ସ୍ମୃତି ପିଲାଦିନର
ସ୍ମୃତି ପିଲାଦିନର
(ଛନ୍ଦ-କୌଶିକ)
ଚକ୍ଷୁ ଅନ୍ତରାଳେ ଭାତି ଦୋଳି ଖେଳେ
ସ୍ମୃତି ଯେତେ ପିଲାଦିନର
ଜୀବନ ମରୁର ଆହା ! କି ମଧୁର
ଶୈଶବର ସେ ସୁଧାଝର
ପାନେ ହୃଦୟ
ମହକି ଚହଟେ ମହକେ
ଭାବର ତରଙ୍ଗ ଖେଳି ପ୍ରତି ଅଙ୍ଗ
ହରଷକୁ ତୋଳି ଝଟକେ ।
ଧୂଳି ଖେଳ ସାଥୀ କୈଶୋରର ପ୍ରୀତି
ପିତାମାତା ଆକଟ ସ୍ନେହ
ମନ ତଳେ ଆଙ୍କି ଉଠଇ ପୁଲକି
ବିଭୋରିତ ପ୍ରାଣ ହୃଦୟ
ଆଜି ସେମାନେ
ସିନା କା' ପାଖରେ ନାହାନ୍ତି
ହେଲେ ଯେତେ ସ୍ମୃତି ପରବେଶେ ମତି
ସଭିଏଁ ଧସେଇ ପଶନ୍ତି ।
କୁଆଁର ପୂନେଇଁ ଗୀତ ଗାଇଗାଇ
ସଞ୍ଜରେ ନାଚି ଉଠେ ମନ
ପରବପର୍ବାଣି ମନ ନିଏ କିଣି
ପୁଣି ନାନା ଯାତ ମେଲଣ
ଗାଁ ତୋଟାରେ
ଶ୍ରୀରାଧା ଶ୍ରୀକୃଷ୍ଣ ମିଳନ
ଆହା ! କି ଅପୂର୍ବ ସେ ଶୋଭା-ବିଭବ
ଥାଉ ଶ୍ରୀଚରଣେ ଧିଆନ ।