ସମୟ ର ବ୍ୟବଧାନ
ସମୟ ର ବ୍ୟବଧାନ
ପୁଣି ସେଇ ହଜିଯାଉ ଥିବା ଆୟୁଷ ର ବାସ୍ନା
ତୁମ ହାତଧରି ମେଟ୍ରୋ ସିଟି ରେ
ଦୌଡ଼ି ବାର ଦୃଶ୍ୟ,
ଗୋଟେ ଲମ୍ଫ ରେ ମେଟ୍ରୋ ଟ୍ରେନ ରେ
କୁଦା ମାରି ତୁମ ଛାତିରେ
ପିଟି ଯାଉଥିବା ମୁହଁ
ସବୁ କିଛି ମୋ ଆଖିରେ
ଅଧୁନା ମୁହୂର୍ତ୍ତରେ ।
ମୋ ହସ ରେ ହସ ର ତାଳ ଦେଇ
ବିନା କାରଣରେ
ଝୁକି ଯାଉଥିବା ଆଖି,
କେବେ ପ୍ରଶ୍ନ ଟିଏ କରେନି
ତୁମେ ହସୁଛ କାହିଁକି...?
ଯେଉଁଠି ନିରବ ରହିବାର ବିଧି ଟିକୁ
ଯିଏ ବେଳ ଅବେଳ ରେ ଧରି ବସିଥାଏ ।
ଯଦି ତୁମେ ସେଦିନ ପଚାରି ଦେଇଥା'ନ୍ତ
ଏ ହସ ର କାରଣ କଣ ?
ତେବେ ମୁଁ କୈଫିୟତ୍ ଟିଏ
ଦେଇ ନ ପାରି ସବୁଦିନ ପାଇଁ
ନିରବ ହୋଇ ଯାଇଥାନ୍ତି ।
ତୁମର ବିଶାଳ ହୃଦୟ
ମୋ ପିଲାଳିଆମୀ କୁ ଆପଣେଇ
ନେଇଥିଲା.....।
ମୋତେ ରଙ୍ଗୀନ ଦୁନିଆ କୁ
ଦେଖେଇ ବାର ଖେୟାଲ
ମୋ କାନରେ ଆଜି ବି
ଫିସ୍ ଫିସ୍ କରି କହେ,
ତୁମ ଆତ୍ମାନୁଭୁତି ରେ
ମୁଁ ବନ୍ଧା ପଡ଼ିଥିଲି.....।
ଆଜି ଏକାନ୍ତରେ ବସି ଭାବୁଛି
ବୋଧେ ତୁମ ପାଖେ ପହଞ୍ଚି ବାର ବେଳ
ଥିରି ଥିରି ହୋଇ ଆସୁଛି ।
ପୂର୍ବାକାଶ ର ବିଚ୍ଛୁରିତ ଆଭା
ମୋ ଅଧୁରା ସ୍ୱପ୍ନ ର ଶତାବ୍ଦୀ ଟିଏ
ଯେମିତି ଲେଖୁଛି....।
ମୁଁ ଜାଣିଛି ତୁମେ ନିଶ୍ଚିତ ଆସିବ
ମୋ ସମର୍ପଣ ର ସମ୍ମାନ ଟିଏ ଦେବାକୁ,
ମୋ ସରୁନଥିବା କଳ୍ପନାର
ଆକାର ଟିଏ ଦେବାକୁ
ତୁମ ଚାଲିବାର ଖସ୍ ଖସ୍ ଶବ୍ଦ
ଆଜି ବି ମୋ ଶିହରଣ ରେ
ଅପାସୋରା ଅଭ୍ୟାସ.....।
ତୁମେ ଆସିବ ତ....?
ମୋ ତମାମ୍ ଜୀବନ ର ଖୁସି ଟିଏ
ମୋତେ ଉପହାର ଦେବାକୁ ।
ଲୁକ୍କାୟିତ ସମୟ ର ବ୍ୟବଧାନ କୁ
ମୁଁ କେବେ ମାପି ପାରିନି
କେଵଳ ମାପିଛି ଯଦି
ତୁମ ପ୍ରେମ ର ଦୀର୍ଘତା କୁ ।
ଜୀବନ ର ପୁରା ରହସ୍ୟ
ତୁମ ନୀରବତା ରେ.....।
ଗୁମ୍ ସୁମ୍ ଅଭିମାନ ଟିଏ ଯେମିତି ।
ଭାବୁକ ର ଅନ୍ତରାତ୍ମା ଏକ
ନିର୍ଧୂମ ବେଳାଭୂମି ରେ ଚିତ୍ର ଟିଏ ଆଙ୍କେ
ସେ ଚିତ୍ର ସେଇ ପ୍ରଣୟ ର
ଏକାନ୍ତ ମୁହୂର୍ତ୍ତ ଟେ ଉତ୍ତରୀ ଢାଙ୍କି
ବସିଛି ଅନ୍ତରୀକ୍ଷ ରେ ମିଶି ଯାଇଥିବା
କାମନା ରେ.....।