ସମର୍ପଣ
ସମର୍ପଣ
ଏହି ଭୂମଣ୍ଡଳ ପୂଣ୍ୟ ପୁଷ୍କରିଣୀ
ତହିଁ ଚଳଦଳ ସୁରମ୍ୟ ନଳିନୀ
ସେ ନଳିନୀ ଅଟେ ଉତ୍କଳ ଆମର
ଯାହାର କେଶର ପୁରୀ ଶ୍ରୀକ୍ଷେତର
ସେହି କେଶରର ସୁଭାସିତ ରେଣୁ
ପ୍ରଭୁ ଜଗନ୍ନାଥ ହସ୍ତେ ଯାଇ ବେଣୁ
ସେ ବେଣୁ ନିଃସୃତ ସଂଗୀତର ତାନ
କରି ଦିଏ କୋଟି ଭକ୍ତଙ୍କୁ ତଲ୍ଲୀନ | |
ସେ ଏକା ଉତ୍କଳେ ସର୍ବାଦୃତ ନେତା
ତାଙ୍କୁ ଛାଡି ଲୋଡା ନାହିଁ ଅନ୍ୟ ନେତା
ସେ ପରା ଜଗତ ପାଳନ କରତା
ସଭିଙ୍କ ମାଲିକ ଜଗତର ପିତା
ଉତ୍କଳର କୋଟି ସରଳ ଜନତା
ତାଙ୍କର ସେବକ ସେବିକା ଆଶ୍ରିତା||
ତାଙ୍କ ଦେବାଳୟ ଏ ବଡ ଦେଉଳ
ସୁଶୋଭନ ଯୁକ୍ତ ପୁଣ୍ୟ ନିଳାଚଳ
ଯାହାଙ୍କର ଦାଣ୍ଡ ଅଟେ ବଡଦାଣ୍ଡ
ଶରଧାବାଲିରେ ହସେ ଯେଉଁ ଦାଣ୍ଡ
ତାହାର ରାଇଜେ ଘରକରିଥିଲେ
ଯମଦଣ୍ଡ ମିଳେ ନାହିଁ ତାକୁ ଭଲେ||
ଯାହାର ପୟୋଧୂ ପୁଣ୍ୟ ମହୋଦଧୂ
କଳ୍ପବଟ ଦେହେ ବ୍ୟାପ୍ତ ଅନ୍ତର୍ବେଦୀ
ଅନୁର୍ବେଦୀ ଦେହେ ମରଣ ଲଭିଲେ
ପୁନର୍ଜନ୍ମ ହୁଏନାହିଁ ଆଉ ଭଲେ
ମୋକ୍ଷ ଲାଭ କରି ବୈକୁଣ୍ଡେ ଗମନ
କରିଥାଏ ନର ରହିଛି କଥନ ||
ତା ମହୋଦଧିର ପୁଣ୍ୟ ତଟଦେଶ
ସ୍ୱର୍ଗଦ୍ୱାର ନାମେ ଜାଣେ ସାରା ଦେଶ
ପୂଣ୍ୟ ଉତ୍କଳ ଆମ ପୂଣ୍ୟ ପ୍ରଦେଶ
ପ୍ରଭୁ ଜଗନ୍ନାଥ ସୁଢଳ ସୁବେଶ
ଯମ ଆସେ ନାହିଁ ମୃତ୍ୟୁ ପାଶ ଧରି
ଶ୍ରୀକ୍ଷେତ୍ରରେ ଥିବେ ଯେଉଁ ନରନାରୀ ||
ବରଷକେ ଥରେ ରଚି ରଥଯାତ୍ରା
ସମଗ୍ର ବିଶ୍ୱକୁ କରି ଆତ୍ମହରା
ଜାତି ଧର୍ମ ବର୍ଣ୍ଣ ଭେଦାଭେଦ ବୁଲି
ଆନନ୍ଦ ଲଭନ୍ତି ଭକତଙ୍କୁ ମିଳି
ରଥପରେ ସୁନାବେଶ ଦର୍ଶନର
ଦିଅନ୍ତି ଅପୂର୍ବ ଆନନ୍ଦ ଅପାର ||
ବାରମାସେ ତେର ପର୍ବର ରଚନା
ବଡ ଦେଉଳରେ କରନ୍ତି ଯୋଜନା
ପେଟ ପୁରୁନାହିଁ ବୋଲି କହିକହି
ଷାଠିଏ ପଉଟି କରାନ୍ତି ରୋଷେଇ
ଜଗତର କ୍ଷୁଧା ନିବାରଣ ପାଇଁ
ଅବଢା ନାମରେ ତାକୁ ବାଣ୍ଟିଦେଇ
ନାନା ପର୍ବେ ନାନା ବେଶରେ ସଜେଇ
ଭକ୍ତଙ୍କୁ ଆନନ୍ଦେ ଦିଅନ୍ତି ମଜେଇ ||
ପତିତ ପାବନ ବାନା ନୀଳଚକ୍ରେ
ଭକତଙ୍କୁ ଡାକେ ନୀଳାଚଳ କ୍ଷେତ୍ରେ
ଜଗତର ନାଥ ପ୍ରଭୁ ଜଗନ୍ନାଥ
ତୁମ୍ଭ ଶ୍ରୀଚରଣେ କୋଟି ପ୍ରଣିପାତ
ସେହି ସୁଶୋଭନ ଶ୍ରୀଛନ୍ଦା ଚରଣ
ମୋ ଜୀବନ କରିଦେଲି ସମର୍ପଣ ||