ସମ୍ପର୍କ
ସମ୍ପର୍କ
ସମ୍ପର୍କର ସୁତାଟିକୁ ମଜବୁତ କରି
ଧରିଛ ବୋଲି
ଆମେ ଚାଲିଛେ ସାଥି ହୋଇ ଏଯାବତ ।
ଫାଟକୁ ପ୍ରେମର ଫେଭିକଲରେ
ଯୋଡିବା କଳା
ତମକୁ ବେଶ୍ ଜଣା ।
ବେଳେବେଳେ ଫେଭିକଲର ଉପାଦାନକୁ
ମୁଁ ପଢି ବସେ,
ମୁରୁକି ହସେ ।
କେବେ କେବେ ବାଆ ବତାସରେ
ଦୋହୁଲୁ ଥାଏ ଆମ ସମ୍ପର୍କର ନୀଡ
ବାୟା ବସା ଭଳି ।
ଭାଙ୍ଗିନି କେବେ ।
କେମିତି ଭାଙ୍ଗନ୍ତା ଯେ ?
ଏକ ଅଭିଜ୍ଞ କାରିଗର ଭଳି
ତମେ ପରା ନିଜ ହାତରେ ଗଢିଛ
ସ୍ନେହ ଶ୍ରଦ୍ଧା ପ୍ରେମ ଆଦରର
କାଠି କୁଟା ଦେଇ ।
ବାରଶହ ବଢେଇଙ୍କ ଲୁହ ଲହୁରେ
ଠିଆ ହେଲା କୋଣାର୍କ ମନ୍ଦିର
ମୁଣ୍ଡି ମାରି ମୁଣ୍ଡ ରଖିବାକୁ ଯାଇ
ଧରମା ଧରାଶାୟୀ ।
ଏବେ ଅର୍ଦ୍ଧ ଭଗ୍ନ କୋଣାର୍କ
ଶିଳାରେ ଶିଥିଳ ମୂର୍ତ୍ତି ।
କିନ୍ତୁ ଆମ ସମ୍ପର୍କର କୋଣାର୍କ
ଏବେବି ସଦ୍ୟ
ସଦା ହସହସ ଆମ ହସରେ ।
କେବେ ମୁଁ ଅଭିମାନ କଲେ,
ମହାଭାରତର ଧର୍ମଯୁଦ୍ଧ ଭୂମିରେ
କୄଷ୍ଣ ସଖାଙ୍କୁ ଗୀତା ଜ୍ଞାନ
ଦେଲା ଭଳି, ତମେ ଦେଇଥାଅ
ସମ୍ପର୍କର ଜ୍ଞାନ, ଜଣେ ବିଚକ୍ଷଣ
ଅଭିଭାବକ ଭଳି ।
ବାସ୍, ନିମିଷକେ ଓହରି ଯାଏ
ମୋ ଅଝଟପଣିଆ
ସବୁ ବୁଝି ଘୋଷି ପକାଏ
ସମ୍ପର୍କର ସୂତ୍ର ସବୁ
ପରିକ୍ଷାତ୍ରୀ ଟେ ଭଳି ।
ବିଶ୍ୱାସ ର ଭିତ୍ତିଭୂମି ଉପରେ
ଛିଡା ହୋଇଛି ଆମ ସମ୍ପର୍କର ମହଲ
କାନ୍ଥରେ ସରାଗର ପୁଟ୍ଟି
ତା ଉପରେ ପ୍ରୀତିର ରଙ୍ଗ ।
ମହଲ ନୁହେଁ ବରଂ
ସେ ପ୍ରେମ ର ମନ୍ଦିର
ଯାହାର ସୁରକ୍ଷା ଦାୟିତ୍ୱ
ତୁମ ଉପରେ ଦେଇ
ମୁଁ ସମ୍ପୂର୍ଣ୍ଣ ବେଫିକର ।