ସ୍ମୃତିକୁ ଖୋଜା
ସ୍ମୃତିକୁ ଖୋଜା
ଗହଳି ଗଳି ଭିତରେ ଚାଲୁ ଚାଲୁ
ଜରାଜୀର୍ଣ୍ଣରେ ସ୍ମୃତି ହଜିଗଲା
ଛିନ୍ନମସ୍ତା ଶବ୍ଦ ବାଣର ଝିଙ୍କାରୀ ମେଳେ
ମସ୍ତିଷ୍କ ଗୃହରେ କେଜାଣି ଘୁମୁରି କାନ୍ଦିଲା ସ୍ମୃତି ।
ସେଇଠୁ ଭିନ୍ନ ଉନ୍ମାଦନାର ଜୋସ୍ ଭିତରୁ
ଅସରନ୍ତି ଅସରା ଆଶା ଆବିର୍ଭୂତ ହେଲା ।
ଆବିଷ୍କାର କଲି ଚେତନା ରୂପି ସ୍ମୃତିକୁ
ପାହାଡକୁ ମୁଣ୍ଡିଆ ମାରି ଠିଆ ହେଲି
ଦେଖିଲି ଚଢ଼େଇ ଦୁହେଁ ବୃକ୍ଷରେ ବସା ବାନ୍ଧୁଥାନ୍ତି
ପ୍ରକୃତିସ୍ଥ ହେଲି କିଛି ସମୟ ପାଇଁ
ମୋ ସ୍ମୃତିର ଫର୍ଦ୍ଦଟିଏ ବସା ସହ ମିଶୁଥିଲା
କ୍ଳାନ୍ତ ହେଲି ପକ୍ଷୀ ସହ ତୁଳନା କରୁ କରୁ
କ୍ଷଣିକ ପାଇଁ ପ୍ରଜାପତିଟି ପକ୍ଷୀ ପରି ମନେ ହେଲା
କାହିଁ କେଉଁଠି ବସା ଅଛି ତାକୁ କ'ଣ ଜଣା ଥିବ ?
ସେ କେବେ କାହା ଅଗଣାର ଅଜଣା ଅତିଥି !
ହଠାତ୍ ଜଣେ ମୋ ସ୍ମୃତି ପ୍ରାଙ୍ଗଣକୁ ଫେରି ଆସିଲା
ଅତିଥି ଦରଜା ଖୋଲି ମିଠା ମିଠା ଗପ କରୁଥିଲା
ମଜ୍ଜି ଯାଇଥିଲି ଭାବନା ପରୀଟିର କଥା ଭାବି
ଅକସ୍ମାତ୍ ଲେଉଟି ଦେଖିଲି ରୁଣ୍ଡ ଜନତା
ମୋ ଆଡକୁ ଦେଖି ହସୁଥିଲେ ପାଗଳ ପ୍ରାୟେ
ମୁଁ ବି ଲୁପ୍ତପ୍ରାୟ ମୁରୁକି ହସ ହସୁଥିଲି
ସେତେବେଳ ଯାଏଁ ସ୍ମୃତି ସନ୍ତକ ହୋଇ ସାରିଥିଲା..