ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
ଫୁଲବନ ପରି କୁହେଳିକା ମୟ
ରୂପାୟିତ ଛବି ସ୍ମୃତି
କେବେସେ ଫଗୁଣ କେବେସେ ଶ୍ର।ବଣ
ଫଟାହିଡ ଖରା ତାତି।
କେବେ ମଧୁମୟ ମଧୁମକ୍ଷୀ ପାଇଁ
କେବେ ରକ୍ତାୟିତ ମନ
କଣ୍ଟାର ଆଘାତେ ଭଙ୍ଗା ହୃଦୟର
ଆନ୍ଦୋଳିତ ଯଉବନ।
କେବେ ଖରା ଛାଇ ଅଙ୍କାବଙ୍କା ନଈ
ଗୋଧୂଳି ଉଷା ସୁରୂଜ
ଉଷା ଆକୁଳରେ କାକରରେ ଭିଜା
ଆଲୁଅର ଯେ ମୁରୁଜ।
କୁଆଁରୀ ମନର ଅଦେଖା ସ୍ୱପ୍ନଟେ
ଅମାରାତି ମଲାଜହ୍ନ
କାଉଁରୀ ଦେଶର ରାଜକୁମାରୀ ସେ
ଅମଡ଼ା ବାଟରଚିହ୍ନ।
ପାହାନ୍ତି ତାରାର ଆଖି ମିଟିକାସେ
ସାଗରେ ମୃତ ଶାମୁକା
ଧାରା ଶ୍ରାବଣର କିଟି ମିଟି ରାତ୍ରେ
ଦରହସା ଚପଳିକା।
ପ୍ରୀତି ଝରଣାର ଗୀତଟିଏ କେବେ
ଗରଜନ ସାଗରର
କେବେ ଚଇତାଳି କେବେ ଝାଞ୍ଜିଖରା
କୁହୁଳିତ ହୃଦୟର।
କେବେ ମିଠାଛୁରୀ ପ୍ରେମ ଚାହାଣୀର
ପ୍ରତାରଣା ଯେ ପ୍ରିତିର
କେବେସେ ବୁଡ଼ାଏ କେବେସେଭିଯାଏ
ଭଙ୍ଗା ନାଆ ନାଉରୀର।
ଖଣ୍ଡିତ ପ୍ରେମର ଆହତ ମନରେ
ଅଶୁଖା ଘାଆଟେ ସ୍ମୃତି
ଦେଖି ହୁଏନା କି କହିବି ହୁଏନା
କେଉଁସ୍ଥାନେ ତାରସ୍ଥିତି।
ଉଜୁଡ଼ା ପ୍ରୀତିର ବିରହ ହୃଦୟେ
ନିଷ୍ପ୍ରଭ ଝୁଲ,ସେ କେବେ
ପାଉଁଶ ତଳର ନିଆଁପରି ଜଳି
ମରମ ଜଳାଏ ଯେବେ।
କ୍ଷୁର୍ଣ୍ଣ ପ୍ରଣୟର ସନ୍ତପ୍ତ ଜୀବନେ
ମଉଳା ବାସ୍ନାଟେ ପରି
କର୍ପୂର ନଥିବା କନାଟେ ପରି ସେ
ରହିଥାଏ ବସାକରି।
ସୁଦୂର ଅତୀତ ପ୍ରଥମ ପ୍ରେମର
ପ୍ରଥମ ଚଇତି ଛୁଆଁ
ସ୍ମୃତି ତୁମେ ପରା ମୋହିତ ମୂର୍ଚ୍ଛନା
ମୁଗ୍ଧ ଆଲିଙ୍ଗନ ନିଆଁ।
ତାରଲ୍ୟ ତାରୁଣ୍ୟ ତନ୍ମନସ୍କତାର
ସୁନାର ହରିଣୀଟିଏ
ବିସ୍ମିତ ଚାନ୍ଦିନୀ ଅଦୁରଦର୍ଶୀତା
ଶୂନ୍ୟତାରେ ଖେଳୁଥାଏ।
ସ୍ମୃତି ତୁମେ ଅନ୍ତରଙ୍ଗତାର ରାସେ
ପ୍ରୀତିମଗ୍ନା ନଗ୍ନଶିଳା
ଧୂଳି ଧୂସରିତ କ୍ଳାନ୍ତ ଅପରାହ୍ନେ
ମର୍ମରିତ ଚନ୍ଦ୍ରକଳା।
ସ୍ମୃତି ତୁମେ ସିନା ଉଜୁଡା ପ୍ରେମର
ଅଧୁରା କାହାଣୀ ଟିଏ
ଅର୍ଥହୀନ ସଙ୍ଗୀତର ସପ୍ତସ୍ୱର
ବିରହ ରାଗିଣୀଟିଏ।
ବିଦାରିତ ଚିତ୍ତେ ତିକ୍ତ ସନ୍ତପ୍ତରେ
ସ୍ମୃତି ଜଳ ମିଟି ମିଟି
ମରମ ଜଳାଅ ଅଲକ୍ଷିତ ଝାସେ
ଦଗ୍ଧାୟିତ ହୃଦୟେ ଟି ।