ସମର୍ପଣର ସମୟ
ସମର୍ପଣର ସମୟ
ପ୍ରଭୁ ତୁମେ ତ ବୁଝିଲନି
ଏ ନାସ୍ତିକର ଅଭିମାନ ଅବା ଅଭିଯୋଗ
ଶୁଭୁନି ତୁମକୁ କରୁଣ, ଆତୁଳ, ବିକଳ ଚିତ୍କାର
ଭକ୍ତିଭାବ ନାହିଁ ବୋଲି ହତାଦର କଲ
ନା ଦୂର କରୁଛ ଦ୍ୱନ୍ଦ୍ୱ,ସଂଶୟ
ବିବେକ ଲାଗୁଛି ଏ ସମାଜେ ବେକାର ।
ନା ଟିକେ ଦେଉଛ ସୁଖର ଅଭୟ
ସୁଖୁନାହିଁ ପ୍ରଭୁ ଏ ମନ ଆଖିର ଲୁହ
ନେଇ ଚାଲିଛ କ୍ଷଣେକ୍ଷଣେ ପରୀକ୍ଷା
ଭାଙ୍ଗିବାକୁ ମୋର ବଞ୍ଚିବାର ଧୈର୍ଯ୍ୟ ଓ ଲୟ ।
ଈଶ୍ବର ହେ ଆଜି ମୁଁ ଅସହାୟ, ନିରୂପାୟ
ଫଳାଫଳ ଭୁଲିବାର ମୁହୁର୍ତ୍ତ ଇଏ
ସବୁ ଦିଗ ବନ୍ଦ କରିଦେଲ ପ୍ରଭୁ
ହାରିବାର ଅନୁଭବରେ ଆତ୍ମା ମୋର
ଏବେ ତୁମ ଚରଣରେ ସମର୍ପଣର ସମୟ ।
ପରାସ୍ତ ସୈନିକଟିଏ ଆଉକି ପାରିବ କରି
ସମ୍ମୁଖରେ ଯଦି ସର୍ବଶକ୍ତିମାନ ଲଢୁଛନ୍ତି ଶ୍ରୀହରି
ନତ ମସ୍ତକ ମୋର ଏ ଜୀବନ ଯୁଦ୍ଧକ୍ଷେତ୍ରେ
ତୁମରି ଅଂଶ ତୁମର ହିଁ ସମ୍ପୂର୍ଣ୍ଣ ଅଧିକାର
ଏହି ଶରୀର, ମନ ଓ ଆତ୍ମାରେ
ହେ ପରମପିତା ପରମବ୍ରହ୍ମ ନିଅ ହେ ଉଦ୍ଧାରି ।
"ମୁଁ" କୁ ମାରିଦେଉଛି ମୁଁ ତୁମେ ହିଁ ଉତରଦାୟୀ
ମନ୍ଦିର, ଦେବାଳୟରେ ଭକ୍ତିପୂତ ଭାବ ନାହିଁ
ତୁମ ଦାୟିତ୍ୱରେ ଏ ଜୀବନ ଛାଡ଼ିଦେଇ
ଚାଲିବି ଜୀବନ ପଥ ନିଶ୍ଚିନ୍ତ ଜୀବଟେ ହୋଇ ।
ସମର୍ପି ଦେବି ତୁମକୁ ଏ ଜୀବନଟା ଗୋସାଇଁ
ସୁଖର ହସ ପାଇଁ ତୁମେ ଦାୟୀ
ଦୁଃଖର ଲୁହ ଗଡ଼ିଲେ ତୁମେ ଦାୟୀ
କାହିଁ ଏତେ ଅବଶୋଷ କାହିଁ ଏତେ ବିଚାର
ପାପପୂଣ୍ୟ ସବୁ ହେବ ତୁମପାଇଁ
ଭଲମନ୍ଦ ଯାହା ହେବ ସବୁ ତୁମ ନାମ ନେଇ ।
ଜ୍ଞାନର ସନ୍ଧାନ, ଶାନ୍ତିର ସନ୍ଧାନ, ବିବେକ କଥା
ଏସବୁ ମୁହୁର୍ତ୍ତେମୁହୁର୍ତ୍ତେ ଦେଉଅଛି ବ୍ୟଥା
ମନରେ ଏଥର ମୂର୍ଖର ଉଦୟ ହେଉ
ବୁଝିବା ମନଟା ଏବେ ଅବୁଝା ହୋଇଯାଉ
ତୁମ ଦାୟିତ୍ୱରେ ଏବେ ମୋ' ଜୀବନ, ଆଶା, ସପନ
ତୁମେ ହିଁ ପୂରଣ କରିବ ଲକ୍ଷ୍ଯ
ମହାପ୍ରଭୁ ଏ ଶରୀର ଶୀଘ୍ର ସରିଯାଉ ।
ହେ ଈଶ୍ବର ତୁମେ ଦିଅ ଆଶିଷ ରେଣୁ
ମୋ' ଭିତରେ ମୁଁ ନିଜେ ହୁଅନ୍ତି ବିଲୟ
ତୁଚ୍ଛ କରିଦିଅ ମୋତେ ତୁମ ସହ ରହେ
ଆଜୀବନ ସମର୍ପିବି ନିଜକୁ ତୁମ ପୟରେ
ଏବେ ଶୁଭ ମୁହୁର୍ତ୍ତ ଏବେ ହିଁ ସମର୍ପଣର ସମୟ।