ସମୟ ସାମ୍ନାରେ ମୁଁ
ସମୟ ସାମ୍ନାରେ ମୁଁ
ଜହ୍ନ ରାତି, ନିର୍ଜନ ବେଳା ଭୂଇଁ ମଝିରେ
ମୁଁ ଏକ ନିସଂଗ ପଥିକ,
ମୋ ପଥର ଶେଷ ସୀମା
ଗନ୍ତବ୍ୟର ଅନ୍ତିମ ଠିକଣା ମତେ ଜଣା ନାହିଁ
କାରଣ ଏ ପଥ କେଉଁଠୁ ଆରମ୍ଭ
ବିଲକୁଲ ପାଶୋରି ଦେଇଛି ।
କେବେକେବେ ଅନ୍ୟମନସ୍କ ଏ ମନେ
ସ୍ନିଗ୍ଧ, କୋମଳ ସ୍ୱପ୍ନର ମେହେଫିଲ
ତ' ପୁଣି କେବେ ବିଶ୍ୱାସ ଭାଂଗିଯିବାର
ନିର୍ମଳ, କରୁଣ ମୂର୍ଚ୍ଛନା
ତଥାପି ଦୁଃଖ ସବୁକୁ ସହିବାକୁ ହୁଏ
ଅନାଗତ ଆସନ୍ତାକାଲିଟି
ଥୁଣ୍ଟା ଗଛକୁ ସବୁଜିମାରେ ମଣ୍ଡିବ
ଏଇ ଟିକକ ଆଶାରେ ।
ମୁଁ ଜାଣେନା କାହିଁକି କେଜାଣି
ପାଦ ତଳର ଫଟା ଭୂଇଁ ମୋ ଆଖିରେ ପଡେନା
ହରେକ୍ ରଂଗୀ ଘାସ ଫୁଲେ ମୋ ମନ ଭୁଲେନା
କେଉଁ ଉଦାସ ଚିନ୍ତାରେ ମୁଁ ଉର୍ଦ୍ଧମୂଖି
ଆକାଶରେ ଡେଣା ମେଲି ଉଡୁଥିବା ପକ୍ଷୀଟିର କଥା
ମୁହୂର୍ତ୍ତ ଭାବେନି,
ଦିଶୁଥିବା ଦୁନିଆ ଅବାନ୍ତର ଲାଗେ
ପୁଣି ଆଖି ବୁଜି ଦେଲେ ଛାତି ତଳେ କ'ଣ ଗୋଟେ ଭାଂଗିଯିବାର
ତୀବ୍ର ଅନୁଭବରେ ମୁଁ ଆଖି ମେଲିଦିଏ ।