ସ୍ମୃତି ଆମ ଅପାସୋରା
ସ୍ମୃତି ଆମ ଅପାସୋରା
ତୁମେ ଚାଲିଗଲ ଅଫେରା ରାଇଜେ
ରହିଗଲି ହୋଇ ଏକା
ଏତେ କାଳଧରି ସଂସାର ରଥରେ
ଦୁହେଁ ଥିଲେ ଦୁଇ ଚକା।
ତୁମେ ଗଲାପରେ ଚାହିଁଲେ ଖଟକୁ
ତୁମ ସ୍ଥାନ ଅଛି ଖାଲି
ଦୁଇଟି ତକିଆ ପଡିଅଛି ସିନା
ଗୋଟିକରେ ମୁଣ୍ଡଦେଲି।
ଆଲଣା ଉପରେ ତୁମ ଶାଢୀ ସବୁ
ସଜା ହୋଇ ଅଛି ରହି
ସିନ୍ଦୁର ଫରୁଆ ମେଲା ପଡିଅଛି
ନାଇବାକୁ କେହିନାହିଁ।
ଠାକୁରଙ୍କ ଘଣ୍ଟ ବାଜି ନାହିଁ ଆଜି
ସବୁ ରହିଗଲା ଅଧା
ଯେଉଁଠି ଦେଖୁଛି ସେଇଠି ରହିଛି
ଏ ସଂସାର ଅସଜଡା।
ପାଣି ଟୋପେ ପାଇଁ ଡହଳ ବିକଳ
କେତେ ମୁଁ ହେଉଛି ଦେଖ
ସବୁ କାମ ମୋର ତୁମେ କରୁଥିଲ
ପାଉଛି ମହଣେ ଦୁଃଖ।
ତୁମ ପ୍ରେମ ଆଜି ମନେ ପଡିଯାଏ
ଜୀଵନର ଅପରାହ୍ନ
ଦିନ ଥିଲା ତୁମେ ସାଜି ମୋ ପ୍ରେମିକା
ବୁଲୁଥିଲେ ରାତିଦିନ।
ତୁମ ମିଠା ସ୍ମୃତି ଅକୁହା କଥାକୁ
ସାଇତିଛି ହୃଦେ ମୋର
ଅନ୍ତର ବେଦନା ମନର ଭାବନା
ରଖିଛି ସବୁ ତୁମର।
ତୁମେ ସିନା ଆଜି ଗରବିଣୀ ସାଜି
ସୀମନ୍ତିନୀ ବେଶ ହେଲ
ବଜାଇଣ ତୁମେ ଅହ୍ଯ ଡେଙ୍ଗୁରାତ
ସଧବାର ନାମେ ଗଲ।
ସାଜିଥିଲି ଦିନେ ତୁମ ପ୍ରିୟତମ
ଆଖିର ତାରା ମୁଁ ଥିଲି
ଆଜି କିନ୍ତୁ ମୋତେ ଏକା କରିଦେଇ
ତୁମ ବାଟେ ଗଲ ଚାଲି।
ସ୍ବାମୀ ସ୍ତ୍ରୀ ବନ୍ଧନ ଏତେ କି ଶିଥିଳ
ନଥିଲି ତ ମୁଁହିଁ ଜାଣି
ତୁମ ବିରହରେ ଛଟପଟ ହୁଏ
ନେଇଥା'ନ୍ତି କି ମେଲାଣି।
ଡାକିନିଅ ସାଥି ଅଛ ଯେଉଁଠାରେ
ଏକାଠି କରିବା ବାସ
ସାତଜନ୍ମ ପାଇଁ କଥା ଦେଇଥିଲେ
ରହିବ ନିତ୍ଯ ବିଶ୍ବାସ।
ପୁତ୍ର କନ୍ଯା କେହି ନୁହେଁ ଆପଣାର
ଜାଣିଲି ଏତିକି ପରା
ମିଛର ସଂସାର ମିଛର ବନ୍ଧନ
ସ୍ମୃତି ଆମ ଅପାସୋରା।