ସନେଟ୍... ଥକାମନ
ସନେଟ୍... ଥକାମନ
ସୂର୍ଯ୍ୟ ତ ଏବେବି ଅସ୍ତ ହୋଇନାହିଁ
ଆସିନାହିଁ କାଳରାତ୍ରି !
ତଥାପି କାହିଁକି ମନରେ ଭରିଛି
ଅସହ୍ୟ ଅକଥ୍ୟ ଭୀତି ।
ପଶ୍ଚିମା ଏଯାଏଁ ହୋଇନି
ରଙ୍ଗୀନ ତାରକା ବି ଆସିନାହିଁ !
ତଥାପି ମନର କୋଣରେ କିପରି
ଅନ୍ଧାର ଆସେ ଘନେଇ !
ଶୁଷ୍କତା ଏଯାଏଁ ଚର୍ମ ଛୁଇନାହିଁ
ଲୋଳିତ ହୋଇନି ରୂପ !
ତଥାପି କିପରି ଆର୍ଦ୍ରତା ରହିତ
ହୋଇଛି ଭାବର କୂପ ।
ଜରା ଦୁରେ ଅଛି ଯୌବନ
ଯାଇନି ଆସିନି ପ୍ରୌଢ଼ ବୟସ ।
ତଥାପି ଚଞ୍ଚଳ ହେଉନି ଶରୀର
ଯାଉନି କ୍ଳାନ୍ତ ପରଶ ।
ଦୃଷ୍ଟିଶକ୍ତି ଅବା ଘ୍ରାଣଶକ୍ତି
ହେଉ ଅବା ହେଉ ଇଚ୍ଛାଶକ୍ତି !
ସକ୍ରିୟ ସମସ୍ତେ ତଥାପି କେଉଁଠି
ମନ ଖୋଜୁଅଛି ମୁକ୍ତି ।
ଉଣା ହୋଇନାହିଁ ଭାବାବେଗ
କିନ୍ତୁ ମନଟା ହୁଏ ଅଧୀର ।
ଥକି ପଡ଼ିଲାଣି ନାହିଁ ସ୍ପୃହା
ଆଉ ଚିହ୍ନିବାକୁ ନିଜ ପର !
ଶରୀର ଥକେନା ମନ
ଥକିଯାଏ ହୋଇଯାଏ ବ୍ୟାଧିଗ୍ରସ୍ତ !
ଆପଣା ଜନର ହତାଦର ପାଇ
ଯଦି ହୁଏ କେବେ ତ୍ରସ୍ତ !