ସ୍ମୃତି ଜାଗି ଉଠେ ଆଜି
ସ୍ମୃତି ଜାଗି ଉଠେ ଆଜି
ସ୍ମୃତି ଭରିଅଛି ଏଇ ଜୀବନରେ,
ସୁଖଭରା, ଦୁଃଖଭରା ।
ସେହି ସ୍ମୃତି ଯେବେ ହୁଏ ଉଜ୍ଜୀବିତ,
ଦିନରେ ଦେଖାଏ ତାରା ।।
ଏମିତି ଜୀବନ କିଏସେ ଜିଇନି,
ସ୍ମୃତି ରହିନାହିଁ ଯହିଁ ।
ବେଳେବେଳେ ଆମେ ହୋଇଉଠୁ ବ୍ୟଗ୍ର,
ସ୍ମୃତିକୁ ଫେରିବା ପାଇଁ ।।
ଅତୀତର ସ୍ମୃତି ମନରେ ଉଇଁଲେ,
ଦେଖାଦିଏ ଅତୀତଟା ।
ସବୁକିଛି ପୁଣି ଲାଗେ ନୂଆ ନୂଆ,
ଲାଗି ଅତୀତର ଛିଟା ।।
ଆମ ସଭିଙ୍କର କିଛି ନା କିଛି ତ,
ଥାଏ ଅତୀତର ସ୍ମୃତି ।
ସେହି ସ୍ମୃତି ପୁଣି ଆଙ୍କି ଦେଇଯାଏ,
ପୁରୁଣା ଦିନର ପ୍ରୀତି ।।
ଅତୀତକୁ ନେଇ କେହି ତ ବଞ୍ଚେନା,
ବର୍ତ୍ତମାନ ଥାଏ ସାଥୀ ।
ବର୍ତ୍ତମାନ ପାଇଁ ସଭିଏଁ ଖୋଜନ୍ତି,
ଅତୀତର ସେହି ସ୍ମୃତି ।।
ସଭିଏଁ ଚାହାଁନ୍ତି ବର୍ତ୍ତମାନ ସହ,
ସ୍ମୃତିରେ ଯିବାକୁ ହଜି ।
ସେଥିପାଇଁ ପରା ଏ ମନ କହଇ,
ସ୍ମୃତି ଜାଗିଉଠେ ଆଜି ।।