ସ୍ମୃତିରେ ତୁମେ.
ସ୍ମୃତିରେ ତୁମେ.
ତୁମେ ଚାଲିଗଲ ତୁମରି ବାଟରେ
ହୋଇଗଲି ଅସହାୟ
ତୁମେ ଥିଲେ ମୋର ପାଶରେ ସର୍ବଦା
ନ ଥିଲା କାହାକୁ ଭୟ ।
ତୁମେ ମୋ ଜୀବନ ତୁମେ ମୋର ପ୍ରାଣ
ନୟନର ଜ୍ୟୋତି ଥିଲ
ତୁମ ବିନା ମୋର ଜୀବନ ଅଧୁରା
ନାହିଁ ମୋର କିଛି ମୂଲ୍ୟ ।
କୁସୁମ ସକାଶେ କଦଳୀ ପଟୁକା
ଶୋଭେ ପ୍ରଭୁଙ୍କ ଗଳାରେ
ତୁମ ପାଇଁ ମୁହିଁ ପରିଚୟ ପାଇ
ଥିଲି ଏଇ ଦୁନିଆଁରେ ।
ତୁମେ ମୋ ଅସ୍ଥିତ୍ୱ, ତୁମେ ଭବିଷ୍ୟତ
ସ୍ମୃତି ହୋଇ ରହିଗଲ
ଏତେ ଭଲ ପାଉଥିଲ ମୋତେ ପରା
କିପରି ଯେ ଭୁଲିଗଲ ।
ମୋ ଆଖିରୁ ଯେବେ ଲୋତକ ବହଇ
ପାରନାହିଁ ତୁମେ ଦେଖି
<p>ତୁମ ପାଇଁ କେତେ କାନ୍ଦୁଅଛି ମୁହିଁ
ଥରେ ଆସି ଯାଅ ଦେଖି ।
ମୋତେ କହୁଥିଲ ଆଗେ ତୁହି ଯିବୁ
ମୋ କୋଳରେ ମୁଣ୍ଡ ରଖି
ତୁମେ କିନ୍ତୁ ମୋତେ ଛାଡି ଚାଲିଗଲ
ହୋଇଗଲି ନିରିମାଖି ।
ଜୀବନ୍ତ ମଣିଷ ହୋଇଗଲ ଫଟୋ
ଦେଖିଲେ ମାଡୁଛି କାନ୍ଦ
ମନରୁ ସରିଛି ହସ ଖୁସି ମୋର
ମରି ଯାଇଛି ଆନନ୍ଦ ।
ବଞ୍ଚିଛି ବୋଲି ମୁଁ ଖାଦ୍ୟ ଖାଉଅଛି
ଇଚ୍ଛା ନ ଥିଲେ ହସୁଛି
ଆଖି ଖୋଲି ଦେଲେ ତୁମରି ସ୍ୱରୂପ
ଆଗରେ ନାଚି ଯାଉଛି ।
ଯେଉଁଠି ବି ରୁହ ଭଲରେ ଥାଅ ହେ
ପ୍ରାଣ ପ୍ରତିମ ମୋହର
ତୁମରି ପାଶକୁ ଶୀଘ୍ର ନିଅ ମୋତେ
ଇଚ୍ଛା ମୋର ପୂର୍ଣ୍ଣ କର ।