷୀ ।
ବାସ ଚହଟା ସଂଜରେ
ନାନା ଜାତି ଫୁଲ ପରେ।
ଉଡୁଥାଏ ଭଅଁର ଟା
ପ୍ରୀତି ମଧୂ ଆଶାରେ
ଜହ୍ନି ଫୁଲ ହସୁଥାଏ
ଘରବାରୀ ବାଡରେ ।
ଦୀପ ଜଳାଏ କିଏ
ଚଉରାର ମୂଳେ (୧)
ସେଇ ସଂଜେ ନିତି ଖଞ୍ଜେ
ଗାଁର କେତେ ଭାଉଜେ ।
ହୋଇ କେତେ ସଜବାଜେ।
ଏକାଠି ବସିଣ ପଞ୍ଝେ ।
କଥା ହୋଇ ଆଜେବାଜେ।
ଠରା କଥା ହୋଇ ନିଜେ।
ଜଣେ କହେ ଆନ ବୁଝେ।
ଅଭିଆଡୀ ବୟସରେ
କଥା ଚାପେ ସରମରେ
କହିବି କାହାରେ ଅବା
ମନ କଥା ମନେ ମରେ
ଲାଜରେ ମୁହଁ ଝାଉଁଳେ (୨)
ରାତି ଆସେ ନଇଁ ନଇଁ
ଲୁଚିଯାଏ ଗାଁ ଭୂଇଁ।
କଳସିରେ ପାଣି ଧରି
ନୂଆ ବୋହୁ ଥିରି ଥିରି
ଲାଗେ ଦିହ ଭାରି ଭାରି
ସନ୍ତାନକୁ ପେଟେ ଧରି
ଦେଖି ତା ସାନ ଦିଅର ।
କହେ ଯାଇକି ସତ୍ବର ।
ଅଲିଅଳି ନଣନ୍ଦଟା
ସବୁଠାରୁ ଗେହ୍ଲା ତାର ।
ଛଡେଇ କଳସୀ ଭାର।
ଧରେ ସରୁ କଟିରେ (୩)
ଦିନଯାଏଁ ରାତି ଆସେ ।
ପୂନେଇଁ ପରେ ଉଆଁସେ।
ବିତେ ଅଫେରା ସମୟ
ନିୟତିର ନିର୍ଦ୍ଦେଶେ ।
କାହା ଘର ଭରେ ହସେ ।
ସମୟ ସାରେ ଅୟସେ ।
ଅଂଧାରିଆ କୋଣେ କିଏ
ବସିଛି ମନ ବିରସେ ।
ଗଲା ସନ ଦାଦନକୁ।
ଯାଇଛି ସେ ସୂରଟକୁ।
ଆସିବ କେବେ କେଜାଣି
ତିର୍ଲା ତାର ଭାଳେ (୪)